
ନୂଆଦିଲ୍ଲୀ,୧।୧୨: କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରି ଆଜି ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ ମୋଦି ଏବଂ ଶାହଙ୍କୁ ଅନୁପ୍ରବେଶକାରୀ ବୋଲି କହିଛନ୍ତି।
ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, ଏନଆରସି ନାମକୁ ନେଇ ଏଭଳି ଏକ ସ୍ଥିତି ସୃଷ୍ଟି ହୋଇଛି, ଯେଉଁମାନେ ଆମ ଦେଶର ବାସ୍ତବିକ ନାଗରିକ, ସେମାନେ ମଧ୍ୟ ଭାବୁଛନ୍ତି ଯେ, ଆମର କ’ଣ ହେବ? ସାଧାରଣ ଲୋକ ସବୁବେଳେ ନିଜ ପାଖରେ କାଗଜପତ୍ର ନେଇ ବସେନି। ଗରିବ, ଆଦିବାସୀ, ପଛୁଆ ବର୍ଗର ଲୋକଙ୍କ ପାଇଁ ରୁଟିର ଚିନ୍ତା ରହିଥାଏ। କାଗଜପତ୍ର ସମ୍ପର୍କରେ ଭାବିବାକୁ ସେମାନଙ୍କ ପାଖରେ ସମୟ ନଥାଏ।
ଏହା ସହିତ ଅଧୀର ଆହୁରି କହିଛନ୍ତି, ଆମ ଦେଶ ଭାରତ କାହାର ଭୂସମ୍ପତ୍ତି କି? ସମସ୍ତଙ୍କୁ ସମାନ ଅଧିକାର ରହିଛି, ମୁଁ ଏହା କହିପାରିବି ଯେ, ମୋଦି ଓ ଶାହ ଦୁହେଁ ଅନୁପ୍ରବେଶକାରୀ। ଆପଣଙ୍କ ଘର ଗୁଜରାଟରେ, ହେଲେ ଆସିଗଲେ ଦିଲ୍ଲୀ, ଆପଣ ତ ନିଜେ ଦେଶାନ୍ତରୀ। ଆଇନ ଓ ବେଆଇନ ପରେ ଦେଖାଯିବ।