ସରକାରଙ୍କ ସାବତ ଗାଁ ପାଲଟିଛି ବନ୍ଦସାହି: ପ୍ରତିଶୃତି ପାଲଟିଛି ପାଣିର ଗାର, ଚୁଆ ପାଣିରେ ବଞ୍ଚିଛି ଜୀବନ…

ନୀଳଗିରି,୨୩/୨ : ଆଦିବାସୀ ଗାଁ ଗୁଡିକୁ ଆଦର୍ଶ ଗାଁରେ ପରିଣତ କରିବାକୁ ମାଳମାଳ ଯୋଜନା କରୁଛନ୍ତି ରାଜ୍ୟ ସରକାର। ହେଲେ ବାସ୍ତବ ଚିତ୍ର ଭିନ୍ନ। କେଉଁଠି ଫଳକରେ ସୀମିତ ରହିଯାଉଛି ତ କେଉଁଠାରେ ବାଟମାରଣା ହେଉଛି ଯୋଜନା। ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ମହିସାପଟ୍ଟା ପଞ୍ଚାୟତର ବନ୍ଧସାହି ଗାଁର ଲୋକମାନଙ୍କ ପାଇଁ ଯୋଜନା ସାତ ସପନ। ଗାଁକୁ ନାଅଛି ଭଲ ରାସ୍ତା ନା ପହଞ୍ଚିଛି ସରକାରୀ ଯୋଜନା। ନିର୍ବାଚନ ସମୟରେ ପ୍ରତିଶୃତି ଦେଇ ଭୁଲି ଯାଉଛନ୍ତି ସରକାର।

ସ୍ଵର୍ଣ୍ଣଚୁଡ଼ ସଂରକ୍ଷିତ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଚଳରେ ରହିଛି ବନ୍ଧସାହି ଆଦିବାସୀ ଗାଁ। ଏଠାରେ ପାଖାପାଖି ୩୦ରୁ ଅଧିକ ପରିବାର ବସବାସ କରୁଛନ୍ତି। ଏହି ଗାଁକୁ ଭଲ ରାସ୍ତାଟିଏ ନାହିଁ। ଗାଁର ବହୁ ବୃଦ୍ଧ ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ। ପ୍ରଧାନମନ୍ତ୍ରୀ ଅବାସଟିଏ ମଧ୍ୟ ଅନେକ ପରିବାର ପାଇ ନାହାଁନ୍ତି। ପାନୀୟ ଜଳ ବ୍ୟବହାର ପାଇଁ ଗାଁରେ ନଳକୂପଟିଏ ରହିଥିଲେ ମଧ୍ୟ ଏଥିରୁ ବାହାରୁଥିବା ପାଣି ଯଥେଷ୍ଟ ନୁହଁ। ଆଉ ଯେଉଁ ପାଣି ବାହାରୁଛି ତାହା ପାନୀୟ ଭାବେ ବ୍ୟବହାର କରିହେବ ନାହିଁ। ତେଣୁ ବିଶୁଦ୍ଧ ପାନୀୟ ଜଳ ମୁନ୍ଦାଏ ପାଇଁ ଗ୍ରାମବାସୀ ହନ୍ତସନ୍ତ ହେଉଛନ୍ତି । ତେବେ ଜୀବନ ଟିକକ ବଞ୍ଚାଇବା ପାଇଁ ମଣିଷ ପଶୁ ଏକାଠି ହୋଇଛନ୍ତି। ଗାଁଠାରୁ ଅନତି ଦୂରରେ ପାହାଡ଼କୁ ଲାଗିଥିବା ଏକ ଚେକଡ୍ୟାମ ନିକଟରେ ଚୁଆ ତାଡି ସେହି ପାଣିକୁ ବ୍ୟବହାର କରୁଛନ୍ତି। ସେପଟେ ବର୍ଷାଦିନେ ଏହା ପାଣିରେ ବୁଡିଯାଉଥିବାରୁ ଡ୍ୟାମ ପାଣି ପିଇବା ସହ ଏହାକୁ ବ୍ୟବହାର କରୁଛନ୍ତି।
ଏବେ ଖରାଦିନ ଆସି ଯାଇଥିବାରୁ ଗ୍ରାମବାସୀମାନେ ଏହି ଚୁଆ ପାଣି ଉପରେ ନିର୍ଭର କରୁଥିବା ଦେଖିବାକୁ ମିଳିଛି। ହାତରେ ଗରା ଓ ବାଲଟି ଧରି ଲମ୍ବାଲାଇନରେ ପାଣି ଆଣିବାକୁ ଯାଇଥାନ୍ତି ଗ୍ରାମବାସୀ। ସେପଟେ ସନ୍ଧ୍ୟା ପୂର୍ବରୁ ଜଙ୍ଗଲୀ ଜନ୍ତୁ ଭୟ ଘାରୁଛି। ତେବେ ଏହି ଚୁଆ ପାଣି ଉପରେ ଜଙ୍ଗଲୀ ଜନ୍ତୁ ସମେତ ଗୃହପାଳିତ ପଶୁମାନେ ମଧ୍ୟ ନିର୍ଭର କରୁଛନ୍ତି। ତେଣୁ ଏହି ପାଣି ପିଇଲେ ବିଭିନ୍ନ ରୋଗ ହେବାର ସମ୍ଭାବନା ରହିଛି। ତେବେ ଜୀବନ ବଞ୍ଚାଇବାକୁ ସେମାନେ ବାଧ୍ୟହୋଇ ପାଣିକୁ ବ୍ୟବହାର କରୁଛନ୍ତି।
ଏହି ଗାଁକୁ ବସୁଧା ଯୋଜନାରେ ପାନୀୟ ଜଳ ପାଇଁ ପାଇପ ବିଛାଯାଇଛି ହେଲେ ଆସୁନି ପାଣି। ଠିକାଦର ପୀରତି ଦେଖାଇ ଯନ୍ତ୍ରୀମାନେ ସରକାରୀ ଯୋଜନାକୁ ଆତ୍ମସାତ କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଆଦିବାସୀ ଗାଁ ଗୁଡିକ ପାଇଁ କେନ୍ଦ୍ର ଠାରୁ ରାଜ୍ୟ ସରକାରଙ୍କ ଯାଏଁ ବିଭିନ୍ନ ଯୋଜନା କରିଥିବା ବେଳେ ଏହି ଗାଁ ସରକାରଙ୍କ ପାଇଁ ଯେପରି ସାବତ ଗାଁ ପାଲଟିଛି। ପଞ୍ଚାୟତ ନିର୍ଵାଚନ ଓ ସାଧାରଣ ନିର୍ବାଚନରେ ଗାଁକୁ ନେତାଙ୍କ ସୁଅ ଛୁଟୁଛି। ହେଲେ ପ୍ରତିଶୃତି ପାଲଟୁଛି ପାଣିର ଗାର।
ତେବେ ଆଉ ପ୍ରତିଶୃତି ଭାସି ଯିବେନି ବୋଲି ଗ୍ରାମବାସୀ କହିଛନ୍ତି। ଯଦି ବନ୍ଦସାହି ଗାଁରେ ସରକାରୀ ଯୋଜନାର ସଠିକ କାର୍ଯ୍ୟକାରୀ ନହୁଏ ଏବଂ ପାନୀୟ ଜଳ ବ୍ୟବସ୍ଥା ନକରାଯାଏ ତାହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ଏହି ଗାଁର ରାମଚନ୍ଦ୍ର ସିଂ,ସୁବାସିନୀ ଶଙ୍ଖୁଆଳ,ଝୁମୁରୀ ସିଂ, ମାନିଆ ସିଂ,ଚନ୍ଦ୍ରମଣି ସିଂ, ଦେବୀ ସିଂ, ବଳଭଦ୍ର ସିଂ,ରତନୀ ସିଂ,ବାବୁଲା ସିଂ,ବସବନ୍ତ ସିଂ,ଶଙ୍କରି ସିଂ,ଜାପାନ ସିଂ,ରାମଚନ୍ଦ୍ର ସିଂ,ଚୈତନ୍ ସିଂ,ହିରୋ ସିଂ,ପାର୍ବତୀ ସିଂ ଓ ଅନ୍ୟ ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି। ସେପଟେ ଏହି ସମସ୍ୟା ନେଇ ନୀଳଗିରି ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ସେ ଖୁବଶୀଘ୍ର ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଅନ୍ୟତ୍ର ନଳକୂପ ଖୋଳିବାର ବ୍ୟବସ୍ଥା କରିବା ସହ ଅନ୍ୟ ସରକାରୀ ଯୋଜନାର କିପରି ସଠିକ ରୂପାୟନ କରିହେବ ଏନେଇ ଯତ୍ନବାନ ହେବେ ବୋଲି କହିଛନ୍ତି।