ସର୍ଭିସ୍‌ ରୋଡ୍‌ ‘ନୋ ପାର୍କିଂ ଜୋନ୍‌’: ଏଥର ଗାଡି ରଖିଲେ ୧୦୦୦ ଟଙ୍କାର ତଣ୍ଡ ଗଣିବେ

ଭୁବନେଶ୍ୱର ୧୨/୯: ବରମୁଣ୍ଡା ବସଷ୍ଟାଣ୍ଡରେ ହେଉଥିବା ଅସମ୍ଭାଳ ଟ୍ରାଫିକ୍‌ ଜାମ୍‌କୁ ନିୟନ୍ତ୍ରଣ କରିବାକୁ କମିଶନରେଟ୍‌ ପୁଲିସ ଅଣ୍ଟା ଭିଡିଛି । ବସ୍‌ଷ୍ଟାଣ୍ଡର ସର୍ଭିସ୍‌ ରୋଡକୁ ‘ନୋ ପାର୍କିଂ’ ଜୋନ୍‌ ଘୋଷଣା କରିଛି । ଏହି ରାସ୍ତାରେ ଏକ ସାଇନ୍‌ ବୋର୍ଡ ମାରି ଯାତ୍ରୀବାହୀ ବସଗୁଡିକୁ ଚେତାଇଛି, ସର୍ଭିସ ରୋଡରେ କେହି ବି ବସ୍‌ ଛିଡା କରାଇ ପାରିବେନି । ନହେଲେ ୧୦୦୦ ଟଙ୍କାର ତଣ୍ଡ ଗଣିବେ ।

ରାଜ୍ୟର ସବୁଠୁ ବଡ଼ ଓ ବ୍ୟସ୍ତ ବହୁଳ ବସ୍‌ଷ୍ଟାଣ୍ଡ ହେଉଛି ବରମୁଣ୍ଡା ବସ୍‌ଷ୍ଟାଣ୍ଡ । ଏଠୁ ସାରା ରାଜ୍ୟର ପ୍ରାୟ ସମସ୍ତ ସହରକୁ ଶତାଧିକ ବସ୍‌ ଯାତାୟାତ କରେ । ହଜାର ହଜାର ଯାତ୍ରୀଙ୍କ ଭିଡ ଜମେ ଏଠି । ତେବେ ଏହାର ୧୬ ନମ୍ବର ଜାତୀୟ ରାଜପଥ(ଏନ୍‌ଏଚ୍‌)ର ଉଭୟ ପାଶ୍ୱର୍ରେ ସର୍ଭିସ ରୋଡ ସବୁବେଳେ ଭିଡ଼ ଜମୁଥିଲା । ସନ୍ଧ୍ୟା ବେଳେ ଏହି ରାସ୍ତା ଦେଇ ଲୋକମାନେ ଗଲାବେଳେ ନାକେଦମ୍‌ ହୋଇଯାଉଥିଲେ । ଥରେ କେହି ଏହି ରାସ୍ତାରେ ଫସିଗଲେ, ଟ୍ରାଫିକ୍‌ ଜାମ୍‌ରୁ ମୁକୁଳିବାରେ ଅଧଘଣ୍ଟାଏ ବିଳମ୍ବ ଘଟୁଥିଲା । ବସ୍‌ଗୁଡିକ ମନଇଚ୍ଛା ରାସ୍ତାକଡରେ ଛିଡା ହେଉଥିବାରୁ ଅନ୍ୟ ଗାଡିମୋଟର ଚଳାଚଳରେ ଅସୁବିଧା ହେଉଥିଲା । ଯାତ୍ରୀ ନେବା ନାଁରେ ବସ୍‌ଗୁଡିକ ଏକରକମର ଏହି ରାସ୍ତାକୁ ନିଜ ଦଖଲକୁ ନେଇ ଯାଉଥିଲେ । ବାଇକ୍‌ କି କାର୍‌, କାହାରିକୁ ବାଟ ଛାଡୁନଥିଲେ । ଖାଲି ଯାତ୍ରୀବାହୀ ବସ୍‌ ନୁହେଁ, ଏହି ରାସ୍ତାରେ ଘଣ୍ଟା ଘଣ୍ଟା ଧରି ଅଟୋ ଓ ଟ୍ରକ ମଧ୍ୟ ରାସ୍ତାକଡରେ ପାର୍କିଂ କରୁଥିଲେ । ଏହାଛଡ଼ା ଓଭରବ୍ରିଜ୍‌ ତଳ ରୋଡ ଓ ବସ୍‌ଷ୍ଟାଣ୍ଡକୁ ପ୍ରବେଶ ଓ ପ୍ରସ୍ଥାନ ରାସ୍ତାରେ ମଧ୍ୟ ପ୍ରବଳ ଜାମ୍‌ ରହୁଥିଲା ।

ଏନ୍‌ଏଚ୍‌ର ଉଭୟ ପାଶ୍ୱର୍ର ସର୍ଭିସ୍‌ ରୋଡରେ ପୁଲିସ ‘ନୋ ପାର୍କିଂ ଜୋନ୍‌’ର ଫଳକ ଝୁଲାଇଛି । ଯେଉଁଥିରେ ଉଲ୍ଲେଖ ଅଛି, ଯଦି କେହି ଏହି ରାସ୍ତାରେ ଗାଡି଼ ପାର୍କିଂ କରିବେ, ତେବେ ୧୦୦୦ ଟଙ୍କା ଫାଇନ୍‌ ଦେବାକୁ ପଡି଼ବ ।

କେହି ମାନିବାକୁ ନାରାଜ

‘ନୋ ପାର୍କିଂ ଜୋନ୍‌’ ଫଳକ ଲଗାଯିବାକୁ ୨୪ ଘଣ୍ଟା ପୂରିଛି । ହେଲେ ‘ଯଥା ପୂର୍ବଂ ତଥା ପରଂ’ ଭଳି ଆଜି ଏହି ସର୍ଭିସ୍‌ ରୋଡରେ ମନଇଚ୍ଛା ପାର୍କିଂ ଚାଲିଥିଲା । ଯାତ୍ରୀବାହୀ ବସ୍‌ଗୁଡ଼ିକ ପୂର୍ବ ଭଳି ରାସ୍ତାରେ ଛିଡାହୋଇ ଟ୍ରାଫିକ୍‌ ଜାମ୍‌ କରିଥିଲେ । ସକାଳୁ ୨-୩ ଘଣ୍ଟା ଯାଏଁ ଟ୍ରାଫିକ୍‌ ପୁଲିସ ଜଗି କେଉଁ ଆଡେ ଚାଲି ଯାଇଥିଲା । ଠିକ୍‌ ସନ୍ଧ୍ୟା ସମୟରେ ପୁଣି ବସ୍‌ଗୁଡିକର ଦୈରାତ୍ମ ଦେଖା ଦେଇଥିଲା । ପୂର୍ବଭଳି ଅନ୍ୟ ଗାଡିଗୁଡିକ ମଧ୍ୟ ଆଜି ଏହି ରାସ୍ତାରେ ବେଧଡକ ପାର୍କିଂ କରିଛନ୍ତି ।

ସତ୍‌ସଙ୍ଗ ବିହାରରେ ‘ବସ୍‌ ବେ’
ବାଣୀବିହାର, ଆଚାର୍ଯ୍ୟବିହାରରୁ ଟ୍ରାଫିକ୍‌ ଜାମ୍‌ କମାଇବାକୁ ଓଭରବ୍ରିଜ୍‌ରେ ଯାତ୍ରୀବାହୀ ବସ୍‌ ଯାତାୟାତ କରିବାକୁ ନିଷ୍ପତ୍ତି ନେଇଥିଲା କମିଶନରେଟ ପୁଲିସ । ବାଣୀବିହାର ଆଡୁ ଓଭରବ୍ରିଜ୍‌ ଶେଷ ପରେ ସତ୍‌ସଙ୍ଗ ବିହାର ସାମ୍ନାକୁ ‘ବସ୍‌ ବେ’ ବୋଲି ଚିହ୍ନଟ କରିଛି । ଏହି ସ୍ଥାନରେ ସମସ୍ତ ବସ୍‌ଗୁଡିକ ଛିଡ଼ା ହେବେ । ସେଠାରୁ ଯାତ୍ରୀଙ୍କୁ ବସ୍‌ରେ ଉଠାଇ ପାରିବେ ବୋଲି ପୁଲିସ କହିଛି । ଆଜି ସନ୍ଧ୍ୟା ୭ଟା ବେଳେ ଏହି ‘ବସ୍‌ ବେ’କୁ ଉଦ୍‌ଘାଟନ କରାଯାଇଛି । ଟ୍ରାଫିକ୍‌ ଜାମ୍‌ ହଟାଇବାକୁ ସପ୍ତାହେ ଧରି ବସ୍‌ଗୁଡିକ ଓଭରବ୍ରିଜ୍‌ ଦେଇ ଯିବା ଆସିବା କରୁଛି ।

କେବେ ସୁଧୁରିବେ ଏମାନେ…

ନିୟମ କଡ଼ାକଡି଼ ବେଳେ ମୁଣ୍ଡରେ ହେଲମେଟ୍‌ ଆଉ ସିଟ୍‌ବେଲ୍ଟ ପ୍ରତି ଯତ୍ନଶୀଳ । ନିୟମ କୋହଳ ହେଲା ପରେ ‘ଯଥା ପୂର୍ବଂ ତଥା ପରଂ’ । ସଂଶୋଧିତ ମୋଟର ଯାନ ଆଇନ୍‌ର ନିୟମ କୋହଳ ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ୨୪ ଘଣ୍ଟା ପୂରିନି । ଅମାନିଆ ଗାଡ଼ି ଚାଳକ ଟ୍ରାଫିକ୍‌ ନିୟମକୁ ଫୁତ୍‌କାରରେ ଉଡ଼ାଇ ଦେଇଛନ୍ତି । କିଏ ହେଲମେଟ୍‌କୁ ହାତରେ ଗଳାଇଲାଣି ତ, ଆଉ କିଏ ସର୍ଟକଟ୍‌ ପାଇଁ ରଙ୍ଗରୁଟ୍‌ରେ ଗଲାଣି । ୧୦ ଦିନ ଧରି ଟ୍ରାଫିକ୍‌ ଛାଟରେ ଛଟପଟ ହେଉଥିବା କିଛି ଗାଡି଼ ଚାଳକ ପୁରୁଣା ବଦଭ୍ୟାସକୁ ପୁଣି ଦୋହରାଇଲେଣି । ରଙ୍ଗରୁଟ୍‌ ଡ୍ରାଇଭିଂ ଯୋଗୁଁ ଜଣେ ବାଇକ୍‌ ଆରୋହୀଙ୍କ ଜୀବନ ଗଲା ପରେ ବି ଏମାନେ ସୁଧୁରୁ ନାହାନ୍ତି । ଏବେ ସଭିଁଙ୍କ ମୁହଁରେ ଗୋଟିଏ ପ୍ରଶ୍ନ । କେବେ ସୁଧୁରିବେ ଏମାନେ…

   ସମ୍ବନ୍ଧିତ ଖବର


ନିଟ୍ ପରୀକ୍ଷାରେ ସୋଆ ଆଇ.ଏଚ୍‌.ଏସ୍‌.ଇ ର ଛାତ୍ରଛାତ୍ରୀଙ୍କ ସଫଳତା

ଏ କି ବିଚାର ? ଅସଦାଚରଣର ଶିକାର ହୋଇ ମୁହଁ ଖୋଲିଥିଲେ, ଏବେ ହେଉଛନ୍ତି କଲବଲ.. ଜୀବନ-ମୃତ୍ୟୁର ଦୋଛକିରେ ୨ ମହିଳା କର୍ମଚାରୀ

କରୋନା ରୋଗୀଙ୍କ ପାଇଁ ଗ୍ରୀନ୍‌ କରିଡର: ଭୁବନେଶ୍ବରରୁ ହାଇଦ୍ରାବାଦ ଯିବା ପାଇଁ ନୟାପଲ୍ଲୀ ରାସ୍ତାରେ ହେଲା ସ୍ବତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା

ପୁଣି ୧୮ ମୁଣ୍ଡ ନେଲା କରୋନା, ମୃତ୍ୟୁସଂଖ୍ୟା ୧୨ଶହ ଟପିଲା

ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ଆକ୍ରାନ୍ତ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୭୭ ହଜାର ଡେଇଁଲା

ବନ୍ଧୁକ ମୁନରେ ବିଲ୍‌ଡର୍‌ଙ୍କୁ ୨୦ ଲକ୍ଷ ବଟି ଧମକ: ୨ ଅଭିଯୁକ୍ତ ଗିରଫ, ଦୁଇ ମାଉଜର ଓ ଗାଡ଼ି ଜବତ