୩ରେ ଉଚ୍ଛେଦ ହେବ ବଡ଼ଆଖଡ଼ା ମଠ

ପୁରୀ ୨/୯ : ଶ୍ରୀମନ୍ଦିର ମେଘନାଦ ପାଚେରି ଚୌହଦୀର ୭୫ ମିଟର ମଧ୍ୟରେ ଏବେ କେବଳ ଉଚ୍ଛେଦ ଚାଲିଛି । କେବଳ ଏହି ଇଲାକାର ବିପଦସଙ୍କୁଳ କୋଠାଗୁଡ଼ିକ ଭଙ୍ଗାଯାଉଛି । ଶ୍ରୀମନ୍ଦିରକୁ ସଂଯୋଗ କରୁଥିବା ଗଳିକନ୍ଦି କିମ୍ବା ବଡ଼ଦାଣ୍ଡ କଡ଼ରୁ କୌଣସି ଉଚ୍ଛେଦ ହେବନି । ଏନେଇ ସହରରେ ଗୁଜବ ଚାଲିଛି । ବିସ୍ଥାପିତ ଦୋକାନୀଙ୍କ ଥଇଥାନ ନେଇ ନାନା ଗୁଜବ ଚାଲିଛି । କ୍ଷତିଗ୍ରସ୍ତ ଦୋକାନୀ ତଥା ସହରବାସୀ ଏଭଳି ଏଭଳି ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ ବୋଲି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ କହିଛନ୍ତି ।

ଜିଲ୍ଲାପାଳ ରବିବାର ତାଙ୍କ କାର୍ଯ୍ୟାଳୟରେ ଆହୁରି କହିଛନ୍ତି ଯେ, ଲୋକଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଛି । ଅନ୍ୟଲୋକଙ୍କ କଥାରେ ଭ୍ରମିତ ନ ହୁଅନ୍ତୁ । କ୍ୟାବିନେଟ ନିଷ୍ପତ୍ତି ମୁତାବକ ବର୍ତ୍ତମାନ ସୁଦ୍ଧା ବିପଦସଙ୍କୁଳ କୋଠା ଭାଙ୍ଗୁଛୁ । ଏହି କୋଠାରେ ଦୋକାନ ଘର ଭାଙ୍ଗିଛୁ । ଆସନ୍ତା ୩ ତାରିଖରେ ବଡ଼ଆଖଡା ମଠର ବିପଦସଙ୍କୁଳ କୋଠାକୁ ପ୍ରଶାସନ ଉଚ୍ଛେଦ କରିବ । ପରବର୍ତ୍ତୀ ପଦକ୍ଷେପ ସର୍ଭେ କରି ନିଆଯିବ ।
ବିସ୍ଥାପିତ ୮୧ ଦୋକାନୀଙ୍କ ଥଇଥାନ ରୂପରେଖ ଚୂଡ଼ାନ୍ତ ହୋଇଛି । ପ୍ରଥମେ ଦରଖାସ୍ତ କରିଥିବା ୨୬ ଜଣ ଦୋକାନୀଙ୍କୁ ବଡ଼ଦାଣ୍ଡ ଜଗନ୍ନାଥ ବଲ୍ଲଭ କ୍ରାଫ୍ଟ କମ୍ପେ୍ଲକ୍ସରେ ଦୋକାନ କରିବାକୁ ପ୍ରଶାସନ ଅନୁମତି ଦେଇଛି ।

ପୁରୁଣା ଜେଲ୍‌ ଜମିରେ ହେଉଥିବା ଯାତ୍ରୀନିବାସ ବେସରେ ୪୦ ଦୋକାନ ଘର କରାଯାଇ ସେମାନଙ୍କୁ ଦିଆଯାଇପାରିବ । କୌଣସି ଠାରେ ନିଜ ଇଚ୍ଛାରେ ଦୋକାନ କଲେ ଏହା ବାବଦ ଭଡ଼ା ମଧ୍ୟ ଦୋକାନୀ ନେଇପାରିବେ । କ୍ଷତିଗ୍ରସ୍ତ ଦୋକାନୀ ସରକାରଙ୍କ ବିକଳ୍ପ ଥଇଥାନ ଯୋଜନାକୁ ମଧ୍ୟ ବିଚାରକୁ ନେଇପାରିବେ । କ୍ଷତିଗ୍ରସ୍ତ ଜଣେ ବି ଦୋକାନୀ ସରକାରୀ ଥଇଥାନ ଯୋଜନାରୁ ବାଦ ପଡ଼ିବେ ନାହିଁ । ବିସ୍ଥାପିତ ଦୋକାନୀଙ୍କୁ ସରକାରୀ ନିୟମ ମୁତାବକ ଥଇଥାନ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।

ଉଚ୍ଛେଦବେଳେ ସମସ୍ତ ମଠର ମହନ୍ତ ଗାଦିକୁ ସୁରକ୍ଷିତ ରଖାଯିବ । ମଠର ଆରାଧ୍ୟ ଦେବତାଙ୍କ ମନ୍ଦିର, ପୂଜାସ୍ଥାନର ମହିମାକୁ ଅକ୍ଷୁର୍ଣ୍ଣ ରଖିବାକୁ ଐହିହ୍ୟ ବିଶେଷଜ୍ଞମାନଙ୍କ ପରାମର୍ଶ ନିଆଯାଉଛି । ପୁରୀ ଆସୁଥିବା ସମସ୍ତ ଭକ୍ତ, ଦର୍ଶନାର୍ଥୀ ଓ ପର୍ଯ୍ୟଟକ ଶ୍ରୀମନ୍ଦିର ଚାରିପାଖରୁ ଉଚ୍ଛେଦ ହେଉଥିବା ମଠ ସମୂହର ପରମ୍ପରା ଏବଂ ମହନ୍ତ ଗାଦିର ମହିମା, ମଠର ଆରାଧ୍ୟ ଦେବତାଙ୍କ ମହିମାକୁ ଅନୁଭବ କରିପାରିବେ ବୋଲି ଜିଲ୍ଲାପାଳ ଶ୍ରୀ ସିଂହ କହିଛନ୍ତି । ଉଚ୍ଛେଦ ପରେ ସଂରକ୍ଷଣ ଓ ଉନ୍ନତିକରଣ ମଧ୍ୟ କରାଯିବ । ରାଜ୍ୟ ସରକାର ଏହି ଐତିହ୍ୟ ଓ ଧାର୍ମିକ ସ୍ଥଳ ସୁରକ୍ଷା ନିମନ୍ତେ ପ୍ରତ୍ନତାତ୍ତ୍ୱିକ ବିଶେଷଜ୍ଞଙ୍କୁ ନିଯୁକ୍ତ କରିବାକୁ ଯାଉଛନ୍ତି ।

ଏମାର ମଠର ବିପଦସଙ୍କୁଳ କୋଠା ଭିତରେ ମହନ୍ତ ରହୁଛନ୍ତି । ତେଣୁ ଗାଦି ଓ ମନ୍ଦିରକୁ ସୁରକ୍ଷା ନିମନ୍ତେ ବୈଷୟିକ ଟିମ୍‌ର ସହାୟତା ନିଆଯିବ । ଟିମ୍‌ର ରିପୋର୍ଟ ନେବା ପରେ ପଦକ୍ଷେପ ନିଆଯିବ ।
ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ଯେ, ସରକାରୀ ଥଇଥାନ ନୀତି ଆଧାରରେ ସମସ୍ତ ବିସ୍ଥାପିତଙ୍କୁ ନିର୍ଭରଯୋଗ୍ୟ ଥଇଥାନ କରାଯିବ । ଥଇଥାନରୁ ଜଣେ ବି ବାଦ୍‌ ପଡ଼ିବେ ନାହିଁ । ଏହି ନେଇ ଦୋକାନୀମାନେ ପୂର୍ଣ୍ଣ ସହଯୋଗ କରୁଛନ୍ତି । ଏଥିପାଇଁ କ୍ଷତିଗ୍ରସ୍ତ ଦୋକାନୀମାନେ ଧନ୍ୟବାଦର ପାତ୍ର । ତେଣୁ ଥଇଥାନ ନେଇ କୌଣସି ଅପପ୍ରଚାର କିମ୍ବା ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ ବୋଲି ଜିଲ୍ଲାପାଳ ଗଣମାଧ୍ୟମ ଜରିଆରେ ସହରବାସୀଙ୍କୁ ନିବେଦନ କରିଛନ୍ତି ।

   ସମ୍ବନ୍ଧିତ ଖବର


ମାନବିକତାର ପରିଚୟ ଦେଲେ କୈଳାଶ, ଏଟିଏମରେ ଛାଡ଼ି ଯାଇଥିବା ଟଙ୍କାକୁ ଆତ୍ମସାତ୍‌ ନକରି ସୋସିଆଲ ମିଡିଆରେ ଜଣାଇଲେ

୩ ମିନିଟ୍‌ ମଧ୍ୟରେ ଦେଢଲକ୍ଷ ଟଙ୍କାର ସୁନା ଚେନ୍‌ ଚୋରି କରି ଚମ୍ପଟ ମାରିଲେ ମା’ ଓ ଝିଅ: ସିସିଟିଭିରେ ଧରାପଡିଲା ଚୋରଣୀଙ୍କ କାରନାମା

ପୁଲିସର‘ଦାଦାବଟିକୁ ନା’ ଅଭିଯାନ: ବନ୍ଧା ହେଲେ ଚାରି ପୁରୁଣା ଅପରାଧୀ,ଦୁର୍ଦ୍ଦାନ୍ତ ବିକା ଓ ଟିଟୋ ଗ୍ୟାଙ୍ଗ୍‌ର କାଲାବାବୁ ଗିରଫ

ଆଜି ମୃଣ୍ମୟୀ ଦେବୀଙ୍କ ମହାଷ୍ଟମୀ ପୂଜା, ମଣ୍ଡପରେ ସନ୍ଧିପୂଜା

ବନ୍ଧୁକ ମୁନରେ ବିଲ୍‌ଡର୍‌ଙ୍କୁ ୨୦ ଲକ୍ଷ ବଟି ଧମକ: ୨ ଅଭିଯୁକ୍ତ ଗିରଫ, ଦୁଇ ମାଉଜର ଓ ଗାଡ଼ି ଜବତ

ସୁନା କି ଚାନ୍ଦି ନୁହେଁ, ଏଥର ସିଲଭର୍‌ ସିଟିରେ ଝଲସିବ ଜରି ମେଢ଼: ଅଳଙ୍କାର ଓ ଜରି ମେଢ଼ କାରିଗରଙ୍କର ବଢିଛି ଚାହିଦା