୧୧୪ ସହରରେ ସ୍ମାର୍ଟ ପାର୍କ, ଆସନ୍ତା ୬ ମାସରେ ୨ ଶହରୁ ଅଧିକ ଆଦର୍ଶ ଶ୍ମଶାନ

ବ୍ରହ୍ମପୁର, ୩ା୩(ବ୍ୟୁରୋ): ନିର୍ବାଚନ ପୂର୍ବରୁ ରାଜ୍ୟର ସହରାଞ୍ଚଳ ବାସିନ୍ଦାଙ୍କୁ ପୁଣି ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ସମସ୍ତ ୧୧୪ଟି ସହରାଞ୍ଚଳରେ (ମହାନଗର, ମ୍ୟୁନିସିପାଲିଟି ଓ ଏନ୍‌ଏସି) ଆସନ୍ତା ୬ ମାସ ମଧ୍ୟରେ ତିଆରି ହେବ ୨ଶହରୁ ଅଧିକ ସ୍ମାର୍ଟ ପାର୍କ ଓ ୨ଶହରୁ ଅଧିକ ଆଦର୍ଶ ଶ୍ମଶାନ । ଏଥିରେ ରହିବ ଯାବତୀୟ ସୁବିଧା ସୁଯୋଗ । ଉଭୟ ପ୍ରକଳ୍ପ ପାଇଁ ୨୦୦ କୋଟି ଲେଖାଏଁ ତଥା ମୋଟ ୪ଶହ କୋଟିରୁ ଊଦ୍ଧ୍ୱର୍ ଅର୍ଥ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ରବିବାର ପୂର୍ବାହ୍ଣରେ ବ୍ରହ୍ମପୁର ଖଲିକୋଟ କଲେଜ ଷ୍ଟାଡିୟମ୍‌ ଠାରେ ଆୟୋଜିତ ସଭାରେ ଏହି ଦୁଇ ରାଜ୍ୟସ୍ତରୀୟ ଯୋଜନାର ଶୁଭାରମ୍ଭ କରାଯାଇଛି । ଏଥିସହ ୪୩୧ କୋଟି ଟଙ୍କାର ବ୍ରହ୍ମପୁର ବୃହତ୍‌ ଜଳଯୋଗାଣ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟକୁ ଲୋକାର୍ପିତ କରିଛନ୍ତି ସେ । ବ୍ରହ୍ମପୁରବାସୀ ଏହି ମେଗା ପ୍ରକଳ୍ପ ଦ୍ୱାରା ଲାଭବାନ ହେଉଥିବାରୁ ଏ ନେଇ ନିଜ ସଂକ୍ଷୀପ୍ତ ଉଦ୍‌ବୋଧନରେ ସନ୍ତୋଷବ୍ୟକ୍ତ କରିଥିଲେ ମୁଖ୍ୟମନ୍ତ୍ରୀ । ରାଜ୍ୟର ସମସ୍ତ ପୌର ସଂସ୍ଥା ଓ ମହାନଗର ନିଗମ କର୍ମଚାରୀଙ୍କୁ ସପ୍ତମ ବେତନ କମିଶନଙ୍କ ସୁପାରିଶ ଅନୁଯାୟୀ ପ୍ରାପ୍ୟ ପ୍ରଦାନ କରିବାକୁ ଏହି ଅବସରରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲା ପାଇଁ ସମୁଦାୟ ୫୧୨ କୋଟି ଟଙ୍କାର ୮ଟି ପ୍ରକଳ୍ପ ଉଦ୍‌ଘାଟିତ କରିବା ସାଙ୍ଗକୁ ୧୮ କୋଟି ଟଙ୍କାରେ ହେବାକୁ ଥିବା ୧୨ଟି ପ୍ରକଳ୍ପ ପଇଁ ଶିଳାନ୍ୟାସ କରିଥିଲେ । ବ୍ରହ୍ମପୁର ମେଗା ଜଳ ଯୋଗାଣ ପ୍ରକଳ୍ପ ହୋଇଛି ରାଜ୍ୟର ପ୍ରଥମ ସମନ୍ୱିତ ଜଳଯୋଗାଣ ପ୍ରକଳ୍ପ ଯାହାର ବ୍ରହ୍ମପୁର ମହାନଗରର ପ୍ରାୟ ୫ ଲକ୍ଷ ଲୋକଙ୍କ ସମେତ ୧୬ଟି ପଞ୍ଚାୟତର ପ୍ରାୟ ୫୩ ଖଣ୍ଡ ଗାଁ ଲୋକଙ୍କ ପାଣି ଚାହିଦା ମେଣ୍ଟାଇବ । ଏଥିସହ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ବାସିନ୍ଦାଙ୍କୁ ପାଣି ଯୋଗାଇଦେବା ପାଇଁ ଏତେ ଦୂରରୁ ପାଣି ଅଣାଯିବା ଦୃଷ୍ଟିରୁ ଏହା ହେଉଛି ରାଜ୍ୟର ଏଭଳି ପ୍ରଥମ ପ୍ରକଳ୍ପ । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍‌ ଅନ୍ତର୍ଗତ ଜାନିବିଲି ଆନିକଟରୁ ୫୫ କିମି ଦୂର ବ୍ରହ୍ମପୁର ଉପକଣ୍ଠ କୁକୁଡ଼ାଖଣ୍ଡି ବ୍ଲକ୍‌ର ଜଗଦଳପୁର ୱାଟର୍‌ ଟ୍ରିଟ୍‌ମେଣ୍ଟ୍‌ ପ୍ଲାଣ୍ଟ୍‌କୁ ପାଣି ଆଣି ପାଇପ୍‌ ଯୋଗେ ଯୋଗାଇ ଦିଆଯାଉଛି । ଆହୁରି ମଧ୍ୟ ୨୫୦ କୋଟି ଟଙ୍କାରେ ହେବାକୁ ଥିବା ଆର୍ଯ୍ୟପଲ୍ଲୀ ଫିସିଂ ହାର୍ବର, ୩.୫୮ କୋଟି ଟଙ୍କାର ଦୁଇଟି ଫିସ୍‌ ଲ୍ୟାଣ୍ଡିଂ ସେଣ୍ଟର୍‌ ନିମନ୍ତେ ଶିଳାନ୍ୟାସ କରିବା ସାଙ୍ଗକୁ ୪୨.୨୫ କୋଟି ଟଙ୍କାରେ ନିର୍ମିତ ତଥା ପ୍ରସ୍ତାବିତ ପ୍ରାୟ ୧୯ଟି ପ୍ରକଳ୍ପର ଉଦ୍‌ଘାଟନ ବା ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଉନ୍ନତି ଯୋଜନା ଅନ୍ତର୍ଗତ ରାଜ୍ୟର ସମସ୍ତ ୧୧୪ଟି ପୌରାଞ୍ଚଳରେ ହେବ ‘ସ୍ମାର୍ଟ ପାର୍କ’ । ବ୍ୟସ୍ତବହୁଳ ସହରୀ ଜୀବନ ମଧ୍ୟରେ ସ୍ୱାସ୍ଥ୍ୟରକ୍ଷା ସାଙ୍ଗକୁ ମନୋରଞ୍ଜନ ତଥା କିଛି କ୍ଷଣ ଶାନ୍ତି ପ୍ରଦାନ ଉଦ୍ଦେଶ୍ୟରେ ସହରବାସୀଙ୍କ ସକାଶେ ଏଭଳି ମନୋରମ ପାର୍କ କରିବେ ରାଜ୍ୟ ସରକାର । ସୁଗମ ଚଲାପଥ, ଖୋଲା ବ୍ୟାୟାମଶାଳା (ଓପନ୍‌ ଜିମ୍‌), ଯୋଗ ଓ ଧ୍ୟାନ ପାଇଁ ସ୍ୱତନ୍ତ୍ର ସ୍ଥାନ, ପିଲାଙ୍କ ଖେଳିବା ସୁବିଧା, ବିଶୁଦ୍ଧ ପାନୀୟ ଜଳ, ମହିଳା ଓ ପୁରୁଷଙ୍କ ପାଇଁ ପୃଥକ୍‌ ଶୌଚାଳୟ, ଏଲ୍‌ଇଡି ଆଲୋକୀକରଣ, ବସିବା ପାଇଁ ପର୍ଯ୍ୟାପ୍ତ ସ୍ଥାନ ଆଦି ସୁବିଧା ସୁଯୋଗ ସହରବାସିନ୍ଦାଙ୍କୁ ଆକୃଷ୍ଟ କରିବ । ସେହିପରି ରାଜ୍ୟବାସୀଙ୍କ ପାଇଁ ‘ହରିଶ୍ଚନ୍ଦ୍ର’ ଯୋଜନା ପରେ ରାଜ୍ୟର ସହରବାସୀଙ୍କ ସକାଶେ ସୁବିଧାରେ ଅନ୍ତିମ ସଂସ୍କାର ନିମନ୍ତେ ରାଜ୍ୟ ସରକାର ଆଜିଠାରୁ ଆରମ୍ଭ କରିଛନ୍ତି ‘ଆଦର୍ଶ ଶ୍ମଶାନ’ ଯୋଜନା । ଉନ୍ନତି ଯୋଜନା ଅନ୍ତର୍ଗତ ତିଆରି ହେବ ଏହି ଅତ୍ୟାଧୁନିକ ଶବଦାହ ଗୃହ । ପୂର୍ବରୁ ଥିବା ଶବଦାହ ଗୃହକୁ ମଧ୍ୟ କେତେକ ସ୍ଥଳରେ ନବୀକରଣ କରାଯିବ । ଆଦର୍ଶ ଶ୍ମଶାନ ପରିସରରେ ରହିବ ପୋଷାକ ବଦଳାଇବା ଗୃହ, ଶୌଚାଳୟ, ସ୍ନାନାଗାର, ପାନୀୟ ଜଳ, ଆଧ୍ୟାତ୍ମିକ ସଙ୍ଗୀତ ଶ୍ରବଣ ବ୍ୟବସ୍ଥା, ସବୁଜିମା ଭରା ପରିବେଶ ଆଦି ।
ବ୍ରହ୍ମପୁରବାସୀଙ୍କ ଦୀର୍ଘଦିନର ଦାବି ଜାନିବିଲି ଜଳଯୋଗାଣ ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ୧୯୦୧ ମସିହାରେ ଦକ୍ଷିଣପୁର, ୧୯୮୨ରେ ଋଷିକୁଲ୍ୟା ଓ ବର୍ତ୍ତମାନ ବ୍ରହ୍ମପୁରକୁ ଜଳଯୋଗାଣ ସକାଶେ ଆରମ୍ଭ ହୋଇଛି ତୃତୀୟ ପ୍ରକଳ୍ପ ଜାନିବିଲି । ତେବେ ୨୦୪୫ ମସିହା ସୁଦ୍ଧା ବ୍ରହ୍ମପୁରବାସୀଙ୍କ ଜଳଚାହିଦା ପୂରଣ କରିବାରେ ଏହା ସକ୍ଷମ ହେବ । ୨୦୧୬ ନଭେମ୍ବରରେ ମୁଖ୍ୟମନ୍ତ୍ରୀ ଏଥିପାଇଁ ଶିଳାନ୍ୟାସ କରିଥିବା ବେଳେ ୨ ବର୍ଷ ୩ ମାସର ସ୍ୱଳ୍ପ ଅବଧି ମଧ୍ୟରେ ଏହି ବୃହତ୍‌ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ଏକ ବଡ଼ ସଫଳତା ବୋଲି ସଭାରେ କୁହାଯାଉଛି । ଏଣିକି ଖରା ଋତୁରେ ସହରବାସୀ ପାଣି ପାଇଁ ଟ୍ୟାପ୍‌ / ଟ୍ୟାଙ୍କର୍‌ ଆଗରେ ମାଠିଆ, ଗରା, ବାଲ୍‌ଟି ଧରି ଲମ୍ବା ଧାଡ଼ିରେ ଅପେକ୍ଷା କରିବେନି କିମ୍ବା ଘରକୁ ଆସିଥିବା ପାଇପ୍‌ରୁ ଜଳ ସଂଗ୍ରହ ପାଇଁ ରାତି ଅନିଦ୍ରା ରହିବେନି ବୋଲି ଦର୍ଶାଯାଉଛି । ସହରବାସୀଙ୍କ ଦୀର୍ଘ ବର୍ଷର ଜଳସଙ୍କଟକୁ ଏହା ଦୂର କରିବାକୁ ସକ୍ଷମ ହେବ । ଅପରପକ୍ଷରେ ସହର ସାଙ୍ଗକୁ ଗାଁକୁ ସମନ୍ୱିତ ଜଳଯୋଗାଣ ସାଙ୍ଗକୁ ୫୫ କିମି ଦୂର ଉତ୍ସରୁ ପାଣି ଆଣି ଯୋଗାଇଦେବା କ୍ଷେତ୍ରରେ ଏହି ପ୍ରକଳ୍ପ ରାଜ୍ୟରେ ପ୍ରଥମ ବୋଲି ସଭା ମଞ୍ଚ ଉପରୁ କହିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବିଭାଗୀୟ ପ୍ରମୁଖ ସଚିବ ଜି.ମାଥିଭାତନନ୍‌ ।
ସଭାରେ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର, ବ୍ରହ୍ମପୁର ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଗୋପାଳପୁର ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀ ଉଦ୍‌ବୋଧନ ଦେଇଥିଲେ । ମଞ୍ଚ ଉପରେ ଛତ୍ରପୁର ବିଧାୟକ ଡା. ପ୍ରିୟାଂଶୁ ପ୍ରଧାନ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ସାନଖେମୁଣ୍ଡି ବିଧାୟିକା ନନ୍ଦିନୀ ଦେବୀ, ଆସିକା ବିଧାୟକ ଦେବରାଜ ମହାନ୍ତି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁବାସ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ ।

   ସମ୍ବନ୍ଧିତ ଖବର


ବିପୁଳ ପରିମାଣର ବିଦେଶୀ ମଦ ବୋତଲ ଜବତ, ୨ ଅଭିଯୁକ୍ତ ଗିରଫ

ମଦ ବେପାରୀକୁ ଛାଞ୍ଚୁଣି ମାଡ଼ : ମଦ ପେଟି ଧରାଇ ଚଲାଇ ଚଲାଇ ଥାନାକୁ ନେଲେ ମହିଳା

ମା’ ଓ ଝିଅଙ୍କ ମୃତ୍ୟୁ ଘଟଣାକୁ ବିତିଲାଣି ୪ ଦିନ, ଉଠିପାରୁନି ଶବ : ଅଭିଯୁକ୍ତକୁ ଗିରଫ ଦାବି

ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୪ ଗେଟ୍‌, ଏବେ ୯ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି

ହତ୍ୟା ନା ଆତ୍ମହତ୍ୟା ? ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ

ମାତିଲେଣି ଲୁଟେରା : ଶିକ୍ଷକ ଦମ୍ପତିଙ୍କ ଠାରୁ ଝାମ୍ପିନେଲେ ସୁନା ଚେନ୍