‘ପାଦିକାସୁ’ ମୁଦ୍ରା ପାଇବାକୁ ତ୍ରିଚିର ଏକ ମନ୍ଦିରରେ ଦଳାଚକଟା, ୭ ମୃତ

ତ୍ରିଚି,୨୧।୩: ତାମିଲନାଡୁ ତିରୁଚିରାପଲ୍ଲୀରେ ଥିବା ଏକ ମନ୍ଦିରରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ତ୍ରିଚି ଜିଲା ଅଧୀନ ମୁତାୟାମାପାଲାୟମ ଗାଁରେ ଥିବା କାରୁପାସ୍ୱାମୀ ମନ୍ଦିରରେ ରବିବାର ଦଳାଚକଟାରେ ୭ ଜଣ ଭକ୍ତଙ୍କ ମୃତ୍ୟୁ ଘଟିଛି ଓ ୧୦ରୁ ଅଧିକ ଆହତ ହୋଇଛନ୍ତି। ମନ୍ଦିରରେ ଥିବା ଏହି ଖାସ୍ ଉତ୍ସବରେ ପୂଜାରୀଙ୍କ ଦ୍ବାରା ବଣ୍ଟା ଯାଉଥିବା ‘ପାଦିକାସୁ’ ମୁଦ୍ରା ପାଇବା ଚେଷ୍ଟାରେ ଶତାଧିକ ଶ୍ରଦ୍ଧାଳୁ ଠେଲାପେଲା ହୋଇଥିଲା। ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଅଛନ୍ତି। ଆହତଙ୍କୁ ଥୁରାୟୁର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ ଚିତ୍ର ପୂର୍ଣ୍ଣିମା ଉପଲକ୍ଷେ ସହସ୍ରାଧିକ ଶ୍ରଦ୍ଧାଳୁ ମନ୍ଦିରକୁ ପୂଜାର୍ଚ୍ଚନା ପାଇଁ ଆସିଥିଲେ। ମନ୍ଦିର ପୂଜକ ବାଣ୍ଟୁଥିବା ଏକ ’ପାଦିକାସୁ ’ପାଇବାକୁ ଲୋକମାନେ ଅସ୍ଥିର ହୋଇପଡିଥିଲେ। ଏଥିରୁ କିଛି ଲୋକ ଓ ମହିଳା ତଳେ ପଡ଼ିଯାଇଥିଲେ। ଅନ୍ୟ ଶ୍ରଦ୍ଧାଳୁମାନେ ସେମାନଙ୍କ ଉପରେ ଚଢି ଚାଲିଯାଇଥିଲେ। ପୋଲିସର କହିବା ଅନୁସାରେ ‘ପାଦି କାସୁ’ ମୁଦ୍ରା ଘରକୁ ସମୃଦ୍ଧି ଓ ସମ୍ପତ୍ତି ଆଣିଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି। ଫଳରେ ଏହି ମୁଦ୍ରା ପାଇବାକୁ ଭକ୍ତଙ୍କ ମଧ୍ୟରେ ଦଳାଚକଟା ହୋଇଥିଲା। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି।