ସୂର୍ଯ୍ୟକୁମାର ଯାଦବ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିବାକୁ ଚାହୁଁଛନ୍ତି ଯଦି ଆମ ଦେଶରୁ ଖେଳନ୍ତୁ, ପୂର୍ବତନ ଖେଳାଳି ଟ୍ବିଟ କରି ଦେଲେ ଅଫର

ନୂଆଦିଲ୍ଲୀ, ୨୯/ ୧୦: ନଭେମ୍ବର ୧୦ ତାରିଖରେ ଖେଳାଯିବ ଆଇପିଏଲ ମହାକୁମ୍ଭର ଫାଇନାଲ ମୁକାବିଲା। ଏହାପରେ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତ କରିବ। ସେଠାରେ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ୩ଟି ଟି-୨୦, ୩ଟି ଦିନିକିଆ ଓ ୪ଟି ଟେଷ୍ଟ ମ୍ୟାଚ ଖେଳିବ। ଏଥିପାଇଁ ବିସିସିଆଇ ଘୋଷଣା କରିଛି ଖେଳାଳିଙ୍କ ନାମ। ହେଲେ ଟିମ୍‌ ଘୋଷଣା ହେବା ପରେ ଭିନ୍ନ ଭିନ୍ନ ଖେଳାଳିଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି। ଅଷ୍ଟ୍ରେଲିଆ ବିପକ୍ଷ ୩ ଫର୍ମାଟ ପାଇଁ ଘୋଷଣା ହୋଇଥିବା ତାଲିକାରେ ସୂର୍ଯ୍ୟକୁମାର ଯାଦବଙ୍କ ନାମ ନାହିଁ। ଯାହାଫଳରେ ହରଭଜନ ସିଂହଙ୍କ ସମେତ ଅନେକ କ୍ରିକେଟ୍‌ରଙ୍କଠୁ ନେଇ ସାଧାରଣ କ୍ରିକେଟ୍‌ପ୍ରେମୀ ମଧ୍ୟ ସୂର୍ଯ୍ୟ କୁମାର ଯାଦବଙ୍କୁ ଦଳରେ ସ୍ଥାନ ନମିଳିବା ନେଇ ପ୍ରଶ୍ନ ଉଠାଇଛନ୍ତି।

ମୁମ୍ବାଇ ଇଣ୍ଡିଆନ୍ସର ଏହି ଖେଳାଳି ଗତକାଲି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିରୋଧରେ ୪୩ଟି ବଲରୁ ୭୯ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳି ଚୟନକର୍ତ୍ତାଙ୍କୁ ନିଜର ଜବାବ ଦେଇଛନ୍ତି। ଏଥିସହିତ ସୂର୍ଯ୍ୟ ଟିମରେ ସ୍ଥାନ ନ ପାଇବାରୁ ହରଭଜନ ସିଂହ ଖୋଲାଖୋଲି ନିଜର ଅସନ୍ତୋଷ ପ୍ରକାଶ କରିଥିଲେ।

ଗତକାଲିର ଦମଦାର ପ୍ରଦର୍ଶନ ପରେ ଯାଦବ ଦେଶ-ବିଦେଶ କ୍ରିକେଟ୍‌ରଙ୍କ ଧ୍ୟାନ ଆକର୍ଷିତ କରିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସର କାମଚଳା ଅଧିନାୟକ କିରଣ ପୋଲାର୍ଡ ସୂର୍ଯ୍ୟକୁମାରଙ୍କ ଖୁବ୍ ପ୍ରଶଂସା କରିଛନ୍ତି। ଏସବୁ ମଧ୍ୟରେ ସୂର୍ଯ୍ୟକୁମାରଙ୍କୁ ବିଦେଶରେ ଖେଳିବାକୁ ଅଫର ମଧ୍ୟ ମିଳିଛି। ନ୍ୟୁଜିଲାଣ୍ଡର ସ୍କଟ୍ ଷ୍ଟାଇରିସ୍‌ ସୂର୍ଯ୍ୟକୁମାରଙ୍କୁ ଏହି ଅଫର ଦେଇଛନ୍ତି।

ସ୍କଟ୍ ଷ୍ଟାଇରିସ୍ ଟ୍ଵିଟ୍ କରିଛନ୍ତି, ଯଦି ସୂର୍ଯ୍ୟକୁମାର ଯାଦବ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ଖେଳିବାକୁ ଚାହୁଁଛନ୍ତି ତେବେ ବିଦେଶ ଯାଇ ପାରିବେ। ତାହା ନ୍ୟୁଜିଲାଣ୍ଡ ମଧ୍ୟ ହୋଇପାରେ। ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟ୍‌ର ତଥା କୋଚ୍ ଟମ୍ ମୁଡି ମଧ୍ୟ ସୂର୍ଯ୍ୟକୁମାର ଯାଦବଙ୍କ ଭାରତୀୟ ଦଳରେ ସ୍ଥାନ ନମିଳିବା ଉପରେ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି। ସେ ଟ୍ଵିଟ୍ କରିଛନ୍ତି, ସୀମିତ ଓଭର କ୍ରିକେଟ୍ ଦିନିକିଆ ହେଉ କି ଟି-୨୦ ପାଇଁ ଭାରତୀୟ ଦଳରେ ସୂର୍ଯ୍ୟକୁମାରଙ୍କୁ ଜାଗା ନମିଳିବା ମୋର ବୁଝିବା ବାହାରେ।