ଅମାନିଆ ହେଲେ ଲମ୍ବିବ ସଟ୍‌ଡାଉନ୍‌: ଲଗାତାର ୪-୫ ଦିନ ପର୍ଯ୍ୟନ୍ତ ସଟଡାଉନ ବଢ଼ାଇବା ପାଇଁ ଚାଲିଛି ବିଚାର ବିମର୍ଷ

ଭୁବନେଶ୍ୱର ୭/୦୬: ହୁ ହୁ ହୋଇ କରୋନା ବଢ଼ୁଛି । ଆଗକୁ ଭାରତରେ କରୋନା ସଂକ୍ରମଣର ବିସ୍ଫୋରଣ ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଲାଣି । ଓଡ଼ିଶାରେ ବି ସ୍ଥିତି ଚିନ୍ତାଜନକ ହେଲାଣି । ଏଥିପାଇଁ ରାଜ୍ୟ ସରକାର ୧୧ ଜିଲ୍ଲାରେ ଜୁନ୍‌ ମାସର ସମସ୍ତ ଶନିବାର, ରବିବାର ସଟ୍‌ଡାଉନ ଲାଗୁ କରିଛନ୍ତି । ହେଲେ ଅମାନିଆ ଯେଉଁଭଳି ବେପରୁଆ ହୋଇ ବୁଲୁଛନ୍ତି, ବାକି ୫ଦିନରେ ବି କରୋନା ସଂକ୍ରମଣ ବିଜୁଳି ବେଗରେ ବ୍ୟାପିପାରେ । ବିଶେଷକରି ଭୁବନେଶ୍ୱର ସ୍ଥିତି ଚିନ୍ତା ବଢ଼ାଇଲାଣି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସମେତ କେତେକ ପ୍ରମୁଖ ସହରରେ ସରକାର ସଟ୍‌ଡାଉନ୍‌ ଅବଧିକୁ ବଢ଼ାଇବା ପ୍ରସ୍ତାବ ଉପରେ ବିଚାର ବିମର୍ଷ କରୁଛନ୍ତି । ଏପରିକି ଭୁବନେଶ୍ୱରରେ ଲଗାତାର ୪-୫ ଦିନ ପର୍ଯ୍ୟନ୍ତ ସଟଡାଉନ ଲାଗୁ କରାଯାଇପାରେ ।

ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ଯଦି ଏଭଳି ଲମ୍ବା ଅବଧିର ସଟ୍‌ଡାଉନ ଲାଗୁ କରାଯାଏ, ଲୋକଙ୍କ ସୁବିଧାକୁ ମଧ୍ୟ ନଜର ରଖାଯିବ । ଜରୁରୀକାଳୀନ ସେବା ଓ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ କଟକଣା କୋହଳ କରାଯିବ । ଏହି ସମୟରେ ଅନଲାଇନ ଓ ହୋମ୍‌ ଡେଲିଭରି ବ୍ୟବସ୍ଥାକୁ ବ୍ୟାପକ କରାଯିବ । ଖାଦ୍ୟ ସାମଗ୍ରୀ, ପନିପରିବା, ଆମିଷ କିଣାକିଣି ପାଇଁ କିଛି ନିର୍ଦ୍ଦିଷ୍ଟ ସମୟ ରଖାଯାଇପାରେ । ହେଲେ ଏଥିପାଇଁ ଚାଲି କରି କିମ୍ବା ସାଇକେଲରେ ଯିବାକୁ ପଡ଼ିପାରେ । ସବୁ ସମୟରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତାକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ । ଏଭଳି ପ୍ରସ୍ତାବ ଉପରେ ବିଚାର କରାଯାଉଛି । ଯଦି ଲୋକେ ବେଫିକର ହୋଇ ସାମାଜିକ ଦୂରତା ନମାନିବେ, ବାଧ୍ୟ ହୋଇ ସରକାର ଲମ୍ବା ସଟ୍‌ଡାଉନ୍‌ ଭଳି ଚରମ ପଦକ୍ଷେପ ନେଇପାରନ୍ତି ।

ଜୁନ୍‌ ମାସ ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିସାରିଛନ୍ତି । ଏ ନେଇ ଲୋକଙ୍କୁ ସତର୍କ ମଧ୍ୟ କରାଇଛନ୍ତି । ଯଦି ଲୋକେ ଏବେ କଟକଣାକୁ ନ ମାନିବେ, ମାର୍ଚ୍ଚରୁ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ଓ ରାଜ୍ୟବାସୀ କରିଥିବା ସବୁ ପରିଶ୍ରମ ଓ ତ୍ୟାଗ ବୃଥା ହୋଇଯିବ । ଏବେ ରାଜ୍ୟରେ କ୍ୱାରେଣ୍ଟାଇନ ସଂକ୍ରମିତ ସହ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ବି ବଢ଼ିବାରେ ଲାଗିଛି । ଲୋକଙ୍କ ଜୀବିକା ବଞ୍ଚାଇବା ପାଇଁ ଲକ୍‌ଡାଉନ ସାମାନ୍ୟ କୋହଳ କରାଯାଇଥିବାବେଳେ ଅଧିକାଂଶ ଲୋକେ ଆଉ କଟକଣାକୁ ମାନୁନାହାନ୍ତି । ଏପଟେ ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ପ୍ରତିଦିନ ରେକର୍ଡ ଭାଙ୍ଗୁଛି । ଆଜି ସର୍ବାଧିକ ୧୭୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସବୁଠୁ ବେଶି ଡର ବଢ଼ାଇଛି ରାଜଧାନୀ ସ୍ଥିତି । ଭୁବନେଶ୍ୱରରେ ପୁଣି ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି । ସ୍ଥାନୀୟ ସଂକ୍ରମଣ ବଢ଼ୁଥିବାବେଳେ ସାଲିଆ ସାହି ଭଳି ବିରାଟ ବସ୍ତିରେ କରୋନା ପହଞ୍ଚିଲାଣି । ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିଯାଇଛି ।

ଆଗକୁ ସ୍ଥିତି ଆହୁରି ବିଗିଡ଼ିପାରେ । ତେଣୁ କରୋନା ମୁକାବିଲା ପାଇଁ ବିଶେଷଜ୍ଞଙ୍କ ମତାମତ ଲୋଡ଼ାଯାଇଛି । କେତେକ ବିଶେଷଜ୍ଞଙ୍କ କହିବା କଥା ହେଲା, ଲକ୍‌ଡାଉନ୍‌କୁ ଅଧିକାଂଶ ଲୋକେ ଆଉ ମାନୁନାହାନ୍ତି । ସ୍ଥିତି ନିୟନ୍ତ୍ରଣରେ ରଖିବାକୁ ହେଲେ ଏବେ ସଟ୍‌ଡାଉନ୍‌ ହିଁ ଏକମାତ୍ର ବିକଳ୍ପ । ଆବଶ୍ୟକ ପଡ଼ିଲେ ଏହାର ଅବଧି ବଢ଼ାଇବାକୁ ହେବ । ତେଣୁ ରାଜ୍ୟ ସରକାର ଏଭଳି ପ୍ରସ୍ତାବ ଉପରେ ବିଚାର କରୁଥିବା ଖବର ମିଳିଛି । ମାତ୍ର ଏ ନେଇ କିଛି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁଁ ।

   ସମ୍ବନ୍ଧିତ ଖବର


ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ

ଇଜ୍ଜତ ନେବି ବଦନାମ୍ କରିବି ‘ଶହେ କିଲୋମିଟର ଦୂରରୁ ଏମିତି ଧମକ ଦେଉଛି ଦୁର୍ବୃତ୍ତ’ ଅଥଚ- ଆତଙ୍କିତ ବିଧବା ମହିଳାଙ୍କୁ ମିଳୁନି ପୋଲିସ୍ ସୁରକ୍ଷା

ପରିବା କ୍ଷେତରୁ ବଜାର ପହଞ୍ଚିବା ପରେ ଦାମ ହେଇଯାଉଛି ଦୁଇଗୁଣା, ଜାଣନ୍ତୁ କଣ’ ରହିଛି କାରଣ…

ସ୍କୁଲ ଭିତରେ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଏସଏମ୍‌ସି ସଭାପତି ନାଁ ଥାନାରେ ଏତଲା