ସଂଘର୍ଷ ଓ ସଫଳତା: କ୍ରୀଡ଼ାବିତ ଶିବ ସିଂଙ୍କ ଅଙ୍ଗେଲିଭା କାହାଣୀ, ମୃତ୍ୟୁକୁ ବି ହରାଇଛନ୍ତି…

ପ୍ରଶ୍ନ: ଜୀବନରେ କାହିଁକି କ୍ରୀଡ଼ାବିତଟିଏ ହେବାକୁ ଇଚ୍ଛା କଲେ? ଅନ୍ୟ କ୍ରୀଡ଼ା ଛାଡ଼ି କାହିଁକି ଆଥଲେଟ୍‌ ହେଲେ?

ଉତ୍ତର- ଗାଁରେ ମୋର ଜନ୍ମ । ସବୁ ପିଲାଙ୍କ ଭଳି ମୁଁ ମଧ୍ୟ ଖେଳୁଥିଲି । କେହି କହିବାକୁ ନଥିଲେ କିମ୍ବା ଶିଖାଇବାକୁ ବି ନଥିଲେ । ଫୁଟବଲ୍‌, କବାଡ଼ି ଖେଳୁଥିଲି । ଖେଳୁଥିଲି ହେଲେ କ୍ରୀଡ଼ା ଉପରେ କିଛି ବି ଧାରଣା ନଥିଲା । ଅଷ୍ଟମ, ନବମ ଶ୍ରେଣୀରୁ ସ୍କୁଲ ସ୍ତରରେ ବିଭିନ୍ନ କ୍ରୀଡ଼ାରେ ଭାଗ ନେଉଥିଲି । ଫୁଟବଲ୍‌ ଓ କବାଡ଼ିରେ ସ୍କୁଲ ଦଳରେ ସାମିଲ ହୋଇ ରାଜ୍ୟସ୍ତରୀୟ ଓ ଜାତୀୟ ସ୍ତରର ପ୍ରତିଯୋଗିତା ଖେଳିଛି । ସ୍କୁଲର କ୍ରୀଡ଼ା ଶିକ୍ଷକ ଯାହା କହୁଥିଲେ ତାହା ହିଁ କରୁଥିଲୁ ।
ଏବେ ଜାଣୁଛି, ଯଦି ମୋତେ କେହି ଖେଳ ଶିଖାଇଥାନ୍ତେ । ତେବେ ଭାବୁଛି ଜୀବନରେ ବହୁତ କିଛି ସଫଳତା ପାଇ ପାରିଥାନ୍ତି । ଫୁଟବଲ୍‌, କବାଡ଼ି ଖେଳି ଖେଳି ଶେଷରେ ବହୁ ଅଧିକ ବୟସରେ ଆଥଲେଟିକ୍‌ କଲି । କଲେଜ ପଢ଼ା ସରିବା ପରେ ଚାକିରି ପାଇଁ ଆବେଦନ କଲି । ପୁଲିସ୍‌ ଚାକିରି ମିଳିଲା । ୧୯୭୯ ମସିହାରେ ଓଡ଼ିଶା ପୁଲିସରେ ଯୋଗ ଦେଲି । ଚାକିରି କରିବା ପରେ ବିଭାଗୀୟ ବାର୍ଷିକ ମିଟ୍‌ରେ ଯୋଗଦେଲି । ଆଥଲେଟିକ୍‌ରେ ମୋର ଭାଗ ନେବାକୁ ଇଚ୍ଛା ହେଲା । ଭାଗ ନେଲି ଏବଂ ସଫଳ ମଧ୍ୟ ହେଲି । ଏହାପରେ ଅନ୍ୟ କ୍ରୀଡ଼ା ଛାଡ଼ି କେବଳ ଆଥଲେଟିକ୍‌ ପାଇଁ ପ୍ରସ୍ତୁତି କଲି।

ପ୍ର. କ୍ରୀଡ଼ା ଜୀବନର ସବୁଠୁ ସଫଳତାର ମୁହୂର୍ତ୍ତ ସଂପର୍କରେ କୁହନ୍ତୁ?
ଉ. ଜୀବନରେ ରାଜ୍ୟ, ଜାତୀୟ ଏବଂ ଅନ୍ତର୍ଜାତୀୟ ଇଭେଣ୍ଟରେ ଅଂଶ ଗ୍ରହଣ କରି ୨୦ରୁ ଊଦ୍ଧ୍ୱର୍ ପଦକ ଜିତିଛି । ୪୦୦ ମିଟରରେ ଅଂଶ ଗ୍ରହଣ କରୁଥିଲି । ମୋ ନାମରେ ପୁଲିସ୍‌ ବିଭାଗ ଏବଂ ରାଜ୍ୟ ଆଥଲେଟିକ୍‌ରେ ରେକର୍ଡ ଥିଲା । ଜାତୀୟ ରେକର୍ଡ ମଧ୍ୟ ଭାଙ୍ଗିବାର ପ୍ରୟାସ କରିଥିଲି । ମାତ୍ର ସଫଳ ହୋଇପାରି ନଥିଲି । କେବଳ ସ୍ୱର୍ଣ୍ଣରେ ଖୁସି ହେବାକୁ ପଡ଼ିଥିଲା ।

କ୍ୟାରିୟରରେ ବହୁ ଛୋଟ ଛୋଟ ତ୍ରୁଟି ପାଇଁ ଅନେକ ସଫଳତା ହାତ ଛଡ଼ା କରିଛି । କାରଣ ସେ ସଂପର୍କରେ ମୋତେ କେହି କହିବାକୁ ନଥିଲେ କିମ୍ବା ମୋତେ ଉପରସ୍ତରରେ ପଛରୁ ସମର୍ଥନ ମଧ୍ୟ ନଥିଲା । ୧୯୮୭ ମସିହାରେ କେରଳରେ ଆୟୋଜିତ ହୋଇଥିଲା ଜାତୀୟ କ୍ରୀଡ଼ା । ଓଡ଼ିଶାରୁ ୭୦ରୁ ଊର୍ଦ୍ଧ୍ୱ ପିଲା ଅଂଶ ଗ୍ରହଣ କରିଥିଲେ । ମୁଁ ଜିତିଥିଲି ୪୦୦ ମିଟରରେ ସ୍ୱର୍ଣ୍ଣ ପଦକ । ମୋର ଟାଇମିଂ ଥିଲା ୪୭.୪ ସେକେଣ୍ଡ । ଆଉ ଟିକିଏ ଭଲ ପ୍ରଦର୍ଶନ କରିଥିଲେ ଜାତୀୟ ରେକର୍ଡ ଭାଙ୍ଗିବାର ସୁଯୋଗ ମୋ ପାଖରେ ରହିଥିଲା । ତାହା ହେଲା ନାହିଁ ।

ମୁଁ ହିଁ ଏକା ଏହି ସଂସ୍କରଣରେ ସ୍ୱର୍ଣ୍ଣ ପଦକ ଜିତିଥିଲି । ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ମୋତେ ସମ୍ମାନିତ କରିବା ସହ ପୁରସ୍କାର ସ୍ୱରୂପ ୫ ହଜାର ଟଙ୍କା ମଧ୍ୟ ପ୍ରଦାନ କରିଥିଲେ । ଧୀରେ ଧୀରେ ଏମିତି ବିଭିନ୍ନ ପ୍ରତିଯୋଗିତାରେ ସଫଳତା ପାଇବାରେ ଲାଗିଲି । ସମସ୍ତେ ପ୍ରଶଂସା କରୁଥିଲେ, ଆମ ପୁଲିସ ବିଭାଗର ବଡ଼ ବଡ଼ ଅଫିସରମାନେ ମୋତେ ଉତ୍ସାହିତ କରୁଥିଲେ ।

ପ୍ର. କ୍ରୀଡ଼ା କ୍ୟାରିୟରର ସବୁଠୁ ବଡ଼ ବଡ଼ ବିଫଳତା?
ଉ. କ୍ୟାରିୟରର ସବୁଠୁ ବଡ଼ ବିଫଳତା ଥିଲା ୧୯୮୭ ଦକ୍ଷିଣ ଏସୀୟ କ୍ରୀଡ଼ା । ୪ ଗୁଣା ୪୦୦ ମିଟର ରିଲେରେ ଆମେ ଅଳ୍ପକେ ପଦକ ଜିତିବାରୁ ବଞ୍ଚିତ ହେଲୁ । ଦଳ ଚୟନରେ ଗଡ଼ବଡ଼ ଯୋଗୁ ମୋତେ ତୃତୀୟ ମ୍ୟାନ୍‌ ଭାବେ ନିଆଯାଇଥିଲା। କିନ୍ତୁ ମୁଁ ଟପ୍ପର ଥିଲି । ଯାହା ବି ହେଉ ମୁଁ ମୋ ପଜିସନ୍‌ରେ ପ୍ରଥମ ଥିଲି । କେରଳର ମୂରଲୀ ଧରନ ଥିଲେ ଶେଷ ମ୍ୟାନ୍‌ । ତାଙ୍କୁ ମୁଁ ଦୌଡ଼ି ବାଟନ ଦେଲି । ସେ ଫିନିସ କରିବା କଥା । କିନ୍ତୁ ତାହା ହୋଇ ପାରିଲା ନାହିଁ । ପାକିସ୍ତାନ ଆଥଲେଟଙ୍କ ସହ ଧକ୍କା ହୋଇ ସେ ଟ୍ରାକ୍‌ ବାହାରକୁ ପଡ଼ି ଯାଇଥିଲେ । ଶେଷରେ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଥିଲା । ଆମେ ପଦକ ଦାବିଦାର ହୋଇବି ଶେଷ ମୁହୂର୍ତ୍ତରେ ସୁଯୋଗ ହାତଛଡ଼ା କଲୁ । ଯାହା ଏବେ ମୋତେ ଭାରି ଦୁଃଖ ଦିଏ ।

ପ୍ର. ଜୀବନର ବଡ଼ ଅବସୋସ୍‌ କ’ଣ?
ଉ. ଅଲିମ୍ପିକ୍ସ ନଖେଳି ପାରିବା ମୋର ବଡ଼ ଅବସୋସ୍‌ । ୧୯୮୮ ଅଲିମ୍ପିକ୍ସ ପାଇଁ ଦିଲ୍ଲୀରେ ଯୋଗ୍ୟତା ପର୍ଯ୍ୟାୟ ଆୟୋଜିତ ହୋଇଥିଲା । ୪୦୦ ମିଟରରେ ଯୋଗ୍ୟତା ଟାଇମିଂ ରହିଥାଏ ୪୫.୦ ସେକେଣ୍ଡ । ଆମେରିକାରୁ ଜଣେ ଆଥଲେଟ ଆସିଥିଲେ, ସେ ତାଙ୍କ ନିଜ ଦେଶରେ ଦୁଇ ଦିନ ପୂର୍ବରୁ ୪୪.୦୦ ସେକେଣ୍ଡ ପ୍ରଦର୍ଶନ ଦେଇ ଆସିଥିଲେ । ମାତ୍ର ଦିଲ୍ଲୀର ଜବହାରଲାଲ୍‌ ନେହେରୁ ଷ୍ଟାଡିୟମରେ ଦୌଡ଼ିଲାବେଳେ ସେ ଦେଲେ ୪୭.୦୦ ସେକେଣ୍ଡ । ମୋ ଟାଇମିଂ ମଧ୍ୟ ୪୭.୦୦ ସେକେଣ୍ଡ ଥିଲା । ମୋତେ କିମ୍ବା ଆମ ରିଲେ ଦଳକୁ ଏଆଇଏଫ୍‌ଏଫ୍‌ (ଭାରତୀୟ ଆଥଲେଟିକ୍‌ ସଂଘ) ଅନୁମତି ଦେଲା ନାହିଁ । ଯେହେତୁ ଶେଷ ଅଲିମ୍ପିକ୍ସରେ ପିଟି ଉଷା ଯାଇଥିଲେ । ତେଣୁ ପିଟିଙ୍କ ସହ ତାଙ୍କ ମହିଳା ରିଲେ ଦଳକୁ ଅଲିମ୍ପିକ୍ସ ପଠାଯାଇଥିଲା । ସେମାନେ ସିଧାସଳଖ ଯୋଗ୍ୟତା ହାସଲ କରି ପାରି ନଥିଲେ ।
ଆମ ରାଜ୍ୟରୁ ଯଦି ସେଠାରେ କେହି ସେମିତି ପ୍ରତିଭାଶାଳୀ ବ୍ୟକ୍ତି ଥାନ୍ତେ କିମ୍ବା ମୋ ବିଭାଗର ଯଦି ପୂରା ସହଯୋଗ ମିଳିଥାନ୍ତା ହୁଏତ ମୋତେ ଅଲିମ୍ପିକ୍ସ ସୁଯୋଗ ମିଳି ପାରିଥାନ୍ତା । ପରେ ଜାଣିବାକୁ ପାଇଲି କେପି ସିଂହଦେଓ ଏଆଇଏଫ୍‌ଏଫ୍‌ର ସଦସ୍ୟ ଅଛନ୍ତି । ତାଙ୍କୁ ଭେଟି ଏ ବିଷୟରେ ଜଣାଇଥିଲି ।

ମେଡାଲ ପାଏ କି ନ ପାଏ ଯଦି ଅଲିମ୍ପିକ୍ସରେ ଦୌଡ଼ିବାର ସୁଯୋଗ ପାଇଥାନ୍ତି ତେବେ ବହୁତ ଖୁସି ଲାଗିଥାନ୍ତା । ମାତ୍ର ତାହା ହେଲା ନାହିଁ । ଯାହା ମୋତେ ଏବେ ବହୁତ ଦୁଃଖ ଦେଉଛି । ଜୀବନର ଏହାଠୁ ବଡ଼ ଅବସୋସ ମୋର ଆଉ କିଛି ନାହିଁ । ଦକ୍ଷତା ଥିଲା କିନ୍ତୁ ଅଲିମ୍ପିଆନ୍‌ ଟିଏ ହୋଇ ପାରିଲିନି । ଖାଇବା ଓ ଦୌଡ଼ିବା ବ୍ୟତୀତ କିଛି ଜାଣି ନଥିଲି । ଭଲ କୋଚଙ୍କ ପାଖରେ ବି ପ୍ରଶିକ୍ଷଣ ନେବାର ସୁଯୋଗ ପାଇଲି ନାହିଁ । ଛୋଟ ଛୋଟ ଟେକ୍‌ନିକ୍‌ ଗତ ତ୍ରୁଟି ପାଇଁ ବହୁ ପଛରେ ରହିଗଲି । ବର୍ତ୍ତମାନ ଛୋଟ ପିଲାମାନଙ୍କୁ କ୍ରୀଡ଼ା ଛାତ୍ରାବାସରେ ରଖି ଯେମିତି ସୁବିଧା ସୁଯୋଗ ମିଳୁଛି, ଯଦି ମୋତେ ସେମିତି ଛୋଟ ବେଳରୁ ସୁବିଧା ସୁଯୋଗ ମିଳିଥାନ୍ତା ଭାବୁଛି ଆହୁରି ଭଲ କରିଥାନ୍ତି ।

ପ୍ର. ଏମିତି କିଛି ଘଟଣା ଯାହା କେବେ ଭୁଲି ପାରି ନାହାନ୍ତି?
ଉ. ଆଖି ବନ୍ଦ କଲେ ସେହି ଘଟଣା ମୋ ଦୃଶ୍ୟପଟକୁ ଆସିଯାଏ । ଅବସର ନେବାର ଏକ ବର୍ଷ ହୋଇ ଗଲାଣି । କ୍ୟାରିୟରର ସଫଳତା ଓ ବିଫଳତା ସଂପର୍କରେ ବିଶ୍ଳେଷଣ କରୁଛି । କିନ୍ତୁ ଡିସେମ୍ବର ୫ ତାରିଖ ୨୦୦୨ ମସିହାର କଥା ଭୁଲି ପାରୁ ନାହିଁ । ମୋତେ ସେ ଦିନ ନୂଆ ଜନ୍ମ ମିଳିଥିଲା ।

ମୋ ପ୍ରଦର୍ଶନ ଖରାପ ହେବା ପରେ କଟକରୁ ମୋତେ ସିଧା କୋରାପୁଟକୁ ବଦଳି କରି ଦିଆଗଲା । ସେ ଦିନ ବ୍ରହ୍ମପୁରରୁ ଏକ ଅଫିସିଆଲ କାମ ଶେଷ କରି ପୁଲିସ୍‌ ଗାଡ଼ିରେ ଫେରୁଥିଲି । ମୋତେ ରାସ୍ତାଘାଟ କିଛି ଜଣା ନଥିଲା । ଡ୍ରାଇଭର ଘାଟି ଉପର ଦେଇ ଗାଡ଼ି ନେଇଯାଉ ଥାଏ । ଆମ ରାସ୍ତାରେ ମାଓବାଦୀ ଲ୍ୟାଣ୍ଡମାଇନ ଖଞ୍ଜି ଦେଇଥାନ୍ତି । ହଠାତ ବିସ୍ଫୋରଣ ହେଲା । ତା ପରେ ମୁଁ ଆଉ କିଛି ଜାଣେ ନାହିଁ ।

ବିଭାଗ ପକ୍ଷରୁ ମୋତେ ସେ ଦିନ ଶହୀଦ ଘୋଷଣା କରାଯାଇଥିଲା । ଗଣମାଧ୍ୟମକୁ ସୂଚନା ଦିଆଗଲା ଯେ, ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଆମର ଜଣେ ଅଫିସର ଶହୀଦ ହୋଇଯାଇଛନ୍ତି । ଯାହା ହେଉ- ଡାକ୍ତର ମୋତେ ଚେକ୍‌ ଅପ୍‌ କରିବା ପରେ ଜାଣିବାକୁ ପାଇଥିଲେ ଯେ ମୁଁ ଜୀବିତ ରହିଛି । ମୋର ଚିକିତ୍ସା ହେଲା । ହାତ ଗୋଡ଼ ଭାଙ୍ଗି ଯାଇଥିଲା । ଦୀର୍ଘଦିନ ପରେ ସୁସ୍ଥ ହୋଇ ପୁଣି ଚାକିରିରେ ଯୋଗଦେଲି ।

ପ୍ର. ଲକ୍‌ ଡାଉନରେ ଘରେ କ’ଣ କରୁଛନ୍ତି?
ଉ. ଚାକିରିରୁ ଅବସର ନେବା ପରେ ଢ଼େଙ୍କାନାଳ ସଦରରେ ଆମ ଗାଁରେ ରହୁଛି । ସେଠାରେ ରହୁଛି । ଆଖ ପାଖରେ କିଛି ପିଲାଙ୍କୁ ପ୍ରଶିକ୍ଷଣ ଦେଉଥିଲି । କିନ୍ତୁ ଏବେ ଲକ୍‌ ଡାଉନ ଯୋଗୁ ସବୁ କିଛି ବନ୍ଦ ରହିଛି । ପୁଣି ଜୀବନ ସ୍ୱାଭାବିକ ହେଲେ ପିଲାଙ୍କୁ ପ୍ରଶିକ୍ଷଣ ଦେବି ।

ସାବିତ୍ରୀ । ମୋ ପତ୍ନୀ ମୋ ପାଇଁ ବ୍ରତ ରଖିଥିଲେ । ହୁଏତ ତାଙ୍କ ପାଇଁ ମୁଁ ଆଜି ଜୀବିତ । ଚାକିରିରୁ ଅବସର ନେବା ପରେ ତାଙ୍କୁ ହିଁ ସମୟ ଦେଉଛି ।

   ସମ୍ବନ୍ଧିତ ଖବର


ମାଟି ତଳୁ ମିଳିଲା ଶହ ଶହ ଆଧାର କାର୍ଡ: ଲୋକଙ୍କୁ ନଦେଇ ଘର ପଛପଟେ ପୋତି ଦେଇଥିବା ଅଭିଯୋଗ

ଭଲ ଖବର: ୧୮ଟି ଜିଲ୍ଲାରୁ ସୁସ୍ଥ ହେଲେ ଆଉ ୧୭୮ ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ

ଅବଢ଼ା ଟିକେ ପାଇବାକୁ ମନ… କେବେ ବାହାରିବ ଅନନ୍ତବାସୁଦେବଙ୍କ ପ୍ରସାଦ

‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା

ମା’ର ମମତା ପାଖରେ ସବୁ ତୁଛ: ୫ ଦିନ ହେଲା ମଲା ଛୁଆକୁ ଧରି ବୁଲୁଛି

ବିଦେଶ ଫେରନ୍ତା ଫୋନ୍‌ ନଉଠାଇଲେ କାର୍ଯ୍ୟାନୁଷ୍ଠାନ