ଉଚ୍ଚଶିକ୍ଷା ବିଭାଗ-ଟିସିଆଇଏଲ୍ ବୁଝାମଣା: ୧୦୧ କଲେଜରେ ହେବ ସ୍ମାର୍ଟ କ୍ଲାସ୍ ରୁମ୍

source:www.indiamart.com
ଭୁବନେଶ୍ୱର,୭ା୩(ବ୍ୟୁରୋ): ରାଜ୍ୟର ୫୧ଟି ସରକାରୀ ଓ ୫୦ଟି ସରକାରୀ ଅନୁଦାନପ୍ରାପ୍ତ ଘରୋଇ ମହାବିଦ୍ୟାଳୟରେ ସ୍ମାର୍ଟ କ୍ଲାସ୍ ରୁମ୍ ଓ ଭର୍ଚୁଆଲ୍ କ୍ଲାସ୍ ରୁମ୍ ପ୍ରତିଷ୍ଠା ହେବ । ପ୍ରତ୍ୟେକ ସ୍ମାର୍ଟ କ୍ଲାସ୍ ରୁମ୍ରେ ଡେସ୍କଟପ୍, ପ୍ରୋଜେକ୍ଟର, ଇଣ୍ଟରଆକ୍ଟିଭ୍ ହ୍ୱାଇଟ୍ ବୋର୍ଡ, ୱେୟାରଲେସ୍, ମାଇକ୍ରୋଫୋନ ଓ କ୍ୟାମେରା ଲଗାଯିବ । ଏହାଦ୍ୱାରା ଛାତ୍ରଛାତ୍ରୀଙ୍କୁ ଦୃଶ୍ୟଶ୍ରାବ୍ୟ ଶିକ୍ଷାଦାନ ପ୍ରଣାଳୀରେ ଶିକ୍ଷା ଦିଆଯିବ । ଏହାସହ ପରୀକ୍ଷାଧର୍ମୀ ଶିକ୍ଷା ଗ୍ରହଣ କୌଶଳରେ ଛାତ୍ରଛାତ୍ରୀମାନେ ଅତ୍ୟାଧୁନିକ ଗୁଣାତ୍ମକ ଶିକ୍ଷା ଲାଭ କରିପାରିବେ । ଏନେଇ ଆଜି କେନ୍ଦ୍ର ଯୋଗାଯୋଗ ମନ୍ତ୍ରାଳୟର ଟିସିଆଇଏଲ୍ ଓ ଉଚ୍ଚଶିକ୍ଷା ବିଭାଗ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି । ଟିସିଆଇଏଲ୍ ଗ୍ରୁପ୍ ଜେନେରାଲ୍ ମ୍ୟାନେଜର ରାଜୀବ ସାହାଣୀଙ୍କ ସହିତ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଉପସ୍ଥିତ ରହି ଏହି ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି ।
ସେହିପରି ଓଡ଼ିଶାର ପିଲାମାନେ ରାଜ୍ୟ ବାହାରକୁ ନଯାଇ ଭୁବନେଶ୍ୱରରେ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ପାଇଁ କୋଚିଂ ନେବାର ସୁଯୋଗ ପାଇବେ । ସେମାନଙ୍କୁ ଉଚ୍ଚକୋଟୀର ଗୁଣାତ୍ମକ ପ୍ରଶିକ୍ଷଣ ଏବଂ ଦକ୍ଷତା ଓ ଆତ୍ମବିଶ୍ୱାସ ବୃଦ୍ଧି କରିବା ପାଇଁ କୋଚିଂ ପ୍ରଦାନ କରାଯିବ । ଆଇଏଏସ୍ ପରୀକ୍ଷାରେ ରାଜ୍ୟର ଛାତ୍ରଛାତ୍ରୀଙ୍କ ସଫଳତାର ହାର ବୃଦ୍ଧି ହେବ । ଏଥିପାଇଁ ଧ୍ୟେୟ ଏଜୁକେସନାଲ୍ ସର୍ଭିସ୍ର ନିର୍ଦ୍ଦେଶକ କମ୍ରୁଲ୍ ହକ୍ ଖାନ୍ଙ୍କ ସହିତ ଉଚ୍ଚଶିକ୍ଷା ବିଭାଗର ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।
ଗୀତଗୋବିନ୍ଦ ସଦନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଉଚ୍ଚଶିକ୍ଷା କ୍ଷେତ୍ରରେ ସାର୍ବଜନୀନ ସୁଯୋଗ ସୃଷ୍ଟି ଓ ଗୁଣାତ୍ମକ ଶିକ୍ଷା ପାଇଁ ଏହି ଦୁଇଟି ଅନୁଷ୍ଠାନ ସହ ଉଚ୍ଚଶିକ୍ଷା ବିଭାଗର ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏଥିସହ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରସ୍ତୃତ ଏକକ ଆଦର୍ଶ ପାଠ୍ୟକ୍ରମକୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ନାରାୟଣ ଦାସ ଉନ୍ମୋଚନ କରିଛନ୍ତି । ଅନ୍ତର୍ଜାତୀୟ ମାନକ ପାଠ୍ୟକ୍ରମକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସ୍ନାତକ ଛାତ୍ରଛାତ୍ରୀଙ୍କ ପାଇଁ ଏହି ଆଦର୍ଶ ଏକକ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଏହାକୁ ଉନ୍ମୋଚନ କରି ମନ୍ତ୍ରୀ ଶ୍ରୀ ଦାସ କହିଲେ, ଏହାଦ୍ୱାରା ଛାତ୍ରଛାତ୍ରୀମାନେ ଜାତୀୟସ୍ତରରେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅଧିକ ସଫଳତା ହାସଲ କରିପାରିବେ । ସାମ୍ପ୍ରତିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆବଶ୍ୟକ ବିଷୟବସ୍ତୁ ସମୂହକୁ ଏହି ପାଠ୍ୟକ୍ରମରେ ସାମିଲ କରାଯାଇଛି ।
ଉତ୍ସବରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଡ. ପ୍ରାର୍ଥସାରଥୀ ମିଶ୍ର ଉପସ୍ଥିତ ଅତିଥି ତଥା ଶିକ୍ଷାବିତ୍ଙ୍କୁ ସ୍ୱାଗତ କରିଥିଲେ । ବିଭାଗୀୟ ଶାସନ ସଚିବ ବିଷ୍ଣୁପଦ ସେଠୀ ଉତ୍ସବର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ଓଡ଼ିଶା ରାଜ୍ୟ ଉଚ୍ଚତର ଶିକ୍ଷା ପରିଷଦର ଉପାଧ୍ୟକ୍ଷ ଅଶୋକ ଦାସ କହିଲେ, ଏକକ ଆଦର୍ଶ ପାଠ୍ୟକ୍ରମକୁ ସମସ୍ତ ବିଶ୍ୱବିଦ୍ୟାଳୟ ଗ୍ରହଣ କରିବା ପରେ ଏହା ଛାତ୍ରଛାତ୍ରୀଙ୍କ ପାଇଁ ଉପଯୋଗୀ ହେବ । ସେମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ମନୋଭାବ ସୃଷ୍ଟି କରିବ । ବିଭାଗୀୟ ଅତିରିକ୍ତ ଶାସନ ସଚିବ କୃପାସିନ୍ଧୁ ମିଶ୍ର ଧନ୍ୟବାଦ ଦେଇଥିଲେ ।