ଚାଲିଲା ସମଝୌତା ଏକ୍ସପ୍ରେସ୍: ୧୨ ଯାତ୍ରୀ ଗଲେ ପାକିସ୍ତାନ, ୧୫୦ ଫେରିଲେ

ନୂଆଦିଲ୍ଲୀ,୪।୩:ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍ ପରେ ଭାରତରୁ ପାକିସ୍ତାନ ଯାଉଥିବା ଏକମାତ୍ର ସମଝୌତା ଏକ୍ସପ୍ରେସକୁ ରୋକି ଦିଆଯାଇଥିଲା। ତେବେ ଗତ ରବିବାର ଏହି ଟ୍ରେନ ଚଳାଚଳ ଆରମ୍ଭ କରିଛି। ୯ କୋଚ ବିଶିଷ୍ଟ ଏହି ଟ୍ରେନ ସୋମବାର ଅଟାରୀ ଷ୍ଟେସନରେ ପହଁଞ୍ଚିଛି। ଭାରତରୁ ମାତ୍ର ୧୨ଜଣ ଯାତ୍ରୀ ପାକିସ୍ତାନ ଯାଇଛନ୍ତି। ଏହି ସମସ୍ତ ଯାତ୍ରୀ ପାକିସ୍ତାନର ବୋଲି ଜଣାପଡିଛି। ସମସ୍ତ ଯାତ୍ରୀଙ୍କୁ ଯାଞ୍ଚ କରାଯିବା ସହିତ ଡଗ୍ ସ୍କ୍ବାର୍ଡ ଦ୍ବାରା ତାଙ୍କର ଆସବାପତ୍ରର ଯାଞ୍ଚ କରାଯାଇଥିଲା। ସେଭଳି ରେଡିଓ ପାକିସ୍ତାନର ଖବର ଅନୁସାରେ ପ୍ରାୟ ୧୫୦ ଯାତ୍ରୀଙ୍କୁ ନେଇ ସମଝୌତା ଏକ୍ସପ୍ରେସ୍ ଲାହୋରରୁ ଭାରତ ଅଭିମୁଖେ ଗସ୍ତ କରିଛି। ଏହି ଟ୍ରେନ ଭାରତରୁ ସପ୍ତାହରେ ୨ ଦିନ ପାକିସ୍ତାନ ଅଭିମୁଖେ ଯାଇଥାଏ।