ସାର୍ ଖାଲି ଟିକେ ଧରିଛି… ଆଉ କିଛି କରିନି, ଜାଣନ୍ତୁ ଘଟଣା କ’ଣ…

ପୁରୀ,୨୮/୦୨ : ଅପରାହ୍ନ ୪ଟା । ସମୁଦ୍ରକୂଳରୁ ଦିଗବାରେଣୀ ଛକ ଆଡକୁ ଦୌଡୁଥିଲେ ୨ ଜଣ ଖାକି ପିନ୍ଧା ବାବୁ । ହାତରେ ଥିଲା ଲାଠି । ପାଟିରୁ ବାହାରୁଥିଲା ଧର ଧର, ଦୌଡୁଛି ଯିଏ, ତାକୁ ଧର । ବାବୁଙ୍କ ଆଗେ ଆଗେ ଦୌଡୁଥିଲା ଜଣେ ଯୁବକ । ହାପ ପ୍ୟାଣ୍ଟ ସାଙ୍ଗକୁ ଓଦା ଶରୀର । ଦେହସାରା ଲାଗିଥିଲା ବାଲି । ବାବୁଙ୍କ ଚିତ୍କାର ଶୁଣି ବେଳାଭୂମିରେ ଥିବା କିଛି ଲୋକେ ଯୁବକକୁ ଘେରି ଯାଇ କାବୁ କରିଥିଲେ । ବାସ୍ ଏହାପରେ ପହଞ୍ଚିଲେ ବାବୁ । ବାବୁଙ୍କ ପଛେ ପଛେ କିଛି ପର୍ଯ୍ୟଟକ ବି ସେଠାରେ ପହଞ୍ଚିଗଲେ । ଏମାନଙ୍କୁ ଦେଖି ସେଠାରେ ଶତାଧିକ ପର୍ଯ୍ୟଟକଙ୍କ ଭିଡ଼ ବି ଜମିଗଲା । ଭିଡ ଭିତରେ ବାବୁ ପଚାରିଲେ କିରେ କ’ଣ କରିଛୁ ସତ କହ । ଯୁବକ ଜଣକ ହାତ ଯୋଡି କହିଲା, ‘ସାର୍ ଖାଲି ଟିକେ ଧରିଛି । ଆଉ କିଛି କରିନି । ସେମାନେ ମିଛ କହୁଛନ୍ତି ।’
ତେବେ ଘଟଣା ପଛର ରହସ୍ୟ ବୁଝିବାବେଳେ ଜଣାପଡିଥିଲାଯେ, ପୁରୀ ହୋଟେଲ୍ ସମ୍ମୁଖରେ ସମୁଦ୍ର ସ୍ନାନ କରୁଥିଲେ କିଛି ମହିଳା ପର୍ଯ୍ୟଟକ । ଭିଡ଼ ଭିତରେ ଜଣେ ଯୁବତୀକୁ ଟାର୍ଗେଟ କରିଥିଲା ଏହି ଯୁବକ । ନିଜ ସାଥୀମାନଙ୍କ ଠାରୁ ଦୂରେଇଯାଇ ଯୁବତୀଙ୍କ ପାଖା ପାଖି ହୋଇ ସମୁଦ୍ର ଢେଉରେ ଉତ୍ପାତ ହେଉଥିଲା । ସେହି ସମୟରେ ଏକ ଉଚ୍ଚ ଲହଡି ଆସିଥିଲା । ତେଣୁ ମୌକାକୁ ହାତଛଡା ନକରି ସିଧା ଲହଡି ସହ ସାଥୀହୋଇ ଯୁବତୀଙ୍କୁ ଜାବୁଡି ଧରିଥିଲା । ଢେଉ ପଛକୁ ଫେରିଯାଇଥିଲେ ମଧ୍ୟ ଯୁବତୀଙ୍କୁ ଛାଡିନଥିଲା ଯୁବକ । ତେଣୁ ଚିତ୍କାର କରିଥିଲେ ଯୁବତୀ । ଏସବୁ ଦେଖୁଥିବା ଯୁବତୀଙ୍କ ପରିବାର ଯୁବକକୁ ଅଟକାଇ ଏହା ଯୋଜନାବଦ୍ଧ ଥିଲା ବୋଲି ତା’ ବିରୋଧରେ ଅଭିଯୋଗ କରିଥିଲେ ।
ଏଥିରେ ଯୁବକ ଉତ୍ତ୍ୟକ୍ତ ହୋଇ ସେମାନଙ୍କୁ ଗାଳିଗୁଲଜ କରିଥିଲା । ତେଣୁ ଯୁବତୀଙ୍କ ପରିବାର ବେଳାଭୂମିରେ କ୍ୟାମ୍ପ କରି ଉପସ୍ଥିତ ଥିବା ପୁଲିସ ବାବୁଙ୍କୁ ଡାକିଥିଲେ । ବାବୁମାନେ ପହଞ୍ଚିବା କ୍ଷଣି ଯୁବକ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲା । ଧରାପଡ଼ିବା ପରେ ଯୁବକ ବିରୋଧରେ ଏଭଳି ଅଭିଯୋଗ କରିଥିଲେ ଯୁବତୀ । ସେ କିନ୍ତୁ କେବଳ ଯୁବତୀଙ୍କୁ ଧରିଥିବା ସ୍ୱୀକାର କରିଥିଲା । ହେଲେ ବାବୁମାନେ ବେଳାଭୂମିରେ ହିଁ ଘଟଣାକୁ ରଫାଦଫା କରିଦେଇଥିବା ଜଣାପଡ଼ିଥିଲା । ଏପରିକି ଶହେ ମିଟର୍ ଦୂରରେ ଥିବା ସମୁଦ୍ର କୂଳ ଥାନାକୁ ଏ ସମ୍ପର୍କରେ ଖବର ଆସିନଥିବା ଜଣାପଡିଛି । ଥାନା ଆଇଆଇସି ଚିନ୍ମୟ ରାଉତ ଏନେଇ ଜାଣିନଥିବା କହିଛନ୍ତି ।