ମାଛ ଚାଷରେ ମହିଳା ଏସ୍‌ଏଚ୍‌ଜିଙ୍କ ସଫଳତା: ଲକ୍‌ଡାଉନ୍‌ରେ ୨୧ ହଜାର କ୍ବିଣ୍ଟାଲ ଉତ୍ପାଦନ

ଭୁବନେଶ୍ୱର,୨୫/ ୧୧: ଉଭୟ ସହର ଓ ଗ୍ରାମାଞ୍ଚଳର ମହିଳାଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଅର୍ଥ ଉପାର୍ଜନର ବାଟ ମିଳିଛି । ଲକ୍‌ଡାଉନ୍‌ ସମୟରେ ୪୩୫୫ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରାୟ ୨୧ ହଜାର କ୍ୱିଣ୍ଟାଲ ମାଛ ଉତ୍ପାଦନ କରିଛନ୍ତି । ଏହାର ବଜାର ମୂଲ୍ୟ ୩୦.୨ କୋଟି ଟଙ୍କା । ଏଥିରୁ ସେମାନେ ୧୫.୧ କୋଟି ଟଙ୍କା ଲାଭ ପାଇଛନ୍ତି ।

୨୦୧୮-୧୯ ଓ ୨୦୧୯-୨୦ ଆର୍ଥିକ ବର୍ଷରେ ୩୫୭୯.୪୨ ହେକ୍ଟର ପରିମିତ ୪୪୦୧ଟି ପଞ୍ଚାୟତ ପୋଖରୀକୁ ମିଶନ ଶକ୍ତି ମହିଳା ଗୋଷ୍ଠୀଙ୍କୁ ମାଛଚାଷ ପାଇଁ ଲିଜ୍‌ ସୂତ୍ରରେ ପ୍ରଦାନ କରାଯାଇଛି । ୪୦୩୮ଟି ପଞ୍ଚାୟତ ପୋଖରୀରେ ଏ ପର୍ଯ୍ୟନ୍ତ ପ୍ରାୟ ୮୩ କୋଟି ଟଙ୍କାର ମାଛ ଉତ୍ପାଦନ ହୋଇଛି । ନିଜ ଘର ପାଖରେ ବଜାର ସୁବିଧା ଫଳରେ ଏହି ଜୀବିକା କାର୍ଯ୍ୟକ୍ରମ ବେଶ୍‌ ସଫଳ ହେବା ସହ ରାଜ୍ୟର ମହିଳା ଓ ଶିଶୁଙ୍କ ପୁଷ୍ଟିସାଧନକୁ ଅନେକାଂଶରେ ସୁନିଶ୍ଚିତ କରିପାରିଛି । ୨୦୧୯-୨୦ ଆର୍ଥିକ ବର୍ଷରେ ୨୪୦୦ ମିଶନ ଶକ୍ତି ଗୋଷ୍ଠୀ ୨୩୪୪ଟି ପଞ୍ଚାୟତ ପୋଖରୀରେ ଉନ୍ନତ ମାଛ ଚାଷ କରି ଲାଭବାନ ହୋଇଛନ୍ତି ।

ବର୍ତ୍ତମାନ ରାଜ୍ୟରେ ୬ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀରେ ୭୦ଲକ୍ଷ ମହିଳା ସଦସ୍ୟ ବିଭିନ୍ନ ଅର୍ଥନୈତିକ କାର୍ଯ୍ୟକ୍ରମରେ ନିୟୋଜିତ ହୋଇଛନ୍ତି । ରାଜ୍ୟରେ ଗ୍ରାମପଞ୍ଚାୟତ ଦ୍ୱାରା ପ୍ରାୟ ୫୧ ହଜାର ହେକ୍ଟର ପରିମିତ ୬୪ ହଜାର ପଞ୍ଚାୟତ ପୋଖରୀ ପରିଚାଳନା କରାଯାଉଛି । ଏହି ପୋଖରୀଗୁଡ଼ିକୁ ପଞ୍ଚାୟତର ରାଜସ୍ୱ ବୃଦ୍ଧି କରିବା ଆଶାରେ ବାର୍ଷିକ ଲିଜ୍‌ ଆକାରରେ ମାଛ ଚାଷ ପାଇଁ ଦିଆଯାଉଛି ।

ଏହି ପରିପ୍ରେକ୍ଷୀରେ ୨୦୧୮ ମସିହାରୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଓ ମିଶନ ଶକ୍ତି ନିର୍ଦ୍ଦେଶାଳୟ ସହଭାଗିତାରେ ‘ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ‘ପଞ୍ଚାୟତ ପୋଖରୀରେ ମାଛ ଚାଷ’ ନାମକ ଏକ ଯୋଜନା ଆରମ୍ଭ ହୋଇଛି । ଏହି ଯୋଜନାରେ ମିଶନ୍‌ ଶକ୍ତି ଏସ୍‌ଏଚ୍‌ଜିମାନଙ୍କୁ ୩ରୁ ୫ବର୍ଷ ପର୍ଯ୍ୟନ୍ତ ଦୀର୍ଘମିଆଦି ସୂତ୍ରରେ ଅଗ୍ରାଧିକାର ଭିତ୍ତିରେ ଗ୍ରାମପଞ୍ଚାୟତ ପୋଖରୀଗୁଡ଼ିକ ଲିଜ୍‌ ଆକାରରେ ଦିଆଯାଉଛି । ଏହି ଯୋଜନାରେ ମିଶନ୍‌ ଶକ୍ତି ଗୋଷ୍ଠୀମାନଙ୍କୁ ହେକ୍ଟର ପିଛା ୯୦ହଜାର ଟଙ୍କାର ଆର୍ଥିକ ସହାୟତା ମିଳୁଛି । ଯାହାକି ମାଛ ଉତ୍ପାଦନ ଖର୍ଚ୍ଚର ୬୦ ପ୍ରତିଶତ ରହିଛି ।

ଏହି ଯୋଜନାର ସଫଳ ରୂପାୟନ ପାଇଁ ମିଶନ ଶକ୍ତି ଗୋଷ୍ଠୀମାନଙ୍କ ନିମନ୍ତେ ନିୟମିତ ତାଲିମ ପ୍ରଦାନ ଏବଂ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ୩୦ଟି ଜିଲ୍ଲାରେ ଟ୍ରେନରଙ୍କ ପାଇଁ ଟ୍ରେନିଂ କାର୍ଯ୍ୟକ୍ରମ କରାଯିବା ସହ ସେମାନଙ୍କ ମଧ୍ୟରୁ ୧୨୯୬ଜଣ ଏସ୍‌ଏଚ୍‌ଜି ସଦସ୍ୟାଙ୍କୁ ମାଷ୍ଟ୍ରର ଟ୍ରେନର ଭାବେ ଚୟନ କରାଯାଇଛି । ଏମାନେ ପୋଖରୀ ପ୍ରସ୍ତୁତି, ମାଛ ବିହନ ଚୟନ, ପରିବହନ, ଯାଁଳ ଛାଡ଼ିବା, ମାଛ ଖାଦ୍ୟ ପରିଚାଳନା ଏବଂ ବ୍ୟବସାୟ କ୍ଷେତ୍ରରେ ସଂପୃକ୍ତ ଗୋଷ୍ଠୀମାନଙ୍କୁ ବ୍ଲକସ୍ତରରେ ତାଲିମ ପ୍ରଦାନ କରୁଛନ୍ତି ।