ପଞ୍ଜାବ ବିଧାନସଭାରେ ଜଳାଗଲା ସିଦ୍ଧୁଙ୍କ ଫଟୋ

ଚଣ୍ଡୀଗଡ,୧୮।୨:(ଏଜେନ୍ସି): ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ବିବାଦୀୟ ବୟାନ ଦେଇ କଂଗ୍ରେସ ନେତା ନଭଜୋତ ସିଂ ସିଦ୍ଧୁ ଏବେ ଚାରିଆଡେ ବିରୋଧରେ ସମ୍ମୁଖୀନ ହୋଇଛନ୍ତି। ସିଦ୍ଧୁଙ୍କର ବିବାଦୀୟ ମନ୍ତବ୍ୟକୁ ନେଇ ଆଜି ପଞ୍ଜାବ ବିଧାନସଭାରେ ତାଙ୍କ ଫଟୋ ପୋଡା ଯାଇଥିଲା। ଏଭଳି ହଙ୍ଗାମା ବିଧାନସଭା ଚାଲିଥିବା ବେଳେ ହୋଇଥିଲା। ହଙ୍ଗାମା ସମୟରେ ପଞ୍ଜାବ ସରକାରଙ୍କ ଅର୍ଥମନ୍ତ୍ରୀ ମନପ୍ରୀତ ସିଂହ ବାଦଲ ବଜେଟ ଭାଷଣ ଦେଉଥିଲେ। ହଙ୍ଗାମା ଚାଲିଥିବା ବେଳେ ସେ ତାଙ୍କର ଭାଷଣ ଜାରି ରଖିଥିଲେ। ଅନ୍ୟପକ୍ଷେ ଅକାଳୀ ଦଳ ନେତାମାନେ ଗୃହରେ ସ୍ଲୋଗାନ ଦେବା ସହ ପଞ୍ଜାବ ସରକାରଙ୍କ ମନ୍ତ୍ରୀ ନଭଜୋତ ସିଂ ସିଦ୍ଧୁଙ୍କ ଇସ୍ତଫା ମାଗିଛନ୍ତି। ଅକାଳୀ ଦଳ ନେତା ବିଧାନସଭାରେ ସିଦ୍ଧୁଙ୍କ ବୟାନ ନେଇ ଛପା ଯାଇଥିବା ରିପୋର୍ଟ ନେଇ ତାଙ୍କର ଇସ୍ତଫା ଦାବି କରିଥିଲେ। ବାଚସ୍ପତି ବିଧାୟକଙ୍କୁ ଶାନ୍ତି ରଖିବାକୁ ଅପିଲ କରିଥିଲେ।

ବାରମ୍ବାର ଚେତାବନୀ ପରେ ମଧ୍ୟ ଅକାଳୀ ଦଳ ବିଧାୟକ ମାନିନଥିଲେ ଓ ନିଜ ହାତରେ ସିଦ୍ଧୁଙ୍କ ପାକିସ୍ତାନ ଯିବାର ପୁରୁଣା ରିପୋର୍ଟ ଦେଖାଇଥିଲେ। ଅକାଳୀ ଦଳ ନେତା ପାକିସ୍ତାନ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜଓ୍ବାଙ୍କ ସହ ନିଆଯାଇଥିବା ଫଟୋକୁ ବାରମ୍ବାର ଦେଖାଇ ନାରାବାଜି କରିଥିଲେ। ଏଠାରେ ଉଲ୍ଳେଖନୀୟ ଯେ ସିଦ୍ଧୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଶପଥ ଗ୍ରହଣ ଉତ୍ସବରେ ପାକିସ୍ତାନ ଯାଇଥିଲେ। ସେତେବେଳେ ସେ ବାଜଓ୍ବାଙ୍କୁ ଆଲିଙ୍ଗନ କରି ଭାରତୀୟ ଗଣମାଧ୍ୟମ ଏବଂ ଅନ୍ୟ ଦଳର ନେତାଙ୍କ ସମାଲୋଚନାର ପାତ୍ର ହୋଇଥିଲେ। ଏଠାରେ ଉଲ୍ଲେଖନୀୟ ଯେ, ପୁଲଓ୍ବାମା ଆକ୍ରମଣ ଘଟଣା ପାଇଁ ପାକିସ୍ତାନକୁ ଦାୟୀ ନକରିବା ପାଇଁ କହି ସିଦ୍ଧୁ ଏବେ ପୁଣିଥରେ ବିବାଦର ପରିସରକୁ ଆସିଛନ୍ତି।