‘ସାତ୍ ଖୁନ୍ ମାଫ୍’ରୁ ବଞ୍ଚିବେକି ଶବନମ୍ ? ପୁଣିଥରେ ଟଳିଲା ଫାଶୀ, ରାଜ୍ୟପାଳଙ୍କ ନିକଟକୁ ପଠାଗଲା କ୍ଷମା ଆବେଦନ…

ନୂଆଦିଲ୍ଲୀ: ବାବନଖେଡି ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଶବନମଙ୍କ ଫାଶୀକୁ ପୁଣି ଥରେ ସ୍ଥଗିତ କରାଯାଇଛି । ଅମରୋହାସ୍ଥିତ ଜିଲ୍ଲା କୋର୍ଟ ଶବନମ୍ଙ୍କ ସବିଶେଷ ତଥ୍ୟ ମାଗିଥିଲେ । କିନ୍ତୁ ସରକାରୀ ଓକିଲ କୋର୍ଟଙ୍କୁ କହିଛନ୍ତି ଯେ ରାମପୁର ଜେଲ ମାଧ୍ୟମରେ ଶବନମଙ୍କ ଫାଶୀକୁ ବନ୍ଦ କରିବା ପାଇଁ ଶୁକ୍ରବାର ଦିନ ଏକ ପିଟିସନ କରାଯାଇଛି । ଆଉ ଏବେ ଯେତେବେଳ ପର୍ଯ୍ୟନ୍ତ ଦୟା ଆବେଦନ ଉପରେ ନିଷ୍ପତ୍ତି ନହୋଇଛି, ସେ ପର୍ଯ୍ୟନ୍ତ ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି । ଶବନମ ଦ୍ୱିତୀୟ ଥର ପାଇଁ ରାଜ୍ୟପାଳଙ୍କୁ ଦୟା ନିବେଦନ କରିଛନ୍ତି । ଏହି ଆବେଦନ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ । ସେପର୍ଯ୍ୟନ୍ତ ଶବନମଙ୍କ ଫାଶୀ ସ୍ଥଗିତ ରଖାଯାଇଛି । ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ପରେ ହିଁ କୋର୍ଟ ଏକ ନିଷ୍ପତ୍ତି ନେବେ ।
ଏଠାରେ ସୂଚନା ଥାଉକି ଧାରା ୩୨ ଅନୁଯାୟୀ ଦୁଇଥର ରାଷ୍ଟ୍ରପତିଙ୍କ ନିକଟକୁ ଦୟା ଆବେଦନ ପଠାଯାଇପାରିବ । ପ୍ରଣବ ମୁଖାର୍ଜୀ ରାଷ୍ଟ୍ରପତି ଥିବାବେଳେ ପ୍ରଥମ ଥର ପାଇଁ ଏହି ଆବେଦନ ପଠାଯାଇଥିଲା । କିନ୍ତୁ ସେ କୌଣସି ନିଷ୍ପତ୍ତି ନେଇପାରିଲେ ନାହିଁ । ଏହାପରେ ଦୟା ଆବେଦନକୁ ରାମ ନାଥ କୋବିନ୍ଦ ପ୍ରତ୍ୟାଖ୍ୟାନ କରିଥିଲେ । ଏହା ପରେ ପୁନର୍ବାର ଏହି ଆବେଦନ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଛି ।
ଏଠାରେ ସୂଚନାଯୋଗ୍ୟ, ଏହି ମାମଲା ଉତ୍ତରପ୍ରଦେଶର ଆମରୋହା ଜିଲ୍ଲାର ଅଟେ । ଯେଉଁଠାରେ ଶବନମ ନାମକ ଜଣେ ମହିଳା ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା କରିଥିଲା । କାରଣ ସେ ନିଜ ପ୍ରେମିକଙ୍କୁ ବିବାହ କରିବାକୁ ଚାହୁଁଥିଲେ ଏବଂ ଘରଲୋକମାନେ ଏହି ବିବାହ ବିରୁଦ୍ଧରେ ଥିଲେ । ଶବନମ୍ ଅନୁଭବ କଲେ ଯେ ଯଦି ସେ ନିଜ ପରିବାରକୁ ରାସ୍ତାରୁ ହଟାନ୍ତି, ତେବେ ସେ ବିବାହ କରିବେ ଏବଂ ଘରର ସମ୍ପତ୍ତି ମଧ୍ୟ ଦଖଲ ହେବ । ଯାହାଫଳରେ ସେ ନିଜ ଜୀବନକୁ ଆରାମରେ ବିତାଇବେ । କିନ୍ତୁ ଅପରାଧ ପରେ ଶବନମଙ୍କୁ ତାଙ୍କ ପ୍ରେମିକ ସହିତ ଗିରଫ କରାଯାଇଥିଲା ଏବଂ ଉଭୟଙ୍କୁ ୨୦୧୦ ମସିହାରେ ଆମରୋହା କୋର୍ଟ ଦ୍ୱାରା ମୃତ୍ୟୁଦଣ୍ଡ ଦିଆଯାଇଥିଲା ।
ଏହି କୋର୍ଟ ମାମଲାର ପ୍ରାୟ ୧୩ ବର୍ଷ ବିତିଯାଇଛି । ଡିସେମ୍ବର ୨୦୦୮ରେ ଶବନମ୍ ଜେଲରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ବର୍ତ୍ତମାନ ଏହି କାହାଣୀ ମଧ୍ୟ ସେହି ପିଲା ବିଷୟରେ ରହିଛି । ସେହି ପିଲା ଚାହୁଛି କି ଦେଶର ନିୟମ ଶବନମକୁ ଜୀବନଦାନ କରନ୍ତୁ । କାରଣ ସେ ହେଉଛନ୍ତି ତାଙ୍କ ମା । ଶିଶୁଟି ରାଷ୍ଟ୍ରପତିଙ୍କ ନିକଟକୁ ଏକ କୋହଭରା ଆବେଦନ ମଧ୍ୟ କରିଛି । ଏବେ ପ୍ରଶ୍ନ ହେଉଛି ଶବନମଙ୍କୁ ଫାଶୀ ଦିଆଯିବ କି ନାହିଁ । କଣ ସାତ ଖୁନ୍ ମାଫ୍ କରାଯାଇପାରିବ କି ?