ଗଞ୍ଜାମରେ ଲଗାଣ ବର୍ଷା; ଜଳବନ୍ଦୀ, ସେତୁ ଓ ଘର ଭାଙ୍ଗିଲା, ଆଜି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ଗୁରୁବାର ଦିନତମାମ ହାରାହାରି ୯୮.୧୧ ମିମି ବର୍ଷା ହୋଇଛି । ବୁଧବାର ରାତିରୁ ଆରମ୍ଭ ହୋଇଥିବା ମୂଷଳ ଧାରା ବର୍ଷା ଗୁରୁବାର ସାରା ଦିନ ଲାଗି ରହିଥିଲା । ଫଳରେ ବ୍ରହ୍ମପୁର, ଛତ୍ରପୁର, ଆସିକା, ଭଞ୍ଜନଗର, କବିସୂର୍ଯ୍ୟନଗର ଆଦି ବିଭିିନ୍ନ ସହରରେ ସୃଷ୍ଟି ହୋଇଥିଲା କୃତ୍ରିମ ବନ୍ୟା ପରିସ୍ଥିତି । ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇଥିବା ବେଳେ ବହୁ ସ୍ଥାନରେ ରାସ୍ତା ଉପରେ ପାଣି ପ୍ରବାହିତ ହେଉଥିବା ଖବର ମିଳିଛି । ଶୁକ୍ରବାର ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ଡିଇଓ ଡ. ସନାତନ ପଣ୍ଡା ସୂଚନା ଦେଇଛନ୍ତି । ଶିକ୍ଷକମାନେ ବିଦ୍ୟାଳୟକୁ ଆସିବେ । ଆବଶ୍ୟକ ସ୍ଥଳେ ସ୍କୁଲରେ ବନ୍ୟା ବିପନ୍ନ ଲୋକ ଆଶ୍ରୟ ନେବେ ବୋଲି କହିଛନ୍ତି । ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ମଧ୍ୟ ସେଭଳି ନିର୍ଦ୍ଦେଶ ଦିଆଯାଇଛି ।

ଆସିକା ବ୍ଲକ୍‌ରେ ସର୍ବାଧିକ ୧୨୯.୬ ମିମି, ଶେରଗଡ଼ ବ୍ଲକ୍‌ରେ ୧୧୨, କବିସୂର୍ଯ୍ୟନଗର ବ୍ଲକ୍‌ରେ ୧୧୧.୫, ହିଞ୍ଜିଳିକାଟୁରେ ୧୦୫ ଓ ସୋରଡ଼ା ବ୍ଲକ୍‌ରେ ୧୦୩. ୫ ମିମି ବର୍ଷା ରେକର୍ଡ କରାଯାଇଛି । ଫଳରେ ସ୍ୱାଭାବିକ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଥିଲା । ବିଭିନ୍ନ ବ୍ଲକ୍‌ରେ ଚାଷଜମି ଜଳମଗ୍ନ ହୋଇଛି । କେତେକ ଗ୍ରାମରେ ଲୋକେ ଜଳବନ୍ଦୀ ହୋଇଛନ୍ତି । ବୁଦେ୍ଧଶ୍ୱର ମନ୍ଦିର ନିକଟରେ ପୋଚକା ନାଳ ସେତୁ ଭାଙ୍ଗିଯିବା ଫଳରେ ଆସିକା-ଦିଗପହଣ୍ଡି ରାସ୍ତାରେ ଯାତାୟାତ ଠପ୍‌ ହୋଇଯାଇଛି । ପାହାଡ଼ର ବର୍ଷା ଜଳ ଓ ରଘୁନାଥ ସାଗର ପାଣି ନାଳରେ ପ୍ରବାହିତ ହେବାରୁ ଗୁରୁବାର ସନ୍ଧ୍ୟା ୬ଟା ୩୦ରେ କଲଭର୍ଟ ଭାସି ଯାଇଥିଲା । ତିନି ଜଣ ଯୁବକ ବାଇକ୍‌ ଯୋଗେ ଜୁରା ଗ୍ରାମରୁ ଆସୁଥିବା ସମୟରେ ନଦୀରେ ହଠାତ୍‌ ବନ୍ୟାରେ ଭାସି ଯାଇଥିଲେ । ସେମାନେ ନଦୀ ଉପରେ ଯାଇଥିବା କେବୁଲ ତାର ଧରି କୌଣସିମତେ ଜୀବନ ବଞ୍ଚାଇଥିଲେ । ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରିଥିଲେ । ପଳାଶପୁର-ଡେଙ୍ଗାଉସ୍ତା ରାସ୍ତାର ସିଙ୍ଗିପୁର ଠାରେ ଥିବା ଶୁଳିଆ ନାଳ ସେତୁ ଉପରେ ୩ ଫୁଟ ଉଚ୍ଚତାର ବନ୍ୟା ପାଣି ପ୍ରବାହିତ ହେଉଛି । ପାଟପୁର ନୋଡାଲ୍‌ ପ୍ରାଥମିକ ସ୍କୁଲ, ଡେଙ୍ଗାଡ଼ି ଶ୍ୟାମସୁନ୍ଦର ହାଇସ୍କୁଲରେ ପାଣି ଭରିଯାଇଛି ।

କବିସୂର୍ଯ୍ୟନଗର ମୁଖ୍ୟ ରାସ୍ତାସ୍ଥିତ ବନଦେବୀ ମନ୍ଦିର ବର୍ଷାଜଳ ଘେରରେ ରହିଛି । ଗଞ୍ଜାମ-କବିସୂର୍ଯ୍ୟନଗର ଚମ୍ପେଇପୁର ଗାଁ ଠିକିରି ନାଳ ଉପରେ ବର୍ଷାଜଳ ପ୍ରବାହିତ ହେଉଛି । ଧନେଇ ନଦୀର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଅନେକ ଚାଷ ଜମି ଜଳମଗ୍ନ ହୋଇଛି । ହିଞ୍ଜିଳିକାଟୁ ନିକଟରେ ଘୋଡ଼ାହାଡ଼ ଓ ଋଷିକୁଲ୍ୟା ନଦୀ ଜଳସ୍ତର ବୃଦ୍ଧି ପାଇଛି । କଞ୍ଚୁରୁ, ବେଲଗାଁ ଓ ଶିକିରିରେ କିଛି ଘରେ ପାଣି ପଶିଥିବା ବେଳେ କେତେକ ଘର ଭୁଶୁଡ଼ି ପଡ଼ିଥିବା ଖବର ମିଳିଛି । ହିଞ୍ଜିଳିକାଟୁ ନିକଟ ସୋମପୁର, ପୋଚିଲିମା, ରାମଚନ୍ଦ୍ରପୁର ଓ ପୋଡ଼ିଙ୍ଗୀ ଠାରେ ଜାତୀୟ ରାଜପଥ-୫୯ ଉପରେ ୨ରୁ ୪ ଫୁଟ ପାଣି ବୋହିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ହିଞ୍ଜିଳି ସହରର ତଳିଆ ଅଞ୍ଚଳର ଲୋକେ ଜଳବନ୍ଦୀ ରହିଛନ୍ତି ।

ଭଞ୍ଜନଗର ସହର ଓ ଆଖାପାଖ ଅଞ୍ଚଳ ଅବସ୍ଥା ସଙ୍ଗିନ୍‌ ରହିଛି । ଋଷିକୁଲ୍ୟାରେ ବନ୍ୟାଜଳ ପ୍ରବାହିତ କାରଣରୁ ଧରାକୋଟ ଦେଇ ଯାଇଥିବା ଜାତୀୟ ରାଜପଥରେ ଶରଧାପୁର ଠାରେ ରାସ୍ତା ଉପରେ ପାଣି ବୋହୁଛି । ଜାନିବିଲି ଆନିକଟ ନିକଟରେ ଋଷିକୁଲ୍ୟା ଜଳସ୍ତର ୧୩ ଫୁଟ ଊଦ୍ଧ୍ୱର୍ରେ ପ୍ରବାହିତ ହେଉଛି । ବଡ଼ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଆସିକା ସହରର ଡିପଲ୍‌ ସ୍କୁଲ ନିକଟରେ ବର୍ଷାଜଳ ରାସ୍ତା ଉପରେ ଚାଲିଛି । ଆସିକା ଜନସାଧାରଣ ପୁଣି ବନ୍ୟା ଆଶଙ୍କାରେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ପାତ୍ରପୁର ତହସିଲ ଅଞ୍ଚଳରେ ଥିବା ବାଘଲଟି ଜଳଭଣ୍ଡାର ପୂର୍ଣ୍ଣ ଜଳଧାରଣ କଲେ ଯେକୌଣସି ମୁହୁର୍ତ୍ତରେ ବନ୍ୟାଜଳ ନିଷ୍କାସନ କରାଯିବ ବୋଲି କାର୍ଯ୍ୟାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ବ୍ରହ୍ମପୁର ସହରର କେସି ଟାଉନ୍‌ ହାଇସ୍କୁଲରେ ପୁଣି ପାଣି ପଶିଛି । ଅନେକ ବସ୍ତି, ଜନବସତିରେ ଲୋକଙ୍କ ଘରେ ପାଣି ପଶିଯାଇଛି ।

   ସମ୍ବନ୍ଧିତ ଖବର


ମହୁମାଛି ଆକ୍ରମଣରେ ଦୁଇ ବୃଦ୍ଧ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ଡାକ୍ତରଖାନାରେ ଯୁବକଙ୍କ ଉନ୍ମତ୍ତକାଣ୍ଡ: ଆକ୍ରମଣରେ ସୁରକ୍ଷାକର୍ମୀ ଆହତ, ଧାରଣାରେ କର୍ମଚାରୀ

ଫସର ଫାଟିଲା ଫେସ୍‌ବୁକ୍‌ ପ୍ରେମ: ନାବାଳିକା ବିବାହ ବନ୍ଦ କଲା ପ୍ରଶାସନ, ପ୍ରେମୀ ଯୁଗଳ ଥାନାରେ ଅଟକ

ସିସିଟିଭି ଫୁଟେଜରୁ ମିଳିଲା ସ୍କୁଟିଚୋରି ସୁରାକ, ୫ଜଣକୁ ଗରିଫ କଲା ପୁଲିସ

ବାଲେଶ୍ବରରେ ବେଣୁଧରକଙ୍କ ପଲା ଭାରି : ‘ଏଥର ବେଣୁ ମଉସା’ ଗୀତ ଗାଇଲେ ଅଭିଜିତ୍ ଓ କାକା‌, ପୂର୍ବରୁ ପ୍ରଚାର ସାମିଲ ହୋଇଛନ୍ତି ଅଭିନେତ୍ରୀ

ପ୍ରେମରେ ବିଫଳ: ପ୍ରେମିକାର ତଣ୍ଟି କାଟିବା ପରେ ନିଜେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କଲା ହତାସିଆ ଯୁବକ