ସିପସରୁବାଲି ଜଙ୍ଗଲରେ ହତ୍ୟା! କଟାମୁଣ୍ଡ ଗାଏବ, ପଡ଼ିଛି ଦୁଇଖଣ୍ଡ ହାଡ

ପୁରୀ ୧୦/୧୧: ଦୁଇଦିନ ଧରି ବଳିଆପଣ୍ଡା ଥାନା ଅଞ୍ଚଳରେ ଲାଗି ରହିଛି ଟୁପୁରୁ ଟାପୁରୁ । ଜଙ୍ଗଲରେ ପଡ଼ିଛି କଟାମୁଣ୍ଡ। ଘଟିଛି ହତ୍ୟାକାଣ୍ଡ । ହତ୍ୟା ପରେ ଦୁର୍ବୃତ୍ତ ଘଟଣାକୁ ଚପାଇ ଦେଇଛନ୍ତି । ପୁଲିସ ବି ଖବର ପାଇନାହିଁ । ବାସ୍‌ ଏମିତି କିଛି ଘଟଣା ନେଇ ଆଲୋଚନା ଜୋର୍‌ ଧରିଥିବା ବେଳେ କଟାମୁଣ୍ଡ ଗାଏବ୍‌ ହୋଇଯାଇଛି । ଘଟଣାସ୍ଥଳରେ ପଡିଛି କେବଳ ଦୁଇ ଖଣ୍ଡ ଲମ୍ବା ହାଡ଼ । ଏହି ଘଟଣା ରହସ୍ୟ ଭିତରେ ରହିଯାଇଥିବା ବେଳେ ସେଠାରେ ଆଉ କିଛି ଦୃଶ୍ୟ ରହସ୍ୟକୁ ଘନୀଭୂତ କରିଛି । ଯାହା ସିପସରୁବାଲି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି । କିନ୍ତୁ ଏ ସମ୍ପର୍କରେ ଜାଣି ନଥିବା କହିଛି ପୁଲିସ । ଖବର ପାଇବା ପରେ ସନ୍ଧ୍ୟାରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

ସିପସରୁବାଲି ଜଙ୍ଗଲରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଦୁଇ ଦିନ ତଳେ ଏହି ସ୍ଥାନରେ ଗାମୁଛାରେ ବନ୍ଧା ଯାଇଥିବା ଏକ କଟା ମୁଣ୍ଡ ପଡିଥିଲା । ମୁଣ୍ଡରେ ଅଧା ପାଚି ଯାଇଥିବା ଚୁଟି ଥିଲା । ଚୁଟିକୁ ଦେଖିଲେ ଏହା ଜଣେ ପୁରୁଷଙ୍କ ମୁଣ୍ଡ ବୋଲି ଅନୁମାନ କରାଯାଇଥିଲା ବୋଲି କହିଛନ୍ତି ସ୍ଥାନୀୟ ଲୋକେ । ହେଲେ ଘଟଣାଟି ପ୍ରଘଟ ହେବା ପାଇଁ ଦୁଇ ଦିନ ଲାଗିଥିଲା । ଶନିବାର ସକାଳେ ଏହି କଟାମୁଣ୍ଡ କେଉଁଆଡେ ଗାଏବ ହୋଇଯାଇଥିଲା । ପରେ ଘଟଣା ସମ୍ପର୍କରେ ସୂଚନା ଜଙ୍ଗଲରୁ ଆସି ସହରରେ ପହଞ୍ଚି ଯାଇଥିଲା । କିଛି ଗଣମାଧ୍ୟମ ପ୍ରତିନିଧି ଘଟଣାସ୍ଥଳକୁ ଯାଇଥିଲେ ।

ସେଠାରେ ପହଞ୍ଚିବା ପରେ ଗାମୁଛାରେ ବନ୍ଧା ଥିବା ମୁଣ୍ଡଟି ନଥିବାବେଳେ ପଡିଥିଲା ଦୁଇ ଖଣ୍ଡ ଲମ୍ବା ହାଡ଼ । ଯାହା ଜଣେ ମଣିଷ ହାଡ଼ ବୋଲି ଅନୁମାନ କରାଯାଉଛି । ଏଥିସହ ନିକଟରେ ପଡିଛି ଏକାଧିକ ମଦ ବୋତଲ, କଳା ରଙ୍ଗର ଜରି ପାଲ, ଦଉଡ଼ିରେ ପ୍ରସ୍ତୁତ ଏକ ଫାଶ, ବନ୍ଧା ହୋଇଥିବା ମେଞ୍ଚାଏ ରଶି, କଳା ରଙ୍ଗର ପ୍ୟାଣ୍ଟ ଓ ୩ ପଟ ଚପଲ । ଗୋଟିଏ ସ୍ଥାନରେ ଏତେ ସବୁ ଜିନିଷ ପଡିଥିବା ଦେଖିବା ପରେ କିଛି ନା କିଛି ଘଟଣା ଘଟିଥିବା ଆଶଙ୍କା କରାଯାଇଛି । ନୂଆ ଭଳି ଦେଖାଯାଉଥିବା ଚପଲ ସହ ପଡିଥିବା ପ୍ୟାଣ୍ଟ ବି ନଷ୍ଟ ହୋଇ ନାହିଁ । ପାରିପାଶ୍ୱର୍ିକ ଅବସ୍ଥିତି ଦେଖିଲେ ଅନୁମାନ କରାଯାଉଛି ଯେ, ସେଠାରେ ଏକାଧିକ ବ୍ୟକ୍ତି ବସି ମଦ୍ୟପାନ କରିଛନ୍ତି । ଜରି ପାଲ ପକାଇ ସେମାନେ ବସିଛନ୍ତି । ପଡ଼ିଥିବା ମଦ ବୋତଲ ମଧ୍ୟ ପୁରୁଣା ହୋଇ ନଥିବାରୁ ଅଳ୍ପ ଦିନ ତଳେ ମଦ୍ୟପାନ କରାଯାଇଥିବା ମଧ୍ୟ ଅନୁମାନ କରାଯାଉଛି । ସେପଟେ କଟାମୁଣ୍ଡ ଦେଖିଲେ ଜଣାପଡୁଥିଲା ଯେ ତାହା ମାତ୍ର ୧୦ କିମ୍ବା ୧୨ ଦିନ ତଳର ବୋଲି କହିଛନ୍ତି ଲୋକେ ।

ଏବେ କଟାମୁଣ୍ଡ ଗାଏବ ନେଇ ପ୍ରଶ୍ନ ଉଠୁଛି । ଯଦି ଏହା ହତ୍ୟା ତେବେ ଘଟଣାସ୍ଥଳରେ ହୋଇଛି ନା ମୁଣ୍ଡ ଓ ହାଡ଼ କେଉଁଆଡୁ ଆଣି ଏଠାରେ ଦୁର୍ବୃତ୍ତ ଫିଙ୍ଗି ଦେଇଛନ୍ତି ବୋଲି ପ୍ରଶ୍ନ ଉଠିଛି । ପାରିପାଶ୍ୱିର୍କ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଲୋକେ ଦାବି କରୁଛନ୍ତି । ଯାହାର ତଦନ୍ତ ହେଲେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି କୁହାଯାଉଛି । କିନ୍ତୁ ଏହି ଘଟଣା ସମ୍ପର୍କରେ ଜାଣିନଥିବା କହିଛି ପୁଲିସ । ବଳିଆପଣ୍ଡା ଥାନା ଆଇଆଇସି ଚିନ୍ମୟ କୁମାର ରାଉତ କହିଛନ୍ତି ଯେ, ଏ ସମ୍ପର୍କରେ ଜାଣି ନଥିଲୁ । ଖବର ପାଇବା ପରେ ଶନିବାର ସନ୍ଧ୍ୟାରେ ଆମେ ଘଟଣାସ୍ଥଳକୁ ଯାଇଛୁ । ହେଲେ ସେମିତି କିଛି ପାଇନାହୁଁ । ଲୋକେ ଏ ନେଇ କିଛି କହୁ ନାହାନ୍ତି । ଅନୁସନ୍ଧାନ ଚାଲିଥିବା କହିଛନ୍ତି ଶ୍ରୀ ରାଉତ ।

ଅନ୍ୟପକ୍ଷେ ଏହି କଟାମୁଣ୍ଡ ଦୁର୍ବୃତ୍ତ ଗାଏବ କଲା, ନା ଜନ୍ତୁ ନେଇଗଲେ, ତାହା ଏବେ ରହସ୍ୟରେ ରହିଛି । ପୁଲିସ ଘଟଣାସ୍ଥଳରେ ପଡିଥିବା ଜିନିଷ ଓ ହାଡ ଜବତ କରିବା ସହିତ ସାଇଣ୍ଟିଫିକ୍‌ ଟିମ୍‌ ସହ ଯଦି ଛାନ୍‌ଭିନ୍‌ କରନ୍ତା ତେବେ ଏହା ହତ୍ୟା ନା ଏହା ପଛରେ ଆଉ କିଛି ରହସ୍ୟ ରହିଛି ତାହା ପଦାକୁ ଆସନ୍ତା ବୋଲି ବଳିଆପଣ୍ଡା ଅଞ୍ଚଳବାସୀ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ଫେବ୍ରୁଆରୀ ୧୨ ତାରିଖରେ ସମୁଦ୍ର କୂଳ ଥାନା ଅଧୀନ ପେଣ୍ଠକଟା ନିକଟସ୍ଥ ସଦାଶିବ ଛାତ୍ରାବାସ ନିକଟରେ ଏକ କଟାମୁଣ୍ଡ ପଡ଼ିଥିବାବେଳେ ୧୩ ତାରିଖରେ ଗାଏବ ହୋଇଥିଲା । ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । କିନ୍ତୁ ପୁଲିସ ଏହି ଘଟଣାକୁ ଅସ୍ୱୀକାର କରିଥିଲା ।

   ସମ୍ବନ୍ଧିତ ଖବର


ମୋବାଇଲକୁ ଆସୁଥିଲା ବାରମ୍ବାର ଅଶ୍ଲୀଳ ଫଟୋ-ମେସେଜ୍, ୧୦ମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା

୨୨ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ : ଗ୍ରାମାଞ୍ଚଳରେ ଆୟ ବୃଦ୍ଧି ଉପରେ ବିଶେଷ ଗୁରୁତ୍ବ, କୃଷକ ପାଇଁ ଇ-ମାର୍କେଟ ବ୍ୟବସ୍ଥା

ରଥଖଳା: ଆଜି ରଥଖଳାରେ ପନ୍ତି ଗ୍ରହଣ

୭ ଜନ୍ମର ବନ୍ଧନ ଗଲାନି ୭ ମାସ : ବାହାଘରର ୩ ମାସ ନପୁରୁଣୁ ଘରୁ ମିଳିଲା ନବ ଦମ୍ପତିଙ୍କ ମୃତଦେହ

ନବଯୌବନ ଦର୍ଶନ ପରେ ସୂର୍ଯ୍ୟୋପରାଗ ନୀତି: ଜୁନ୍‌ ୨୦ ରାତିରୁ ପାକ ତ୍ୟାଗ

ଛେଳି ବେପାରୀଙ୍କୁ ବନ୍ଧୁକ ଦେଖାଇ ୧୬ ଲକ୍ଷ ଲୁଟ୍‌