ଅଦାଲତରେ ଭିଡ଼ ଜମିବା ନେଇ ମାମଲା, ହାଇକୋର୍ଟ ପ୍ରବେଶପଥରେ ହେବ ସ୍କ୍ରିନିଂ

କଟକ,୧୯ା୫(ବ୍ୟୁରୋ): ଅଦାଲତରେ ଦିନକୁଦିନ ଭିଡ଼ ଜମୁଥିବାରୁ ଏହାଦ୍ୱାରା ଆଇନଜୀବୀମାନେ ଅସୁରକ୍ଷିତ ହୋଇ ପଡୁଛନ୍ତି । ଆଜି ଏ ନେଇ ଆଗତ ଏକ ମାମଲାରେ ଅଦାଲତ ହାଇକୋର୍ଟର ପ୍ରବେଶ ଦ୍ୱାରରେ ପ୍ରତ୍ୟେକଙ୍କର ସ୍କ୍ରିନିଂ କରି ଭିତରକୁ ଛଡାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟର ଆଇନଜୀବୀ ପଦ୍ମାଳୟା ମହାପାତ୍ରଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ମହମ୍ମଦ ରଫିକ୍‌ ଏବଂ ବିଚାରପତି ଜଷ୍ଟିସ୍‌ ବିଶ୍ୱଜିତ୍‌ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଏହି ମାମଲାରେ ହାଇକୋର୍ଟ ଆବେଦନକାରିଣୀଙ୍କୁ ରାଜ୍ୟ ଆଇନଜୀବୀ ପରିଷଦ, ହାଇକୋର୍ଟ ବାର୍‌ ଆସୋସିଏସନ୍‌, କଟକ ବାର୍‌ ଆସୋସିଏସନ୍‌ ଏବଂ କ୍ରିମିନାଲ ବାର୍‌ ଆସୋସିଏସନ୍‌କୁ ପକ୍ଷଭୁକ୍ତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଏହି ସମସ୍ତ ପକ୍ଷ ଏ ଦିଗରେ କ’ଣ କଲେ ଠିକ୍‌ ହେବ ସେଥିପାଇଁ ପରାମର୍ଶ ଦେବାକୁ ହାଇକୋର୍ଟ ଆଦେଶ ଦେଇଛନ୍ତି । ସେହିପରି ସିଏମ୍‌ସି, କମିସନ୍‌ରେଟ୍‌ ପୁଲିସ୍‌, କଟକ ଜିଲ୍ଲାପାଳଙ୍କୁ ମଧ୍ୟ ଜବାବ ରଖିବାକୁ ଆଦେଶ ଦେଇଛନ୍ତି ।
ଆବେଦନକାରିଣୀ ଆଜି ଅଦାଲତରେ ଦର୍ଶାଇଥିଲେ ଯେ, ବର୍ତ୍ତମାନ ରାଜ୍ୟରେ ପ୍ରବାସୀଙ୍କ ସଂଖ୍ୟା ବଢିବାରେ ଲାଗିଛି ଓ ଏହା ସଙ୍ଗେସଙ୍ଗେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି । ଏପଟେ ହାଇକୋର୍ଟରେ ଭିଡ଼ ଜମିବାରେ ଲାଗିଛି । ହାଇକୋର୍ଟରେ ଦୈନିକ ୫ଶହରୁ ୬ଶହ ଆଇନଜୀବୀ ଉପସ୍ଥିତ ରହୁଥିଲା ବେଳେ ବିଭିନ୍ନ ଅଞ୍ଚଳରୁ ଲୋକେ ମଧ୍ୟ କୋର୍ଟକୁ ଆସୁଛନ୍ତି । ଅନେକ ଲୋକ ରେଡ୍‌ ଜୋନ୍‌ରୁ ମଧ୍ୟ ଆସୁଥିବା ଦେଖାଯାଉଛି । କିନ୍ତୁ ବାହାରୁ ଆସୁଥିବା ଲୋକଙ୍କୁ ହାଇକୋର୍ଟର ପ୍ରବେଶ ପଥରେ ଚେକ୍‌ କରି ଛାଡିବାର କୌଣସି ବ୍ୟବସ୍ଥା କରାଯାଇ ନାହିଁ । ଫଳରେ ଆଇନଜୀବୀମାନେ ଅସୁରକ୍ଷିତ ହୋଇ ପଡୁଛନ୍ତି । ଦ୍ୱିତୀୟରେ ଏକ ମାମଲାରେ ଅଦାଲତ ସିଏମ୍‌ସିକୁ ହାଇକୋର୍ଟ ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳକୁ ନିୟମିତ ବ୍ୟବଧାନରେ ବିଶୋଧନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଥରେ ମାତ୍ର ବିଶୋଧନ ପରେ ଆଉ ଏ ଦିଗରେ ସିଏମ୍‌ସି କୌଣସି ପଦକ୍ଷେପ ନେଉନାହିଁ । ଫଳରେ ହାଇକୋର୍ଟ ଅଞ୍ଚଳ ଅସୁରକ୍ଷିତ ହୋଇପଡୁଛି । ସେହିପରି ମେ’ ୭ରେ ହାଇକୋର୍ଟ ଏକ ଗାଇଡ୍‌ଲାଇନ୍‌ ଜାରି କରିଥିଲେ । ଯେଉଁଥିରେ ମାମଲା କିପରି ପରିଚାଳନା କରାଯିବ ସେ ନେଇ ସ୍ପଷ୍ଟ ନିର୍ଦ୍ଦେଶନାମା ରହିଥିଲା । ୬୫ବର୍ଷରୁ ଊଦ୍ଧ୍ୱର୍ ବୟସର ଆଇନଜୀବୀମାନଙ୍କ କୋର୍ଟ ଆସିବା ଉପରେ କଟକଣା ଜାରି କରାଯାଇଥିଲା । ଯେଉଁମାନେ ଚାହିଁବେ ସେମାନେ ଘରେ ରହି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମାମଲା ପରିଚାଳନା କରିପାରିବେ । ଭିଡିଓ କନ୍‌ଫରେନ୍ସିଂ ହଲ୍‌ରେ ତିନିରୁ ଚାରି ଜଣ ଆଇନଜୀବୀ ଉପସ୍ଥିତ ରହିବେ । ଯେଉଁ ଆଇନଜୀବୀମାନଙ୍କର କାର୍ଯ୍ୟ ସରିବ ସେମାନେ ବାର୍‌ରେ ନରହି ଚାଲିଯିବାକୁ କୁହାଯାଇଥିଲା । କିନ୍ତୁ ଏବେ ଦୈନିକ ପ୍ରାୟ ୩ ଶହରୁ ଊଦ୍ଧ୍ୱର୍ ମାମଲା ରୁଜୁ ହେଉଛି । ଫଳରେ ଆଇନଜୀବୀଙ୍କ ସହ ସେମାନଙ୍କ ସହଯୋଗୀ, କର୍ମଚାରୀମାନେ ଉପସ୍ଥିତ ରହୁଛନ୍ତି । ତେଣୁ ହାଇକୋର୍ଟ ଏବଂ କଟକର ବିଭିନ୍ନ ନିମ୍ନ ଅଦାଲତକୁ ଆସୁଥିବା ସମସ୍ତ ଆଇନଜୀବୀ ଏବଂ ସେମାନଙ୍କ କର୍ମଚାରୀଙ୍କ ନିୟମିତ ସ୍କ୍ରିନିଂ, ବାହାରୁ ଆସୁଥିବା ଲୋକଙ୍କର ସ୍କ୍ରିନିଂ, ପ୍ରତ୍ୟେକ ମୁହଁରେ ମାସ୍କ ପିନ୍ଧିବା, ନିୟମିତ ସମୟ ବ୍ୟବଧାନରେ ହାତ ଧୋଇବା ଏବଂ ସାମାଜିକ ଦୂରତ୍ୱ ବଜାୟ ରଖିବା ଲାଗି ନିର୍ଦ୍ଦେଶ ଦେବାକୁ ଆବେଦନକାରିଣୀ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ହାଇକୋର୍ଟ ଏହାକୁ ଗୁରୁତ୍ୱର ସହ ନେଇ ହାଇକୋର୍ଟର ପ୍ରବେଶପଥରେ ତୁରନ୍ତ ସ୍କ୍ରିନିଂ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

   ସମ୍ବନ୍ଧିତ ଖବର


କରୋନା ଟିକା ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି ମୋଡେର୍ଣ୍ଣା

ବିସିଜି ଟିକା କରୋନା ବିରୋଧରେ ଲଢିପାରିବ – ଏଭଳି ସୂଚନା ଦେଲେ ICMR ର ବୈଜ୍ଞାନିକ

Inoxର ଦମଦାର୍ ଅଫର: ୨୯୯୯ ଟଙ୍କାରେ ବୁକ୍ କରନ୍ତୁ ଥିଏଟର, ପରିବାର କିମ୍ବା ସାଙ୍ଗମାନଙ୍କ ସହ ଦେଖନ୍ତୁ ନିଜ ପସନ୍ଦର ଫିଲ୍ମ

ସାଙ୍ଘାତିକ ରୂପ ନେଉଛି କରୋନାର ଦ୍ବିତୀୟ ଲହର, ପୁଣି ଲକଡାଉନ୍ ପ୍ରସ୍ତୁତିରେ ଏହି ୩ ଦେଶ

ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା: ଦେଶର ପ୍ରତ୍ୟେକ ଲୋକଙ୍କୁ ମିଳିବ କରୋନା ଭ୍ୟାକସିନ, କେହି ବି ଏହି ସୁବିଧାରୁ ହେବେନି ବଞ୍ଚିତ…

ରାଜ୍ୟରେ ୧୩ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୨୯୭ କୁ ବୃଦ୍ଧି