‘ଅମ୍‌ପନ୍‌’ ଓ କରୋନା ସ୍ଥିତି ସମୀକ୍ଷା, ୧୨ ହଜାର ସ୍ଥାନାନ୍ତରିତ

କେନ୍ଦ୍ରାପଡ଼ା,୧୯ା୪(ଆପ୍ର): ସମ୍ଭାବ୍ୟ ବାତ୍ୟା ‘ଅମ୍‌ପନ୍‌’ ମୁକାବିଲା ପାଇଁ ପୂରା ଦମ୍‌ରେ ଲାଗିପଡ଼ିଛି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ । ଘନଘନ ଚାଲିଛି ପ୍ରସ୍ତୁତି । ଅତ୍ୟାବଧି ଗତକାଲି ରାତିଠାରୁ ଆଜି ରାତି ସୁଦ୍ଧା ଏଯାବତ ୧୨ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ସରିଲାଣି । ପ୍ରଥମେ ପର୍ଯ୍ୟାୟରେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର, ମହାକାଳପଡ଼ା ବ୍ଲକର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯାଉ ଥିବାବେଳେ ରାଜକନିକା ବ୍ଲକ ବି ତଳି ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରିବା ଯୋଜନା ରହିଛି । ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳ ରାଜନଗର ବ୍ଲକ ପ୍ରସନ୍ନପୁର, ପେଣ୍ଠ, ବଗପାଟିଆ ଆଦି ଅଞ୍ଚଳ ଗସ୍ତକରି ସ୍ଥାନାନ୍ତର କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ।

ରାଜନଗର ଓ ମହାକାଳପଡ଼ା ବ୍ଲକର ୨୯ ପଞ୍ଚାୟତର ପ୍ରାୟ ଲକ୍ଷେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯିବାର ପ୍ରଶାସନ ଯୋଜନା ପ୍ରସ୍ତୁତ କରିଛି । ଏଣେ ସମ୍ଭାବ୍ୟ ବାତ୍ୟା ଅମ୍‌ପନ୍‍ ଓ କୋଭିଡ୍‍-୧୯ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ନିୟୋଜିତ ଆଇଏଏସ୍‍ ତଥା ଶିଳ୍ପ ସଚିବ ବରିଷ୍ଠ ପ୍ରଶାସକ ହେମନ୍ତ ଶର୍ମା ପର୍ଯ୍ୟବେକ୍ଷକ ଭାବେ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତକରି ବିଭିନ୍ନ କାର୍ଯ୍ୟକ୍ରମର ସୀମୀକ୍ଷା କରିଛନ୍ତି । କୋଭିଡ୍‌-୧୯ ଓ ସାମ୍ଭାବ୍ୟ ବାତ୍ୟା ଅମ୍‌ପନ୍‍ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ସମ୍ପର୍କରେ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ପହଞ୍ଚି ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହ ଆଲୋଚନା କରି ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଜିଲ୍ଲାର ରାଜନଗର, ମହାକାଳପଡ଼ା ସମୁଦ୍ର ଉପକୂଳରୁ ୫ କିଲୋମିଟର ପରିଧିରେ ରହୁଥିବା ସମସ୍ତ ଜନସାଧାରଣଙ୍କୁ ନିର୍ଦ୍ଧାରିତ ବାତ୍ୟା ଆଶ୍ରହ ଗୃହ ଓ ସ୍ୱତନ୍ତ୍ର ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ବାତ୍ୟାକୁ କୋଭିଡ୍‍-୧୯ ବାତ୍ୟା ଭାବେ ମତବ୍ୟକ୍ତ କରି ବାତ୍ୟା ଆଶ୍ରୟସ୍ଥଳୀକୁ ଓ ସ୍ୱତନ୍ତ ଆଶ୍ରୟସ୍ଥଳୀକୁ ଅଣାଯାଉଥିବା ଲୋକଙ୍କ କୋଭିଡ୍‌-୧୯ ନିୟମ ତଥା ହାତ ଧୋଇବା ଓ ସାମାଜିକ ଦୂରତା ରକ୍ଷା କରିବା, ମାସ୍କ୍‌ ପିନ୍ଧିବାକୁ ଗୁରୁତ୍ୱରୋପ କରିଥିଲେ । ଜିଲ୍ଲାରେ ୨୯ଟି ଅଗ୍ନିଶମ ଦଳ, ଦୁଇଟି ଓଡ୍ରାଫ୍‌, ୩ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‍ ପହଞ୍ଚି ସାରିଥିବାବେଳେ ଆବଶ୍ୟକ ପଡ଼ିଲେ ଆଉ ଅଧିକ ଟିମ୍‌ ଅଣାଯିବ ବୋଲି ଶ୍ରୀ ଶର୍ମା ପ୍ରକାଶ କରିଥିଲେ । ସମସ୍ତ ଆଶ୍ରୟସ୍ଥଳୀର ଅନ୍ତେବାସୀଙ୍କୁ ବାତ୍ୟା ପୀଡ଼ିତ ଲୋକଙ୍କୁ ଦୁଇଦିନ ପାଇଁ ଛତୁଆ ଓ ଚୁଡ଼ା ଯୋଗାଇ ଦିଆଯିବ । ବାତ୍ୟା ପରେ ବିପନ୍ନ ଲୋକଙ୍କୁ ଆବଶ୍ୟକ ସ୍ଥଳେ ରନ୍ଧା ଖାଦ୍ୟ ବଣ୍ଟନ କରାଯିବ । ବିଦ୍ୟୁତ୍‍ ବିଭାଗ ତରଫରୁ ବାତ୍ୟା ପରବର୍ତ୍ତୀ ଅବସ୍ଥାରେ ବିଦ୍ୟୁତ ତୁରନ୍ତ ସଂଯୋଗ ବ୍ୟବସ୍ଥା ପାଇଁ ଆବଶ୍ୟକ ବିଦ୍ୟୁତ ଖୁଣ୍ଟ, କଣ୍ଡକ୍ଟର, ଟ୍ରାନଫର୍ମର, କର୍ମଚାରୀ ପ୍ରସ୍ତୁତ ରହିବାକୁ ବିଦ୍ୟୁତ ବିଭାଗକୁ ଶ୍ରୀ ଶର୍ମା ନିର୍ଦ୍ଦେଶ ଦେଇଥିଲେ । ଗ୍ରାମ୍ୟ ପାନୀୟ ଓ ଜଳଯୋଗାଣ ବିଭାଗର ୨୯୫ଟି ପାଇପ୍‌ ପାନୀୟ ଜଳ ପ୍ରକଳ୍ପ ଏବେ କାର୍ଯ୍ୟ କରୁଛି । ବିଶେଷ ଭାବେ ସମୁଦ୍ର ଉପକୂଳ ଅଞ୍ଚଳରେ ୪୨ଟି ପାଇପ୍‍ ପ୍ରକଳ୍ପ କାର୍ଯ୍ୟ କରୁଛି । ବାତ୍ୟା ସମୟରେ ବିଦ୍ୟୁତ ସଂଯୋଗ କଟିଗଲେ ପାନୀୟ ଜଳ ପ୍ରକଳ୍ପ ଚାଲୁ ରଖିବା ପାଇଁ ଡିଜିସେଟ୍‍ ପ୍ରସ୍ତୁତ କରି ସମ୍ପୃକ୍ତ ଅଞ୍ଚଳରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଜିଲ୍ଲାରେ ଥିବା ୧୬୯୮୩ ନଳକୂଅ ମରାମତି ଓ ସଚଳ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ପୂର୍ତ୍ତ ବିଭାଗ ଓ ଆର୍‌ଡି ବିଭାଗ ତୁରନ୍ତ ରାସ୍ତା ସଫା କରିବା, ମରାମତି ଇଦ୍ୟାଦି ପାଇଁ ଜେସିବି, ଟ୍ରାକ୍ଟର୍‌ ଆଦି ପ୍ରସ୍ତୁତ ରଖିବା ସହ ଟେଲିଫୋନ୍‌, ଭିଏଚ୍‍ଏଫ୍‍, ଏୟାରଟେଲ୍‌, ଜିଓ ଆଦି ଟେଲିଫୋନ୍‌ ନେଟ୍‌ୱାର୍କ ସେବାକୁ ସଚଳ ରଖିବାକୁ ଗୁରୁତ୍ୱ ପ୍ରଦାନ କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଚଳ ରଖିବାକୁ ନିର୍ଦ୍ଦେଶ ଦେବା ସହ ପଶୁ ସମ୍ପଦ ବିଭାଗ ତରଫରୁ ମଧ୍ୟ ପଶୁଙ୍କୁ ଖାଦ୍ୟ ଓ ଔଷଧ ଗଚ୍ଛିତ ରଖିବାକୁ କୁହାଯାଇଛି । ବାତ୍ୟା ପରବର୍ତ୍ତୀ ଅବସ୍ଥାରେ ତୁରନ୍ତ ଆଲୋକ ବ୍ୟବସ୍ଥା ପାଇଁ ୩୦୦ ଟାୱାର୍‌ ଲାଇଟ୍‌ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ପର୍ଯ୍ୟବେକ୍ଷକ ଶ୍ରୀ ଶର୍ମାଙ୍କ ସମେତ ଅନ୍ୟତମ ପର୍ଯ୍ୟବେକ୍ଷକ ସୁରେଶ ଚନ୍ଦ୍ର ଦଳେଇ, ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ନରହରି ସେଠୀ, ଡିଆର୍‌ଡ଼ିଏ ପିଡି ଦିଲ୍ଲୀପ କୁମାର ପରିଡ଼ା, ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର ଓ ଜିଲ୍ଲା ସ୍ତରୀୟ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇଥିଲେ ।

   ସମ୍ବନ୍ଧିତ ଖବର


ରାଉରକେଲା ସ୍କର୍ପିଓ ପୋଡି ଘଟଣା; ଗୋମାଂସ ଚାଲାଣ ସନ୍ଦେହରେ ଦୁର୍ବୃତ୍ତ ଜାଳିଥିଲେ ଗାଡି, ଡ୍ରାଇଭର ସମେତ ୪ ଗିରଫ

ନୀଳଗିରିକୁ ଝାଡଖଣ୍ଡି ହାତୀପଲଙ୍କ ଆଗମନ ଆଶଙ୍କା, ଦନ୍ତା ହାତୀ ଆସିବୁଲି ଫେରିଯିବା ପରେ ବଢିଲା ଚିନ୍ତା…

ଦୋକାନ ଛାତ କଣାକରି ଦୁଇକିଲୋ ସୁନା ଅଳଙ୍କାର ଚୋରି କରିନେଲେ ଦୁର୍ବୃତ୍ତ..

ନଦୀକୁ ମାଛ ଧରିବାକୁ ଯାଇ ଦୁଇଦିନ ହେବ ନିଖୋଜ ଅଛନ୍ତି ଯୁବକ, କୁମ୍ଭୀର ଭିଡି ନେଇଥିବା ସନ୍ଦେହ…

କୋଭିଡ କଟକଣା ଭିତରେ ପୂଜାହେଲା ସମଲେଶ୍ବରୀଙ୍କ ବଏଲ ପୂଜା…

ନିଜ ସର୍ଭିସ ରିଭଲଭରରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ସିଆର୍ପିଏଫ୍ ଯବାନ