ବିପଦରେ ଢିଙ୍କିଆ ଗାଁ: ୧୫ ଦିନରେ ସମୁଦ୍ର ଗିଳିଲା ଶହେ ମିଟର

ପାରାଦୀପ,୭ା୯(ଆପ୍ର): ମାତ୍ର ୧୫ ଦିନ ଭିତରେ କୂଳ ଲଂଘି ଢିଙ୍କିଆ ଗ୍ରାମାଞ୍ଚଳରେ ପ୍ରାୟ ଶହେ ମିଟର ଖାଇଯାଇଛି ସମୁଦ୍ର । ଏହାକୁ ନେଇ ସମୁଦ୍ର କୂଳରେ ଥିବା ଢିଙ୍କିଆ ଗ୍ରାମର ଶତାଧିକ ପାନ ଚାଷୀ ଏବେ ଭୟ ଓ ଆଶଙ୍କାରେ । ଆଇଓସିଏଲ୍‌ ନିର୍ମାଣ ସମୟରେ ସମୁଦ୍ର ଭିତରୁ ଡ଼୍ରେଜିଂ ମାଧ୍ୟମରେ ବାଲି ଖୋଳାଯାଇଥିଲା । ସେଥିଯୋଗୁଁ ସୃଷ୍ଟି ହୋଇଥିବା ଖାଲି ସ୍ଥାନକୁ ପୂରଣ କରିବାକୁ ସମୁଦ୍ର କୂଳ ଆଡ଼କୁ ମାଡ଼ିଆସୁଥିବା ଗାଁ ଲୋକେ ଏବେ ଅଭିଯୋଗ କରିଛନ୍ତି ।

ଲଗାତାର ବର୍ଷା ଯୋଗୁଁ ସମୁଦ୍ରରେ ଜଳପତ୍ତନ ବଢୁଛି । ଜୁଆର ମଧ୍ୟ ପ୍ରବଳ ଉଠୁଛି । ଗତ କେଇ ବର୍ଷ ହେଲା ସମୁଦ୍ର ସ୍ଥଳ ଭାଗ ଆଡ଼କୁ ମାଡ଼ି ମାଡ଼ି ଆସୁଛି । ୧୦ ବର୍ଷ ଭିତରେ ପ୍ରାୟ ୫ଶହ ମିଟରରୁ ଅଧିକ ଖାଇଥିବା ବେଳେ ଚଳିତ ବର୍ଷ ମାତ୍ର ୧୫ ଦିନରେ ସମୁଦ୍ର ଖାଇଛି ପ୍ରାୟ ୧୦୦ ମିଟର । ଏହା ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । କାରଣ ସମୁଦ୍ରକୂଳ ବାଲିଆ ଜାଗା ଦେଖି ଢିଙ୍କିଆ ଅଞ୍ଚଳର ଅଧିକାଂଶ ଲୋକ ପାନ ବରଜ କରି ପାନ ଚାଷ କରୁଛନ୍ତି । ପୁରୁଷ ପୁରୁଷ ଧରି ସେମାନେ ପାନ ଚାଷ କରୁଛନ୍ତି । ସ୍ଥାନୀୟ ପୁରୁଖା ଲୋକଙ୍କ କହିବା ଅନୁସାରେ, ଆଗରୁ ପ୍ରାୟ ଦେଢ଼ କିଲୋମିଟର ସମୁଦ୍ର ଭିତରକୁ ସ୍ଥଳଭାଗ ଥିଲା । ଧୀରେ ସମୁଦ୍ର ଖାଇ ଖାଇ କୂଳ ଲଂଘିଲା ।

୧୦ ବର୍ଷ ଭିତରେ ପ୍ରାୟ ୫ଶହ ମିଟର ଖାଇଲାଣି । କିଛି ବର୍ଷ ତଳେ ଆଇଓସିଏଲ୍‌ ନିର୍ମାଣ ପାଇଁ ସମୁଦ୍ର ଭିତରୁ ବାଲି ଡ୍ରେଜିଂ କରାଯାଇଥିଲା । ଆଇସିଏଲ୍‌ ନିର୍ମାଣ ବେଳେ ଏହା ଖାଲୁଆ ଜାଗା ଥିବାରୁ ପୋତିବାକୁ ଏହାକୁ ବିଭିନ୍ନ କମ୍ପାନି ଡ୍ରେଜିଂ କରି ୪ହଜାର ଏକର ଜାଗାକୁ ପୋତିଥିଲେ । ସମୁଦ୍ରରୁ ଏତେ ପରିମାଣର ବାଲି କଢ଼ାଯିବାରୁ ସମୁଦ୍ର ଖାଲୁଆ ହୋଇଗଲା । ଧୀରେ ଧୀରେ ସମୁଦ୍ର ତା’ର ଖାଲୁଆ ଜାଗାକୁ ପୋତିବାକୁ ଯାଇ କୂଳରେ ଥିବା ବାଲିକୁ ନିଜ ଭିତରକୁ ଟାଣିନେଉଛି । ଢିଙ୍କିଆ ଗ୍ରାମରୁ ଆଉ ଅଳ୍ପ ଦୂରରେ ଜଟାଧାର ମୁହାଣ ଥିବା ବେଳେ ଅର୍ଦ୍ଧ ନିର୍ମିତ କୋଷ୍ଟାଲ୍‌ ହାଇୱେ ଶେଷ ମୁଣ୍ଡର କିଛି ଦୂରରେ ଏକ ଘାଇ ସୃଷ୍ଟି ହୋଇଥିଲା । ସେହି ଜାଗାରେ ଥିବା ସୁଉଚ୍ଚ ବାଲିବନ୍ଧ ସେହି ଘାଇକୁ ସୁରକ୍ଷା ଦେବା ସହ ସାରା ଢିଙ୍କିଆ ଗ୍ରାମକୁ ସୁରକ୍ଷା ଯୋଗାଉଥିଲା ।

ମାତ୍ର ସେହି ବାଲିବନ୍ଧ ଏବେ ଖାଇ ଯାଇ ବିପଦ ସୃଷ୍ଟି କରୁଛି । ହେଲେ ଚଳିତବର୍ଷ କୂଳ ଯେଭଳି ଖାଇଛି ମହାବାତ୍ୟା ସମୟରେ ମଧ୍ୟ କୂଳ ଏତେ ଖାଇ ନ ଥିଲା । ଏପରିକି କୂଳଠାରୁ ଆଉ ମାତ୍ର ୫୦ ମିଟର ଦୂରରେ ପାନ ବରଜ ଥିବା ବେଳେ ଆଉ ଯଦି ଆଗକୁ ବର୍ଷା ବଢ଼େ ଓ ଜୁଆର ଅଧିକ ଶକ୍ତିଶାଳୀ ହୁଏ, ପାନବରଜ କ୍ଷତିଗ୍ରସ୍ତ ହେବ । ଏପରିକି ଢିଙ୍କିଆ ଗ୍ରାମ ପ୍ରତି ମଧ୍ୟ ବିପଦ ସୃଷ୍ଟି ହେବା ସହ ଆଇଓସିଏଲ୍‌ ମଧ୍ୟ ବୁଡ଼ିବା ନେଇ ଆଶଙ୍କା ଦେଖାଦେଇଛି । ତେଣୁ ଏବେଠାରୁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

   ସମ୍ବନ୍ଧିତ ଖବର


ହାତୀ କାବୁ କରିବାକୁ ଯାଇ ଶିକାରୀ କାବୁ

ଦମ୍ପତିଙ୍କଠାରୁ ୨୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ରାସ୍ତା ତଳକୁ ଖସିଲା ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଭଦ୍ରକ: ୩୨ ଲିଟର ଜିଞ୍ଜର ସହ ଦେଶୀ ରନ୍ଧା ମଦ ଜବତ, ୮ ଗିରଫ

ପୁଅର ଅସ୍ଥି ଟିକକ ମିଳିଲେ ଗଙ୍ଗାରେ ବିସର୍ଜନ କରନ୍ତି…

ହାତୀ ଆକ୍ରମଣରେ ଜଣେ ମୃତ, ସୁରକ୍ଷା ଦାବି କଲେ ସ୍ଥାନୀୟ ଲୋକେ