ଆଜି ବାରିପଦା ଆସିବେ କେନ୍ଦ୍ରମନ୍ତ୍ରୀ ଗଡ଼କରି; ୧୯ରେ କରଞ୍ଜିଆ ଆସିବେ ଗୃହମନ୍ତ୍ରୀ ରାଜନାଥ

ବାରିପଦା,୧୭ା୪(ଆପ୍ର): ଗୁରୁବାର କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀ ବାରିପଦା ଗସ୍ତରେ ଆସୁଛନ୍ତି । ବାରିପଦା ଛଉ ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ଶ୍ରୀ ଗଡ଼କରୀ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ ବୋଲି ବିଜେପିର ରାଜ୍ୟ ମୁଖପାତ୍ର ଜୀବନ ସାହୁ ଏବଂ ଜିଲ୍ଲା ମୁଖପାତ୍ର କବି ବିଷ୍ଣୁ ଶତପଥୀ ଜଣାଇଛନ୍ତି । ଶ୍ରୀ ଗଡ଼କରୀ ବାରିପଦା ଗସ୍ତ କରି ଛଉ ପଡ଼ିଆରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଉଦ୍ବୋଧନ ଦେବେ । କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କର ୧୯ତାରିଖରେ କରଞ୍ଜିଆ ଗସ୍ତ କାର୍ଯ୍ୟକ୍ରମ ରହିଛି । ସେହିପରି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରଞ୍ଜିଆ ନିର୍ବାଚନ ମଣ୍ଡଳୀର ଠାକୁରମୁଣ୍ଡା ବ୍ଲକ୍ ଅର୍ନ୍ତଗତ ମହୁଲଡିହାକୁ ଆସି ସେଠାରେ ବିଜେପିର କରଞ୍ଜିଆ ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ପଦ୍ମଚରଣ ହାଇବ୍ରୁ ଏବଂ କେନ୍ଦୁଝର ଲୋକସଭା ପ୍ରାର୍ଥୀ ଅନନ୍ତ ନାଏକଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିବେ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗୁରୁବାର କରଞ୍ଜିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତାଟୋକୁ ଆସି ସେଠାରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ମୟୂରଭଞ୍ଜ ଜିଲ୍ଲାର ଲୋକସଭା କ୍ଷେତ୍ରରେ ଥିବା ସାତଟି ବିଧାନସଭା ନିର୍ବାଚନ ମଣ୍ଡଳୀ ସମେତ ବାଲେଶ୍ୱର ସଂସଦୀୟ କ୍ଷେତ୍ରରେ ଥିବା ବଡସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୯ ତାରିଖରେ ଚତୁର୍ଥ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ତେଣୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପିର ଚାଣକ୍ୟ ଭାବେ ପରିଚିତ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସମେତ ଅନ୍ୟ କେନ୍ଦ୍ରୀୟ ଓ ରାଜ୍ୟସ୍ତରୀୟ ନେତା ଏବଂ ବଲିଉଡ୍ ସେଲିବ୍ରେଟି ତଥା କ୍ରିକେଟ ଷ୍ଟାର ମାନଙ୍କର ମୟୂରଭଞ୍ଜ ଗସ୍ତ କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ମିଳିଛି ।