ସମଲେଶ୍ୱରୀ ଏକ୍ସପ୍ରେସ୍‌ ଜଳିଯିବା ଘଟଣା; ନିରାପତ୍ତା ବିଭାଗର ତନାଘନା

ରାୟଗଡ଼ା,୨୬ା୬(ଆପ୍ର): ସିଙ୍ଗାପୁର ରୋଡ୍‌ ଏବଂ କେଉଟଗୁଡ଼ା ଷ୍ଟେସନ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହାୱଡ଼ା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ ଜଳିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି । ପୂର୍ବତଟ ରେଳପଥର ଉପମୁଖ୍ୟ ନିରାପତ୍ତା ଅଧିକାରୀ ସରୋଜ ସାହୁଙ୍କ ନେତୃତ୍ୱରେ ଏକ ୧୦ ଜଣିଆ ଟିମ୍‌ ଭୁବନେଶ୍ୱରରୁ ଆସି ଆଜି ତନାଘନା କରିଛି । ଏହି ଟିମ୍‌ ରାୟଗଡ଼ା ଷ୍ଟେସନରେ ଅନୁଧ୍ୟାନ କରିବା ପରେ ଘଟଣାସ୍ଥଳକୁ ଯାଇଥିଲା । ଘଟଣାସ୍ଥଳ ପରିଦର୍ଶନ କରିବା ପରେ କେଉଟଗୁଡ଼ା ଏବଂ ସିଙ୍ଗାପୁର ରୋଡ ରେଳଷ୍ଟେସନକୁ ଯାଇ ଅନୁସନ୍ଧାନ କରିଛି । ମଙ୍ଗଳବାର ଦୁର୍ଘଟଣା ସମୟରେ ଯେଉଁ କର୍ମଚାରୀମାନେ ଡ୍ୟୁଟିରେ ଥିଲେ, ସେମାନଙ୍କୁ ଡାକି ପୃଥକ୍‌ ପୃଥକ୍‌ ପଚରାଉଚରା କରାଯାଇଛି । କେଉଁଭଳି ତ୍ରୁଟି ଯୋଗୁ ଏତେ ବଡ଼ ଦୁର୍ଘଟଣା ଘଟିଲା, ତାହାର ସତ୍ୟାସତ୍ୟ ଜାଣିବାକୁ ଉଦ୍ୟମ କରିଛନ୍ତି ଟିମ୍‌ର ଅଧିକାରୀମାନେ । ଦୁର୍ଘଟଣାର ୧୬ ଘଣ୍ଟା ପରେ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ ହୋଇଛି ।

ଅନ୍ୟପକ୍ଷରେ କୋଲକାତାର ନିରାପତ୍ତା କମିଶନଙ୍କ କାର୍ଯ୍ୟାଳୟରୁ ଆଉ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଆସୁଛି । ଏହି ଦଳ ପହଞ୍ଚିବା ପରେ ତଦନ୍ତ ପ୍ରକ୍ରିୟା ଆଗକୁ ବଢ଼ିବ । ମଙ୍ଗଳବାର ଦୁର୍ଘଟଣା ପରେ ବିଳମ୍ବିତ ରାତିରେ ରାୟଗଡ଼ାରେ ପହଞ୍ଚିଥିଲେ ବିଶାଖାପାଟନମ୍‌ ଡିଭିଜନର ଡିଆର୍‌ଏମ୍‌ ଚେତନ ଶ୍ରୀବାସ୍ତବ । ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହ ରାତିତମାମ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ । ଆଜି ସକାଳେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ସହ ଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ ୩ କର୍ମଚାରୀଙ୍କ ପରିବାରକୁ ଭେଟିଥିଲେ । ଜିଲ୍ଲାପାଳ ଶ୍ରୀ ବେହେରା ଓ ଡିଆରଏମ୍‌ ଶ୍ରୀ ଶ୍ରୀବାସ୍ତବ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ଏହାପରେ ଡିଆର୍‌ଏମ୍‌ ଡ୍ୟୁଟିରେ ଥିବା ରେଳ କର୍ମଚାରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିବା ସହ ଏଭଳି ତ୍ରୁଟିକୁ କ୍ଷମା ଦିଆଯିବ ନାହିଁ ବୋଲି କହିଥିଲେ । ରାୟଗଡ଼ା ଷ୍ଟେସନରେ ଅନୁଷ୍ଠିତ ଏକ ବୈଠକରେ ସେ ଏଭଳି ମନ୍ତବ୍ୟ ଦେବା ସହ ହଜାର ହଜାର ଲୋକଙ୍କ ସୁରକ୍ଷା ଦାୟିତ୍ୱ ନେଇଥିବା ବିଭାଗୀୟ କର୍ମଚାରୀମାନେ ଯେଉଁ ଖାମଖିଆଲ କାର୍ଯ୍ୟ କରିଛନ୍ତି, ତାକୁ ବରଦାସ୍ତ କରାଯିବନି ବୋଲି ଚେତାବନୀ ଦେଇଥିଲେ । ପରେ ଡିଭିଜନାଲ ଟ୍ରାଫିକ ଇନ୍‌ସପେକ୍ଟର ସନ୍ତୋଷ କୁମାର ବେହେରାଙ୍କୁ ବିଭିନ୍ନ ପ୍ରଶ୍ନ କରାଯାଇ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି । ଶ୍ରୀ ବେହେରାଙ୍କୁ ନିଲମ୍ବନ କରାଯାଇଥିବା ରାୟଗଡ଼ା ଷ୍ଟେସନ ମାଷ୍ଟର ପ୍ରତାପ ଚନ୍ଦ୍ର ସେଠୀ କହିଛନ୍ତି । କିନ୍ତୁ ବିଭାଗ ପକ୍ଷରୁ ଏ ସଂପର୍କରେ ବିଧିବଦ୍ଧ ଘୋଷଣା କରାଯାଇନି ।

ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହେବା ପଛରେ ରହିଛି ମାନବୀୟ ତ୍ରୁଟି । ଡ୍ୟୁଟିରେ ଥିବା କର୍ମଚାରୀଙ୍କ ତ୍ରୁଟି ଲାଗି ଏଭଳି ଅଘଟଣ ଘଟିଲା । ଫଳରେ ୩ କର୍ମଚାରୀଙ୍କ ମୃତ୍ୟୁ ହେବା ସହ ରେଳ ବିଭାଗର ବ୍ୟାପକ କ୍ଷତି ଘଟିଲା । ଏଭଳି ପ୍ରତିକ୍ରିୟା ଦେଇଛନ୍ତି ରାୟଗଡ଼ା ଷ୍ଟେସନ ମାଷ୍ଟର ପ୍ରତାପ ଚନ୍ଦ୍ର ସେଠୀ । ଆଜି ଘଟଣାସ୍ଥଳରେ ଗଣମାଧ୍ୟମକୁ ବିଭିନ୍ନ ସୂଚନା ଦେବା ସହ ଡ୍ୟୁଟିରେ ଥିବା କର୍ମଚାରୀଙ୍କ ଅବହେଳାର ଗୁମର ଖୋଲିଛନ୍ତି । ସେ କହିଛନ୍ତି, ଯେଉଁ କର୍ମଚାରୀମାନେ ମଙ୍ଗଳବାର ଦାୟିତ୍ୱରେ ଥିଲେ, ସେମାନଙ୍କ ମଧ୍ୟରେ ଠିକ୍‌ରେ ସୂଚନା ଆଦାନ ପ୍ରଦାନ ହୋଇନଥିଲା । ଯଦ୍ୱାରା ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଲା ।

ଅନ୍ୟପକ୍ଷରେ ଦୁର୍ଘଟଣାଗ୍ରସ୍ତ ସମଲେଶ୍ୱରୀ ଏକ୍ସପ୍ରେସର ଇଞ୍ଜିନକୁ ସିଙ୍ଗାପୁର ରୋଡ଼ ଏବଂ ଟାୱାର କାର୍‌ (ବିଦ୍ୟୁତ୍‌ ମରାମତି କରୁଥିବା ଟ୍ରେନ)ର ଇଞ୍ଜିନକୁ କେଉଟଗୁଡ଼ା ଷ୍ଟେସନକୁ ନିଆଯାଇଛି । ଏହି ଦୁଇ ପୋଡ଼ା ଇଞ୍ଜିନକୁ ଘଟଣାସ୍ଥଳରୁ ସ୍ଥାନାନ୍ତର କରାଯିବା ପରେ କୋରାପୁଟ-ରାୟଗଡ଼ା ରେଳପଥରେ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ ହୋଇଛି । ଦୁର୍ଘଟଣାର ପ୍ରାୟ ୧୬ ଘଣ୍ଟା ପରେ ଏହି ରୁଟ୍‌ରେ ରେଳ ଚଳାଚଳ କରିଛି । ଉଦ୍ଧାର ଓ ମରାମତି କାର୍ଯ୍ୟ ଶେଷ ପରେ ପ୍ରଥମ ଟ୍ରେନ୍‌ ଭାବେ ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍‌ ସକାଳ ୯ଟାରେ ଯାତ୍ରା ଆରମ୍ଭ କରିଥିଲା । ପ୍ରଥମ ଟ୍ରେନ୍‌ ହୋଇଥିବାରୁ ଅତ୍ୟନ୍ତ ସତର୍କତାର ସହ ଏହା ଯାତ୍ରା କରିଥିବା ନଜରକୁ ଆସିଥିଲା ।

ସୂଚନାଥାଉକି, ମଙ୍ଗଳବାର ଟାୱାର କାର୍‌ରେ ସିଙ୍ଗାପୁର ରୋଡ ଷ୍ଟେସନରୁ ଯାଇ ୭ ଜଣ କର୍ମଚାରୀ ବିଦ୍ୟୁତ୍‌ ମରାମତି କାର୍ଯ୍ୟ କରୁଥିଲେ । ଏହି ସମୟରେ ସେହି ଟ୍ରାକରେ ହିଁ ସମଲେଶ୍ୱରୀ ଏକ୍ସପ୍ରେସକୁ ଛାଡ଼ି ଦିଆଯାଇଥିଲା । ସିଙ୍ଗାପୁର ରୋଡ୍‌ ଷ୍ଟେସନଠାରୁ ମାତ୍ର ୫ କିଲୋମିଟର ଦୂରରେ ଟାୱାର କାର୍‌କୁ ଧକ୍କା ଦେଇଥିଲା ସମଲେଶ୍ୱରୀ ଏକ୍ସପ୍ରେସ୍‌ । ଦୁର୍ଘଟଣା ପରେ ଉଭୟ ଟ୍ରେନ ଲାଇନ୍‌ଚ୍ୟୁତ ହୋଇ ଜଳିଯାଇଥିଲା । ଏଥିରେ ଟାୱାର୍‌ କାର୍‌ର ୩ କର୍ମଚାରୀ ପ୍ରାଣ ହରାଇଥିଲେ ଏବଂ ଜଣେ ଆହତ ହୋଇଥିଲେ ।

   ସମ୍ବନ୍ଧିତ ଖବର


ଟାପୁରେ ଫଶିଲେ ଶହ ଶହ ମାଙ୍କଡ : ୫ଦିନ ପରେ ଜଳ ଭଣ୍ଡାରରୁ ଜଳ ନିଷ୍କାସନ ଆରମ୍ଭ କରିଛି ବନବିଭାଗ

ଅଲଗା ଜାତି ବୋଲି ଶବ ସତ୍କାର ପାଇଁ ମିଳିଲାନି ଶ୍ମଶାନ, ଟ୍ରାକ୍ଟରରେ ନେଇ ଜଙ୍ଗଲରେ ପୋତିଦେଲା ସ୍ୱାମୀ

ଟୋକନ ବ୍ୟବସ୍ଥାକୁ ନେଇ ତେଜୁଛି ଚାଷୀ ଆନ୍ଦୋଳନ : ରାସ୍ତାରେ ଧାନ ଢ଼ାଳି ଚାଷୀଙ୍କ ବିକ୍ଷୋଭ

ଗେମ୍‌ ଖେଳୁଥିବା ସମୟରେ ମୋବାଇଲ୍‌ ବ୍ୟାଟେରି ଫାଟି ଦୁଇ ଭାଇ ଗୁରୁତର