ସାମସନ୍‌, ସ୍ମିଥ୍‌ଙ୍କ ଛକା ବର୍ଷା

ସାରଜା : ଚଳିତ ଆଇପିଏଲ୍‌ର ଚତୁର୍ଥ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ବ୍ୟାଟ୍ସମ୍ୟାନ୍‌ଙ୍କ ଆଧିପତ୍ୟ ଦେଖିବାକୁ ମିଳିଛି । ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ବିପକ୍ଷ ଏହି ମ୍ୟାଚ୍‌ରେ ରୟାଲ୍ସ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍‌ ହରାଇ ୨୧୬ ରନ୍‌ କରିଥିଲା । ସଞ୍ଜୁ ସାମସନ୍‌, ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ ଓ ଜୋଫ୍ରା ଆର୍ଚର ମିଳିତ ଭାବେ ୧୯ଟି ଛକା ମାରିଥିଲେ । ସାମସନ୍‌ ୭୪ (୯ଛକା), ସ୍ମିଥ୍‌ ୬୯ (୪ଛକା) ଓ ଆର୍ଚର ଅପରାଜିତ ୨୭ (୪ଛକା) ରନ୍‌ କରିଥିଲେ । ଜବାବରେ ସିଏସ୍‌କେ ୯ ଓଭର ଶେଷ ସୁଦ୍ଧା ୪ ୱିକେଟ୍‌ ହରାଇ ୭୭ ରନ୍‌ ସଂଗ୍ରହ କରିଛି । ଡୁପ୍ଲେସି ୪ ରନ୍‌ କରି ଅପରାଜିତ ଅଛନ୍ତି ।

ସାରଜା କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚ୍‌ରେ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ସିଏସ୍‌କେ । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ରୟାଲ୍ସ ପକ୍ଷରୁ ସ୍ମିଥ୍‌ଙ୍କ ସହ ଇନିଂସ୍‌ ଓପନ କରିଥିଲେ ଯୁବ ବ୍ୟାଟିଂ ବିସ୍ମୟ ଯସଶ୍ୱୀ ଜୈସ୍ୱାଲ । ପଦାର୍ପଣ ମ୍ୟାଚ୍‌ରେ ସେ ମାତ୍ର ୬ରନ୍‌ କରି ପାଭିଲିୟନ ଫେରିଥିଲେ । ୩ନଂ ସ୍ଥାନରେ ଆସିଥିଲେ ସାମସନ୍‌ । ସେ ପଡ଼ିଆକୁ ଆସିବା ମାତ୍ରେ ସିଏସ୍‌କେ ବୋଲରଙ୍କୁ ଧୂଲେଇ କରିଥିଲେ । ଛକା ଓ ଚୌକା ବର୍ଷା କରି ସ୍କୋରକୁ ଦ୍ରୁତ ବେଗରେ ଆଗେଇ ନେଇଥିଲେ । ମାତ୍ର ୧୯ଟି ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିଲେ ସାମସନ୍‌ । ଯେଉଁଥିରେ ୬ଟି ଛକା ଓ ଗୋଟିଏ ଚୌକା ସାମିଲ ଥିଲା । ଅନ୍ୟ ପଟରେ ସ୍ମିଥ୍‌ ମଧ୍ୟ ଧୂଆଁଧାର ବ୍ୟାଟିଂ କରିଥିଲେ । ଉଭୟଙ୍କ ସାମ୍ନାରେ ସିଏସ୍‌କେ ବୋଲରଙ୍କ ସମସ୍ତ ରଣନୀତି ଫେଲ୍‌ ମାରିଥିଲା । ଦ୍ୱିତୀୟ ୱିକେଟ୍‌ରେ ଶତକୀୟ ଭାଗିଦାରୀ ଗଠନ ହୋଇଥିଲା ।

ଦ୍ୱାଦଶତମ ଓଭରରେ ପେସ୍‌ ବୋଲର ଦୀପକ ଚହର ସେଟ୍‌ ବ୍ୟାଟ୍ସମ୍ୟାନ୍‌ ସାମସନ୍‌ଙ୍କୁ ପାଭିଲିୟନ ପଠାଇ ଯୋଡ଼ି ଭାଙ୍ଗିଥିଲେ । ସାମସନ୍‌ ୩୨ବଲ୍‌ରୁ ୧ ଚୌକା ଓ ୯ ଛକା ସହାୟତାରେ ୭୪ ରନ୍‌ ସଂଗ୍ରହ କରିଥିଲେ । ୪ନଂ ସ୍ଥାନରେ ଆସିଥିବା ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍‌ ଡେଭିଡ୍‌ ମିଲର ଖାତା ଖୋଲିବା ପୂର୍ବରୁ ରନ୍‌ଆଉଟ୍‌ ହୋଇଥିଲେ । ସେଟ୍‌ ବ୍ୟାଟ୍ସମ୍ୟାନ୍‌ ସ୍ମିଥ୍‌ ୩୫ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିଲେ ।

ମଧ୍ୟଭାଗରେ ନିୟମିତ ୱିକେଟ୍‌ ପତନ ଯୋଗୁ ରନ୍‌ ଗତି ଧିମେଇ ଯାଇଥିଲା । ରବିନ୍‌ ଉଥପ୍ପା (୫), ରାହୁଲ ତେୱାତିଆ (୧୦) ଓ ରିୟାନ୍‌ ପରାଗ (୬) ସହଳ ପାଭିଲିୟନ ଫେରିଥିଲେ । ୧୯ତମ ଓଭରରେ ସ୍ମିଥ୍‌ ବ୍ୟକ୍ତିଗତ ୬୯ (୪୭ବଲ୍‌, ୪ଚୌକା, ୪ଛକା) ରନ୍‌ କରି ଆଉଟ୍‌ ହୋଇଥିଲେ । ତେବେ ଜୋଫ୍ରା ଆର୍ଚର ଓ ଟମ୍‌ କୁରାନ ଅନ୍ତିମ ଓଭରରେ ୩୦ ରନ୍‌ ସଂଗ୍ରହ କରିବାରୁ ଦଳୀୟ ସ୍କୋର ୭/୨୧୬ରେ ପହଞ୍ଚି ଯାଇଥିଲା । ରୟାଲ୍ସ ଚଳିତ ସିଜନରେ ପ୍ରଥମ ଦଳ ଭାବେ ୨୦୦ରନ୍‌ ଅତିକ୍ରମ କରିଥିଲା । ଆର୍ଚର ୮ବଲ୍‌ରୁ ୪ ଛକା ସହ ଅପରାଜିତ ୨୭ ଓ କୁରାନ ୧୦ରନ୍‌ କରି ଅପରାଜିତ ଥିଲେ । ସିଏସ୍‌କେର କୁରାନ ସର୍ବାଧିକ ୩ଟି ୱିକେଟ୍‌ ନେଇଥିଲେ ।

   ସମ୍ବନ୍ଧିତ ଖବର


ଦେଶ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ : ଆମେ ଭୁଲିବା ନାହିଁ ଲକ୍‌ଡାଉନ୍‌ ଚାଲିଯାଇଛି ଭାଇରସ୍‌ ନୁହେଁ – ପ୍ରଧାନମନ୍ତ୍ରୀ

ସମ୍‌ କୋଭିଡ ହସ୍ପିଟାଲ୍‌ରେ କରୋନାରୁ ସୁସ୍ଥ ହେଲେ ୯୦ ବର୍ଷୀୟ କ୍ୟାନ୍ସର ପୀଡିତ

ସମ୍‌ରେ ନୂତନ ରେନାଲ୍‌ ପାଥୋଲୋଜି ବିଭାଗର ମାଇକ୍ରୋସ୍କୋପ୍‌ ଯନ୍ତ୍ର ଉଦ୍‌ଘାଟିତ

ଆଜି ଜନ୍ମଦିନ: କ୍ରିକେଟ ଖେଳିବାକୁ ମନା କରିଥିଲେ ବାପା, ପୁଅ ହେଲା ଭାରତର ଷ୍ଟାର କ୍ରିକେଟର

ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କର ବାର୍ତ୍ତା, ପାର୍ବଣ ସମୟରେ କରୋନା କଟକଣା ମାନିବା ପାଇଁ ଦେଲେ ପରାମର୍ଶ

IPL-2020: ଆଜି କିଙ୍ଗ୍‌ସ ଏକାଦଶ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ସଂଘର୍ଷପୂର୍ଣ୍ଣ ମ୍ୟାଚ୍