ପୁଞ୍ଜି ବଜାରରେ ୧୯୨୧ ପଏଣ୍ଟ ଉଛୁଳିଲା ସେନ୍‌ସେକ୍ସ , ୭ ଲକ୍ଷ କୋଟି ଲାଭ

ନୂଆଦିଲ୍ଲୀ ୨୧/୯: ଭାରାତୀୟ ପୁଞ୍ଜି ବଜାର ପାଇଁ ଆଜି ଥିଲା ବ୍ଲକ୍‌ବଷ୍ଟର ଫ୍ରାଇଡେ’ । ଦଲାଲ୍‌ ଷ୍ଟିଟ୍‌ରେ ଦୀପାବଳି ଅନୁଭୂତ ହୋଇଛି । ନିବେଶକୁ ତ୍ୱରାନ୍ୱିତ କରିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କର୍ପୋରେଟ୍‌ ଟିକସ ହ୍ରାସ କରିବା ପରେ ଏହାର ପ୍ରଭାବ ତୁରନ୍ତ ପୁଞ୍ଜି ବଜାର ଉପରେ ପଡ଼ିଛି । ନିବେଶକଙ୍କ ମଧ୍ୟରେ ଉତ୍ସାହ ବଢ଼ିବା ଫଳରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ) ସେନ୍‌ସେକ୍ସରେ ୧୯୨୧.୧୫ ପଏଣ୍ଟ ବୃଦ୍ଧି ଘଟିଛି । ଫଳରେ ଏହା ୩୮,୦୧୪.୬୨ ପଏଣ୍ଟରେ ବନ୍ଦ ହୋଇଛି । ସେନ୍‌ସେକ୍ସରେ ବୃଦ୍ଧି ଯୋଗୁ ନିବେଶକମାନେ ଦିନକରେ ସେମାନଙ୍କ ସମ୍ପତ୍ତିରେ ୬.୮୨ ଲକ୍ଷ କୋଟି ଟଙ୍କା ଯୋଡ଼ିଛନ୍ତି । ବିଏସ୍‌ଇରେ ପଞ୍ଜୀକୃତ କମ୍ପାନିଗୁଡ଼ିକର ବଜାର ପୁଞ୍ଜି ୧୩୮.୫୪ ଲକ୍ଷ କୋଟି ଟଙ୍କାରୁ ବୃଦ୍ଧି ପାଇ ୧୪୫.୩୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ତେବେ କାରବାର ମଧ୍ୟଭାଗରେ ସେନ୍‌ସେକ୍ସରେ ୨,୨୮୪.୫୫ ପଏଣ୍ଟ ବୃଦ୍ଧି ଘଟିଥିଲା ।

ଅନ୍ୟପକ୍ଷରେ, ନ୍ୟାସ୍‌ନାଲ ଷ୍ଟକ୍‌ ଏକ୍ସଚେଞ୍ଜ ନିଫ୍‌ଟିରେ ୫୬୯.୪୦ ପଏଣ୍ଟ ବୃଦ୍ଧି ଘଟି ୧୧,୨୭୪.୨୦ ପଏଣ୍ଟରେ ବନ୍ଦ ହୋଇଛି । ଦଶନ୍ଧିରେ ସେନ୍‌ସେକ୍ସ ଏବଂ ନିଫ୍‌ଟିରେ ଏହା ସର୍ବୋଚ୍ଚ ଦୈନିକ ବୃଦ୍ଧି ।

ସେନ୍‌ସେକ୍ସରେ ହିରୋ ମୋଟୋ କର୍ପ, ମାରୁତି, ଇଣ୍ଡସଇଣ୍ଡ୍‌ ବ୍ୟାଙ୍କ, ବଜାଜ ଫାଇନାନ୍ସ, ଏସ୍‌ବିଆଇ, ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଏବଂ ହିନ୍ଦୁସ୍ତାନ ୟୁନିଲିଭରର ସେୟାର ମୂଲ୍ୟରେ ୧୫.୫୨% ପର୍ଯ୍ୟନ୍ତ ବୃଦ୍ଧି ଘଟିଛି । ୩୦ଟି ଷ୍ଟକ୍‌ ମଧ୍ୟରୁ ୨୫ଟିରେ ବୃଦ୍ଧି ଘଟିଛି ।

କେବଳ ପାୱାର୍‌ଗ୍ରୀଡ୍‌, ଇନ୍‌ଫୋସିସ୍‌, ଟିସିଏସ୍‌, ଏନ୍‌ଟିପିସି, ଟେକ୍‌ ମହିନ୍ଦ୍ରାର ସେୟାର ମୂଲ୍ୟରେ ହ୍ରାସ ଘଟିଛି । ସରକାର ଶୁକ୍ରବାର କର୍ପୋରେଟ୍‌ ଟିକସରେ ୧୦% ହ୍ରାସ କରି ଏହାକୁ ୨୫.୧୭%କୁ ଖସାଇଛନ୍ତି । ଫଳରେ ଭାରତର ଟିକସ ହାର ଚୀନ୍‌ ଏବଂ ଦକ୍ଷିଣ କୋରିଆ ସହ ସମାନ୍ତର ହୋଇଯାଇଛି ।

ଅନ୍ୟପକ୍ଷରେ, ଇକ୍ୱିଟି ସେୟାର ବିକ୍ରିରୁ ମିଳୁଥିବା ପୁଞ୍ଜି ଲାଭ ଉପରେ ସୁପର୍‌ରିଚ୍‌ ଟିକସ ନ ଲଗାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହା ମଧ୍ୟ ପୁଞ୍ଜି ବଜାରରେ ଉତ୍ସାହ ଖେଳାଇଥିଲା ।

ବଜାର ବିଶେଷଜ୍ଞଙ୍କ ମତରେ ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଘୋଷଣା ହୋଇଥିବା ପଦକ୍ଷେପଗୁଡ଼ିକ ଭାରତୀୟ ଅର୍ଥନୀତିକୁ ତ୍ୱରାନ୍ୱିତ କରିବ । ଶୁକ୍ରବାର ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟରେ ୨୯ ପଇସା ବୃଦ୍ଧି ଘଟିଛି । ୧ ଡଲାର ପିଛା ଭାରତୀୟ ଟଙ୍କା ୭୧.୦୪କୁ ସବଳ ହୋଇଛି ।

   ସମ୍ବନ୍ଧିତ ଖବର


ବିବାହ ପାଇଁ ଧର୍ମପରିବର୍ତ୍ତନ ବୈଧ ନୁହେଁ, ଆହ୍ଲାବାଦ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି

ଖଇନି ଖାଇବାର ନିଶା: ଅଧାବାଟରେ ଟ୍ରେନର ଚେନ୍ ଟାଣି କିଣିବାକୁ ଗଲେ ଯାତ୍ରୀ, ଧରାପଡିବା ପରେ…

ରାଷ୍ଟ୍ରୀୟ ଏକତା ଦିବସ: ଲୌହ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ପରେଡରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ମୋଦି

ଲଦାଖ୍‌ରେ ଯବାନଙ୍କୁ ସାଲ୍ୟୁଟ୍‌ କରିଥିବା ଶିଶୁକୁ ୨.୫ଲକ୍ଷ ଦେଲା ବିଜେପି ସାଂସଦ

କ୍ରିସ୍‌ ଗେଲଙ୍କ ଛକା ରେକର୍ଡ, ପ୍ରଥମ କ୍ରିକେଟର ଭାବେ ଟି-୨୦ରେ ୧୦୦୦ ଛକା ମାରିଲେ ବସ୍

ବିହାର ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟରେ ବହୁ ମହାରଥୀ ଦେବେ ଅଗ୍ନି ପରୀକ୍ଷା, ଉତ୍ତର ବିହାର ଉପରେ ସମସଙ୍କ ନଜର