ସମଲେଶ୍ୱରୀ ଏକ୍ସପ୍ରେସ୍‌ ଜଳିଯିବା ଘଟଣା; ଆଜି ଆସିବେ ରେଳବାଇ ନିରାପତ୍ତା କମିଶନର

ରାୟଗଡ଼ା,୨୭ା୬(ଆପ୍ର): ସମଲେଶ୍ୱରୀ ଏକ୍ସପ୍ରେସରେ ନିଆଁ ଲାଗି ଜଳିଯିବା ଘଟଣାର ତଦନ୍ତ ଜାରି ରହିଛି । ଆସନ୍ତାକାଲି କୋଲକାତାସ୍ଥିତ ରେଳବାଇ ନିରାପତ୍ତା କମିଶନର ଆର୍‌. କେ ଶର୍ମାଙ୍କ ନେତୃତ୍ୱରେ ଏକ ଟିମ୍‌ ରାୟଗଡ଼ା ଆସୁଥିବା ବେଳେ ପଚରାଉଚରା ପାଇଁ ୬୧ ଜଣ କର୍ମଚାରୀଙ୍କୁ ଡକରା ହୋଇଛି । ଏମାନଙ୍କ ମଧ୍ୟରେ ରାୟଗଡ଼ା ଷ୍ଟେସନ ଅଧୀକ୍ଷକ ପ୍ରତାପ ଚନ୍ଦ୍ର ସେଠୀ, ସମଲେଶ୍ୱରୀ ଏକ୍ସପ୍ରେସ୍‌ ଡ୍ରାଇଭର ସଞ୍ଜିବ ରାଓ, ସହକାରୀ ଡ୍ରାଇଭର ଋଷି କୁମାର, ଗାର୍ଡ଼ ଅନନ୍ତ ଚରଣ ସେନାପତି ଅଛନ୍ତି । ସିଙ୍ଗାପୁରରୋଡ଼ ଓ କେଉଟଗୁଡ଼ା ରେଳ ଷ୍ଟେସନର ଉଭୟ ଷ୍ଟେସନ ମାଷ୍ଟରଙ୍କ ସମେତ ସିଗ୍‌ନାଲ, ଅପରେସନ, ଟେଲିକମ୍‌ ଓ ଇଂଜିନିୟରିଂ ବିଭାଗ କର୍ମଚାରୀଙ୍କୁ ମଧ୍ୟ ଉପସ୍ଥିତ ରହିବାକୁ ରେଳ ବିଭାଗ ନିର୍ଦ୍ଦେଶ ଜାରି କରିଛି । ତିନି ଦିନ ଧରି ତଦନ୍ତ ପ୍ରକ୍ରିୟା ଚାଲିବ ବୋଲି ସୂଚନା ମିଳିଛି ।

କୋଲକାତାରୁ ଆସୁଥିବା ଏହି ଟିମ୍‌ ରାୟଗଡ଼ାଠାରେ ତଦନ୍ତ କରିବା ସହ ଘଟଣାସ୍ଥଳ ପରିଦର୍ଶନ କରିବେ । କେଉଟଗୁଡ଼ା ଏବଂ ସିଙ୍ଗାପୁରରୋଡ଼ ରେଳ ଷ୍ଟେସନକୁ ମଧ୍ୟ ଅନୁଧ୍ୟାନ ପାଇଁ ଯିବେ । ଆସନ୍ତା ୨୯ ରେ ଏହି ଟିମ୍‌ ବିଶାଖାପାଟଣାସ୍ଥିତ ଡିଆର୍‌ଏମ୍‌ କାର୍ଯ୍ୟାଳୟରେ ତଦନ୍ତ କରିବେ । ଡକରା ପାଇଥିବା ୬୧ ଜଣଙ୍କ ମଧ୍ୟରେ ଉଭୟ ରାୟଗଡ଼ା ଓ ବିଶାଖାପାଟଣାର କର୍ମଚାରୀ ରହିଛନ୍ତି । ଗୁରୁବାର ବିଶାଖାପାଟଣା ଡିଭିଜନ୍‌ କାର୍ଯ୍ୟାଳୟରୁ ଏକ ଅପରେସନ ଟିମ୍‌ ଆସି ତଦନ୍ତ କରିଛନ୍ତି । ସହକାରୀ ଅପରେସନ ମ୍ୟାନେଜରଙ୍କ ନେତୃତ୍ୱରେ ଏହି ଟିମ୍‌ ଘଟଣାସ୍ଥଳକୁ ଯାଇ ସରଜମିନ ତଦନ୍ତ କରିଛି । ଅପରେସନ ଇନ୍‌ସପେକ୍ଟର ଏମ.ଭି ରାମଣା ଅପରେସନ୍‌ ବିଭାଗ କର୍ମଚାରୀଙ୍କୁ ପଚରାଉଚରା କରିଛନ୍ତି । ଦୁର୍ଘଟଣା ପରେ ଉଭୟ ଟ୍ରେନର ଇଞ୍ଜିନ ପୋଡ଼ି ଛାରଖାର ହୋଇଥିବା ବେଳେ ଚଳନ୍ତା ଟ୍ରେନ୍‌ରେ ବିଦ୍ୟୁତ୍‌ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିବା ଛୋଟକଥା ନୁହେଁ ବୋଲି ଅନୁସନ୍ଧାନକାରୀ ଟିମ୍‌ ରେଳ ବିଭାଗ କର୍ମଚାରୀମାନଙ୍କୁ ଚେତାଇଛନ୍ତି । ଷ୍ଟେସନଠାରୁ ମାତ୍ର ୪ କିଲୋମିଟର ଦୂରରେ ଗାଡ଼ିଟି ଘଣ୍ଟାପ୍ରତି ୪୦ କିଲୋମିଟର ବେଗରେ ଯାଉଥିବା ବେଳେ ଲାଇନ୍‌ଚ୍ୟୁତ ହୋଇ ଅଗ୍ନିକାଣ୍ଡ ଘଟିବା ନିଶ୍ଚିତ ଏକ ଯୁଗ୍ମ ତ୍ରୁଟି ବୋଲି ମଧ୍ୟ ପ୍ରାଥମିକ ଅନୁସନ୍ଧାନକାରୀ ଟିମ୍‌ ପ୍ରକାଶ କରିଛନ୍ତି । ନିରାପତ୍ତା ବିଭାଗର ତଦନ୍ତ କେଉଁ ଦିଗକୁ ନିର୍ଦ୍ଦିଷ୍ଟ ଭାବେ ଯିବ ଓ ତଦନ୍ତରେ କି ନିର୍ଯ୍ୟାସ ବାହାରିବ ତାହା ଦେଖିବାର କଥା ବୋଲି ବିଭାଗୀୟ ମହଲରେ ଚର୍ଚ୍ଚା ଚାଲିଛି ।

ସୂଚନାଯୋଗ୍ୟ, ମଙ୍ଗଳବାର ଟାୱାର କାର୍‌ ଯୋଗେ ସିଙ୍ଗାପୁରରୋଡ଼ ଷ୍ଟେସନରୁ ୭ ଜଣ କର୍ମଚାରୀ ଯାଇ ଟ୍ରାକ୍‌ ମରାମତି କାର୍ଯ୍ୟ କରୁଥିବା ବେଳେ ସେହି ଟ୍ରାକରେ ହିଁ ସମଲେଶ୍ୱରୀ ଏକ୍ସପ୍ରେସକୁ ଛାଡ଼ି ଦିଆଯାଇଥିଲା । ସିଙ୍ଗାପୁରରୋଡ଼ ଷ୍ଟେସନଠାରୁ ୫ କିଲୋମିଟର ଦୂରରେ ଟାୱାର କାରକୁ ସମଲେଶ୍ୱରୀ ଏକ୍ସପ୍ରେସ୍‌ ଧକ୍କା ଦେଇଥିଲା । ଫଳରେ ଉଭୟ ଟ୍ରେନ୍‌ ଲାଇନଚ୍ୟୁତ ହେବା ସହ ନିଆଁ ଲାଗି ଯାଇଥିଲା । ଦୁର୍ଘଟଣାରେ ଟାୱାର କାର୍‌ର ୩ ଜଣ କର୍ମଚାରୀଙ୍କ ମୃତ୍ୟୁ ହେବାସହ ଜଣେ ଗୁରୁତର ହୋଇଥିଲେ ।

   ସମ୍ବନ୍ଧିତ ଖବର


ଅଗ୍ନିଶମ ବିଭାଗରେ ଅଦଳ ବଦଳ

ପ୍ରତି ଘଣ୍ଟାରେ ‘ସଡ଼କ ଦୁର୍ଘଟଣା’ରେ ଯାଉଛି ୧୭ ଜୀବନ: ଦ୍ରୁତ ଗାଡ଼ି ଚଲାଇବା ମୁଖ୍ୟ କାରଣ, ଶୀର୍ଷରେ ରହିଛି ତାମିଲନାଡୁ

ଶୂନ୍ୟକାଳରେ ଟୋକନ୍ ତାତି : ଦିନ ୩ଟା ପର୍ଯ୍ୟନ୍ତ ଗୃହ ମୁଲତବି

ନୂଆ ଡିଜିପି: ଓଡ଼ିଶା କ୍ୟାଡର୍‌ ଆଇପିଏସ୍‌ ଅଭୟ