IPL ୨୦୨୦: ପ୍ରଥମ ଖେଳାଳି ଭାବେ ଇତିହାସ ରଚିଲେ ଶିଖର ଧାଓ୍ବନ, ନିଜ ନାମରେ କଲେ ଏହି ଖାସ୍‌ ରେକର୍ଡ

ଦୁବାଇ, ୨୦/ ୧୦: ରୋମାଞ୍ଚକ ସ୍ଥିତିରେ ଚଳିତ ବର୍ଷ ଆଇପିଏଲ୍‌। ଗୋଟାଏ ପରେ ଗୋଟାଏ ନୂଆ ରେକର୍ଡ ସ୍ଥାପିତ ହେଉଛି ଏହି ଆଇପିଏଲ ସିଜିନରେ। ମଙ୍ଗଳବାର ଆଉ ନୂଆ ରେକର୍ଡ ରଚିଲେ ଦିଲ୍ଲୀ କ୍ୟାପିଟାଲ୍ସର ଓପନର ବ୍ୟାଟସମ୍ୟାନ୍‌ ଶିଖର ଧାଓ୍ବନ। ଚଳିତ ସିଜିନରେ ଦମଦାର ଫର୍ମରେ ଥିବା ଧାଓ୍ବନ ମଙ୍ଗଳବାର କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବ ବିପକ୍ଷରେ ଶତକ ଅର୍ଜନ କରିଛନ୍ତି। ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଶତକ ମାରିଛନ୍ତି। ଆଇପିଏଲରେ ଏହା ଧାଓ୍ବନଙ୍କ ୨ୟ ଶତକ। କ୍ରମାଗତ ଦୁଇଟି ମ୍ୟାଚ୍‌ରେ ଦୁଇଟି ଶତକ ହାସଲ କରିବାରେ ପ୍ରଥମ ଖେଳାଳି ହେଲେ ଧାଓ୍ବନ।

ଧାଓ୍ବନ ୧୯ ତମ ଓଭରରେ ଶତକ ଅର୍ଜନ କରିଥିଲେ। ସେ ମୋଟ ୫୭ଟି ବଲ୍‌ ଖେଳି ଶତକ ପୂରା କରିଛନ୍ତି। ଧାଓ୍ବନ ଅର୍ଶଦୀପଙ୍କ ଓଭରର ୪ର୍ଥ ବଲରେ ୨ରନ୍‌ ନେଇ ଶତକ ପୂରଣ କରିଥିଲେ। ଏହାପୂର୍ବରୁ ଧାଓ୍ବନ ପୂର୍ବ ଆଇପିଏଲ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍‌ ବିରୋଧରେ ଶାରଜାହ ଷ୍ଟାଡିୟମର ୧୦୧ରନର ଶତକୀୟ ପାରି ଖେଳିଥିଲେ।

ଧାଓ୍ବନ ନିଜ କ୍ରିକେଟ କ୍ୟାରିୟରେ ୩୪ଟି ଟେଷ୍ଟ, ୧୩୬ଟି ଦିନିକିଆ ଓ ୬୧ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ସେ ଟେଷ୍ଟ ମ୍ୟାଚରେ ୨୩୧୫ ରନ୍, ଦିନିକିଆରେ ୫୬୮୮ ଓ ଟି-୨୦ ମ୍ୟାଚରେ ମୋଟ ୧୫୮୮ ରନ୍‌ କରିଛନ୍ତି।