ଏସ୍‌ସିବି ଡେଷ୍ଟିଚ୍ୟୁଟ୍‌ ୱାର୍ଡରେ ରୋଗୀଙ୍କୁ ମାଡ଼! ଠେଙ୍ଗାରେ ପିଟିବା ଦୃଶ୍ୟ ଭାଇରାଲ୍‌

କଟକ ୧୫/୧: ଏସ୍‌ସିବି ଡାକ୍ତରଖାନାରେ ଅସହାୟ ରୋଗୀଙ୍କୁ ଦେଖାଶୁଣା କରିବା ପାଇଁ ମୁଣ୍ଡ ପିଛା ୮ ଘଣ୍ଟାକୁ ଘରୋଇ ସଂସ୍ଥା ନେଉଛି ୨ ଶହ ଟଙ୍କା । ମାତ୍ର ଅସହାୟ ରୋଗୀଙ୍କୁ ସେବା ବଦଳରେ ମିଳୁଛି ଘୋର ନିର୍ଯାତନା । ନିରାଶ୍ରୟଙ୍କୁ ଦେଖାଶୁଣା କରିବା ପାଇଁ ନିୟୋଜିତ ସଂସ୍ଥାର କର୍ମଚାରୀ ଅସହାୟଙ୍କୁ ସେବା ଯୋଗାଇଦେବା ବଦଳରେ ଠେଙ୍ଗାରେ ପିଟିବା ଭଳି ଅଭାବନୀୟ ଦୃଶ୍ୟ ଭାଇରାଲ୍‌ ହେଉଛି । ନିରାଶ୍ରୟ ରୋଗୀଙ୍କୁ ଠେଙ୍ଗାରେ ମାଡ଼ ମାରିବା ଓ ଗାଳିମନ୍ଦ କରିବା ଆଦି ନିର୍ଯାତନାର ଭିଡିଓ ଭାଇରାଲ୍‌ ହେବା ଘଟଣାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ରୋଗୀଙ୍କୁ ଠେଙ୍ଗାରେ ପିଟିବା ଏବଂ ନିର୍ଯାତନା ଦେବା ଘଟଣା ସମ୍ପର୍କରେ ଏସ୍‌ସିବି ଡାକ୍ତରଖାନା ଅଧୀକ୍ଷକ କାର୍ଯ୍ୟାନୁଷ୍ଠାନ ନେବା ତ ଦୂରର କଥା ସ୍ୱେଚ୍ଛାସେବୀମାନଙ୍କ ଅଭିଯୋଗ ଶୁଣିବାକୁ ମଧ୍ୟ ପ୍ରସ୍ତୁତ ନଥିବା ଅଭିଯୋଗ ହୋଇଛି । ମାତ୍ର ଉକ୍ତ ଘଟଣା ସମ୍ପର୍କରେ ଡାକ୍ତରଖାନା ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରାଙ୍କ ନିକଟରେ ଦୃଷ୍ଟି ଆକର୍ଷଣ କରାଯିବା ପରେ ଉକ୍ତ ଘଟଣାରେ ତଦନ୍ତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନାନୁସାରେ, ଏସ୍‌ସିବିରେ ବିଭିନ୍ନ ଆଡୁ ଉଦ୍ଧାର ହୋଇ ଚିକିତ୍ସା ପାଇଁ ଆସୁଥିବା ଅସହାୟ ତଥା ନିରାଶ୍ରୟ ରୋଗୀଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ନମିଳିବାରୁ ଉକ୍ତ ଘଟଣାକୁ ନେଇ ବିଭିନ୍ନ ସମୟରେ ତୁମ୍ବିତୋଫାନ ହେବାରୁ ତତ୍‌କାଳୀନ ଡାକ୍ତରଖାନା ଅଧୀକ୍ଷକ ପ୍ରଫେସର ପି.କେ ଦେବତା ମେଡିସିନ୍‌, ସର୍ଜରୀ, ନ୍ୟୁରୋସର୍ଜରୀ, ଅର୍ଥୋପେଡିକ୍‌ ଆଦି ବିଭାଗରେ ୨ ବର୍ଷ ତଳେ ସ୍ୱତନ୍ତ୍ର ନିରାଶ୍ରୟ ୱାର୍ଡର ବନ୍ଦୋବସ୍ତ କରିଥିଲେ । ବ୍ୟବସ୍ଥା ଥିଲା ଅସହାୟ ରୋଗୀମାନଙ୍କୁ ଦେଖାଶୁଣା କରିବା ପାଇଁ ନିୟୋଜିତ ଥିବା ଘରୋଇ ସଂସ୍ଥାର କର୍ମୀମାନେ ନିରାଶ୍ରୟ ୱାର୍ଡ ମଧ୍ୟରେ ସିଫ୍ଟ ଅନୁସାରେ ଡ୍ୟୁଟିରେ ରୋଗୀଙ୍କୁ ସେବା ପ୍ରଦାନ କରିବେ । ମାତ୍ର ଏସବୁ ବ୍ୟବସ୍ଥା ଏବେ କାଗଜ କଲମରେ ଚାଲିଛି । ଅସହାୟ ରୋଗୀଙ୍କୁ ସେବା ଯୋଗାଇ ଦେବା ନାଁରେ ବର୍ଷକୁ ଲକ୍ଷାଧିକ ଟଙ୍କା ଡାକ୍ତରଖାନା କର୍ତ୍ତୃପକ୍ଷ ଖର୍ଚ୍ଚ କରୁଥିଲା ବେଳେ ତାହା କେବଳ ବାଟମାରଣା ହିଁ ହେଉଥିବା ଅଭିଯୋଗ ହେଉଛି ।

ସର୍ଜରୀ ୱାର୍ଡରେ ନିରାଶ୍ରୟ ୱାର୍ଡରେ ଅସହାୟ ରୋଗୀଙ୍କୁ କେମିତି ଚିକିତ୍ସାସେବା ମିଳୁଛି ତାହାର ପ୍ରମାଣ ଏବେ ସୋସିଆଲ୍‌ ମିଡିଆରେ ହେଉଥିବା ଭିଡିଓ ଭାଇରାଲ୍‌ରୁ ପ୍ରମାଣ ମିଳିଛି । ନିୟୋଜିତ ଥିବା ଘରୋଇ ସଂସ୍ଥାର ଦୁଇ ଜଣ ମହିଳା କର୍ମୀ କେତେକ ଅସହାୟ ରୋଗୀ ସମେତ ପୋକସାଲୁବାଲୁ ଅବସ୍ଥାରେ ଥିବା ଜଣେ ଗୁରୁତର ରୋଗୀଙ୍କୁ ଠେଙ୍ଗାରେ ପିଟିବା ସହ ଗାଳିମନ୍ଦ ଓ ଧମକଚମକ ଦେଉଥିବା ଜଣାଯାଇଛି । ଅସହାୟ ରୋଗୀଙ୍କୁ ସେବା ବଦଳରେ ନିର୍ଦୟ ଭାବେ ମାଡ଼ ମାରିବା ଘଟଣା ନିକଟରେ ଚିକିତ୍ସିତ ହେଉଥିବା ଅନ୍ୟ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ମହଲରେ ପ୍ରତିକ୍ରିୟା ସୃଷ୍ଟି କରିଛି । ରୋଗୀଙ୍କୁ ଠେଙ୍ଗାରେ ପିଟିବା ଘଟଣାର ପ୍ରମାଣ ସର୍ବସାଧାରଣରେ ଭାଇରାଲ ହେଉଥିବା ବେଳେ ଉକ୍ତ ଘଟଣାରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବା ଘଟଣା ଦୁର୍ଭାଗ୍ୟଜନକ ଘଟଣା ବୋଲି ରୋଗୀ ସମ୍ପର୍କୀୟମାନେ କହିଛନ୍ତି ।

   ସମ୍ବନ୍ଧିତ ଖବର


ନର୍ସ ନିହାରିକା ହତ୍ୟାକାଣ୍ଡ ମାମଲା: ୧୩୦ ପୃଷ୍ଠା ସମ୍ବଳିତ ଚୂଡ଼ାନ୍ତ ଚାର୍ଜସିଟ୍‌ ଦାଖଲ

ପନିକିରେ ସ୍ତ୍ରୀର ତଣ୍ଟି କାଟି ହତ୍ୟା କଲା ସ୍ବାମୀ

୩୦ ଲକ୍ଷର ବ୍ରାଉନ୍‌ସୁଗର ଜବତ, ୨ ମାଫିଆ ଗିରଫ

କାର୍ଯ୍ୟକ୍ଷମ ହେଲା ଭର୍ଚୁଆଲ ପୁଲିସ ଷ୍ଟେସନ: ଏଣିକି ଅନ୍‌ଲାଇନରେ ଗାଡ଼ି ଚୋରି ଏତଲା