ଶୀତଳଷଷ୍ଠୀ ଯାତ୍ରା ଚଳିତ ବର୍ଷ କିଭଳି ଆୟୋଜନ କରାଯିବ ତାହାକୁ ନେଇ ସ୍ଥିତି ଅସ୍ପଷ୍ଟ!

ସମ୍ବଲପୁର ୧୧/୫: କରୋନା ଆତଙ୍କ ସାରା ବିଶ୍ବର ସ୍ବାଭାବିକ ସ୍ଥିତିକୁ ଓଲଟପାଲଟ କରିଦେଇଛି। ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଆସନ୍ତା ମେ ମାସ ୧୭ ତାରିଖ ଯାଏ ଲକ୍‌ଡାଉନ୍ ଘୋଷଣା କରାଯାଇଛି। ଏଭଳି ସ୍ଥିତିରେ ସମ୍ବଲପୁରର ପ୍ରସିଦ୍ଧ ପର୍ବ ଶୀତଳଷଷ୍ଠୀ ଯାତ୍ରା ଚଳିତ ବର୍ଷ କିଭଳି ଆୟୋଜନ କରାଯିବ ତାହାକୁ ନେଇ ସ୍ଥିତି ଅସ୍ପଷ୍ଟ । ଏହା ଭିତରେ ଆଦ୍ୟପର୍ବ ଥାଳ ଉଠା ସଂପନ୍ନ ହୋଇ ସାରିଥିବା ବେଳେ ପତରପେଁଡ଼ି ପର୍ବ ୨୩ ତାରିଖରେ ହେବ। ହେଲେ ଏଯାଏ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାତ୍ରା ଆୟୋଜନ କମିଟି ଗୁଡିକ ସହ କୌଣସି ପ୍ରକାର ଆଲୋଚନା କରାଯାଇ ନାହିଁ। ପୁରୀ ରଥଯାତ୍ରା ପାଇଁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରୁଥିବା ବେଳେ ଶୀତଳଷଷ୍ଠୀ ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ସାମାନ୍ୟ ଆଲୋଚନା ପାଇଁ ମଧ୍ୟ ଆଗ୍ରହ ପ୍ରକାଶ ନକରିବା ଦୁଃଖର ବିଷୟ ବୋଲି ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ବିଶ୍ବ ବିଦିତ। ଦେବଦମ୍ପତି ଶିବ ଏବଂ ପାର୍ବତୀଙ୍କ ଲୋକାଚାର ରୀତିନୀତିରେ ବିବାହ ହିଁ ଏହି ଯାତ୍ରାର ମୁଖ୍ୟ ପରମ୍ପରା। ଅକ୍ଷୟତୃତୀୟାରେ ଆଦ୍ୟପର୍ବ ଥାଳ ଉଠାରୁ ଏହି ଯାତ୍ରା ଆରମ୍ଭ ହୋଇଥାଏ। ତା ପରେ ଏହାର ଠିକ୍ ମାସକ ପରେ ବିବାହ ଉତ୍ସବ ଆୟୋଜନ ହୋଇଥାଏ। ପତରପେଁଡ଼ି ଠୁ ଆରମ୍ଭ କରି ଦେବଦମ୍ପତିଙ୍କ ବିବାହ, ତା ପରେ ଯୁଗଳ ଶୋଭାଯାତ୍ରା ଆଦି ପରମ୍ପରା ରହିଛି। ବିବାହ ଶୋଭାଯାତ୍ରାରେ ହଜାର ହଜାର ସଂଖ୍ୟକ କଳାକାରଙ୍କ ସମାଗମ ହୋଇଥାଏ। ଏହିସହ ଯାତ୍ରାକୁ ଉପଭୋଗ କରିବାକୁ ଲକ୍ଷ ଲକ୍ଷ ଲୋକ ରୁଣ୍ଡ ହୋଇଥାନ୍ତିା ମୁଦିପଡା, ଝାଡୁଆପଡା, ନନ୍ଦପଡା, ସମେତ ବଡବଜାର ଓ ଠାକୁରପଡା ପକ୍ଷରୁ ମୁଖ୍ୟତଃ ବହୁ ଆଡମ୍ବର ସହକାରେ ଲକ୍ଷ ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ଯାତ୍ରା ଆୟୋଜନ କରଯାଇଥାଏ। ଏଥିସହ ଆହୁରି ଅନେକ ଛୋଟବଡ ଆକାରରେ ବିଭିନ୍ନ ପଡା ପକ୍ଷରୁ ଶୀତଳଷଷ୍ଠୀ ଯାତ୍ରା କରାଯାଇଥାଏ।

ତେବେ ଚଳିତ ବର୍ଷ କରୋନା ଭୂତାଣୁ ଜନିତ ପରିସ୍ଥିତି ଶୀତଳଷଷ୍ଠୀ ଯାତ୍ରା ଆୟୋଜନ ପାଇଁ ଏକ ଦ୍ବନ୍ଦ୍ବାତ୍ମକ ପରିସ୍ଥିତି ସୃଷ୍ଟି କରିଛି। ଥାଳଉଠା ପର୍ବକୁ ନିରାଡମ୍ବର ଭାବେ ଆୟୋଜନ କରାଯାଇଥିବା ବେଳେ ଆସନ୍ତା ୨୩ ତାରିଖରୁ ପତରପେଁଡି ଏବଂ ୨୭ ତାରିଖରେ ଦେବ ଦମ୍ପତିଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ। ଲକ୍‌ଡାଉନ୍‌ ଯୋଗୁଁ ଆପାତତଃ ସମସ୍ତ ଯାତ୍ରା କମିଟି ପକ୍ଷରୁ ଚଳିତ ବର୍ଷ ଯାତ୍ରାକୁ କେବଳ ପରମ୍ପରା ତଥା ବିଧିରକ୍ଷା ଭାବେ ଆୟୋଜନ କରିବାକୁ ମନସ୍ଥ କରିଛନ୍ତି। ଏପରିକି ଚଳିତ ବର୍ଷ ମୀନାବଜାର ମଧ୍ୟ ବାତିଲ୍ କରାଯାଇଛି। ତଥାପି ଐତିହ୍ୟସଂପନ୍ନ ଏହି ଯାତ୍ରା କିଭଳି ପାଳନ କରାଯିବ ସେ ଦିଗରେ ଜିଲ୍ଲା ପ୍ରଶାସନ କମିଟି କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା କଥା ପୂର୍ବ ବର୍ଷ ଗୁଡିକରେ ଥାଳ ଉଠା ପରେ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ନେଇ ସମନ୍ବୟ କମିଟି କର୍ମକତ୍ତାଙ୍କ ସହ ଆଲୋଚନା କରୁଥିବାର ନଜିର ରହିଛି। ହେଲେ ଏଥର ଏହି ସଙ୍କଟମୟ ପରିସ୍ଥିତିରେ ଜିଲ୍ଲା ପ୍ରଶାସନ ନିଜ ଦାୟିତ୍ବ ଭୁଲି ସଂପୂର୍ଣ୍ଣ ଚୂପ୍ ରହିବା ଦୁଃଖର ବିଷୟ ବୋଲି ଆୟୋଜକ କମିଟି କର୍ମକର୍ତ୍ତା କ୍ଷୋଭ ପ୍ରକାଣ କରିଛନ୍ତି।

   ସମ୍ବନ୍ଧିତ ଖବର


ସମ୍ଭାବ୍ୟ ବାତ୍ୟା ପୂର୍ବରୁ ପ୍ରଶାସନର ତତ୍ପରତା: ତିନି ପଞ୍ଚାୟତର ୩ଶହରୁ ଉର୍ଦ୍ଧ୍ବ ଲୋକ ସ୍ଥାନାନ୍ତରିତ

ଭାରତର ଜନସଂଖ୍ୟାର ଅଧା କରୋନା ସଂକ୍ରମିତ ହୋଇପାରନ୍ତି ! ଜାଣନ୍ତୁ କେବେ ସୁଦ୍ଧା?

ଚାଲିଗଲା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଜୀବନ, କରୋନା ଯୋଦ୍ଧାଙ୍କୁ ଝୁରିଲେ ଲୋକେ

‘ମୋ ବିଦ୍ୟୁତ୍‌’ ଆପ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଏବେ ଅନ୍‌ଲାଇନ୍‌ରେ‌ ଦେଇ ହେବ ବିଦ୍ୟୁତ ବିଲ୍

ଲଦାଖ ସୀମାରେ ପ୍ରବଳ ଥଣ୍ଡାରେ ବି ଭାରତୀୟ ସେନାଙ୍କ ଆଖିର ପତ୍ତା ପଡ଼ୁନି, ଆମେରିକାରୁ ଅଣାଯାଇଛି ଉନ୍ନତ ଗରମ ପୋଷାକ

ଆଜି ଠାରୁ ଏହି ସବୁ ରାଜ୍ୟରେ ଖୋଲିଲା ସ୍କୁଲ୍ ! କୋଭିଡ୍ ନିୟମାନୁଯାୟୀ କ୍ଲାସ୍ ଚାଲିବ