୮/୪୯୭ରେ ପାଳି ଘୋଷଣା କଲା ଅଷ୍ଟ୍ରେଲିଆ

ମାଞ୍ଚେଷ୍ଟର, ୫ା୯(ଏଜେନ୍ସି): ଘରୋଇ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚତୁର୍ଥ ଆସେସ ଟେଷ୍ଟରେ ଷ୍ଟାର୍‌ ବ୍ୟାଟ୍ସମ୍ୟାନ୍‌ ଷ୍ଟିଭେନ ସ୍ମିଥ୍‌ ଦ୍ୱିଶତକ ଅର୍ଜନ କରିଛନ୍ତି । ଫଳରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୭/୪୯୭ ରନ୍‌ କରି ପାଳି ଘୋଷଣା କରିଛି । ଏହାର ଜବାବରେ ଇଂଲଣ୍ଡ ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରି ୧ ୱିକେଟ୍‌ ହରାଇ ୨୩ ରନ୍‌ ସଂଗ୍ରହ କରିଛି । ଷ୍ଟମ୍ପ ଅପସାରଣ ସୁଦ୍ଧା ରୋରି ବର୍ଣ୍ଣସ ୧୫ ଓ କ୍ରେଗ ଓଭରଟନ ୩ ରନ୍‌ କରି ଅପରାଜିତ ରହିଛନ୍ତି ।

ଦ୍ୱିତୀୟ ଦିବସରେ ଅଷ୍ଟ୍ରେଲିଆ ଅସମାପ୍ତ ପ୍ରଥମ ଇନିଂସ ୩/୧୭୦ ରନ୍‌ରୁ ଖେଳ ଆରମ୍ଭ କରିଥିଲା । ପୂର୍ବ ଦିନରୁ ଅପରାଜିତ ଥିବା ସ୍ମିଥ୍‌ ଓ ଟ୍ରେଭିସ୍‌ ହେଡ୍‌ ଆଉ ୧୩ ରନ୍‌ ଯୋଗ କରିଥିଲେ । ଦଳୀୟ ସ୍କୋର ୧୮୩ ବେଳେ ବ୍ୟକ୍ତିଗତ ୧୯ ରନ୍‌ କରି ହେଡ୍‌ ଆଉଟ୍‌ ହୋଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ମାଥ୍ୟୁ ୱେଡ୍‌ ମଧ୍ୟ କ୍ରିଜ୍‌ରେ ତିଷ୍ଠି ପାରି ନଥିଲେ । ସେ ମାତ୍ର ୧୬ ରନ୍‌ କରି ପାଭିଲିୟନ ଫେରିଥିଲେ । ୩୦୦ ରନ୍‌ ମଧ୍ୟରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ଅଟକି ଯିବା ଆଶଙ୍କା ଦେଖା ଦେଇଥିଲା । ହେଲେ ଅଧିନାୟକ ପାଇନ୍‌ କ୍ରିଜ୍‌କୁ ଓହ୍ଲାଇବା ପରେ ସ୍ଥିତି ସୁଧୁରିଥିଲା । ସେ ଅପରାଜିତ ସ୍ମିଥ୍‌ଙ୍କ ସହ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଇଂଲଣ୍ଡ ବୋଲରମାନେ ବହୁ ପ୍ରୟାସ କରିଥିଲେ ହେଁ ଏହି ଯୋଡି ଭାଙ୍ଗି ପାରି ନଥିଲେ । ସ୍ମିଥ୍‌ କ୍ୟାରିୟର୍‌ର ୨୬ତମ ଟେଷ୍ଟ ଶତକ ଅର୍ଜନ କରିଥିଲେ ।

ଚଳିତ ସିରିଜରେ ଏହା ଥିଲା ତାଙ୍କର ତୃତୀୟ ଶତକୀୟ ଇନିଂସ । ସେ ପ୍ରଥମ ଟେଷ୍ଟର ଉଭୟ ଇନିଂସରେ ଶତକ ଅର୍ଜନ କରିଥିଲେ । କେବଳ ସେତିକି ନୁହେଁ, ଆସେସ୍‌ରେ ୧୧ତମ ଶତକ ଅର୍ଜନ କରି ସ୍ମିଥ୍‌ ରେକର୍ଡ ସ୍ଥାପନ କରିଥିଲେ । ତଥାପି ସ୍ମିଥଙ୍କୁ ଆଉଟ୍‌ କରିବାରେ ଇଂଲଣ୍ଡ ବୋଲର ବିଫଳ ହୋଇଥିଲେ । ପାଇନ୍‌ଙ୍କ ସହ ସ୍ମିଥ୍‌ ଷଷ୍ଠ ୱିକେଟ୍‌ରେ ୧୪୫ ରନ୍‌ ଯୋଗ କରିଥିଲେ । ଦଳୀୟ ସ୍କୋର ୩୬୯ ବେଳେ ୫୮ ରନ୍‌ କରି ପାଇନ୍‌ ଆଉଟ୍‌ ହୋଇଥିଲେ । ସ୍ମିଥ୍‌ ଗୋଟିଏ ପଟେ ଆକ୍ରମଣ ଜାରି ରଖି ଦ୍ୱିଶତକ ଅର୍ଜନ କରିଥିଲେ । ଆସେସ୍‌ରେ ଏହା ତାଙ୍କର ତୃତୀୟ ଦ୍ୱିଶତକ ରହିଥିଲା । ଦଳୀୟ ସ୍କୋର ୪୩୬ ବେଳେ ସ୍ମିଥଙ୍କୁ ଆଉଟ୍‌ କରିଥିଲେ ଜୋ ରୁଟ୍‌ । ସେ ୨୪ଟି ଚୌକା ଓ ୨ଟି ଛକା ବଳରେ ୨୧୧ ରନ୍‌ କରିଥିଲେ । ଅନ୍ତିମ ଭାଗରେ ମିଚେଲ ଷ୍ଟାର୍କ ଅପରାଜିତ ୫୪ (୭ଚୌକା, ୨ଛକା)ରନ୍‌ କରି ଦଳୀୟ ସ୍କୋରକୁ ୪୯୭ରେ ପହଞ୍ଚାଇଥିଲେ । ନାଥାନ ଲାୟନ ଅପରାଜିତ ୨୬ ରନ୍‌ କରିଥିଲେ । ଇଂଲଣ୍ଡ ପକ୍ଷରୁ ଷ୍ଟୁଆର୍ଟ ବ୍ରଡ୍‌ ୩ଟି ୱିକେଟ୍‌ ଅକ୍ତିଆର କରିଥିବାବେଳେ ଜ୍ୟାକ୍‌ ଲିଚ୍‌ ଓ କ୍ରେଗ ଓଭରଟନ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ ।

   ସମ୍ବନ୍ଧିତ ଖବର


ଇତିହାସ ରଚିଲେ ଅଟୋ ଚାଳକଙ୍କ ପୁଅ, ନିଜ ନାମରେ କଲେ ନୂଆ ରେକର୍ଡ

କପିଲ ଦେବଙ୍କୁ ହାର୍ଟ ଆଟାକ୍, ଦିଲ୍ଲୀର ଏକ ହସ୍ପିଟାଲରେ ହେଲେ ଭର୍ତ୍ତି

ନଭେମ୍ବର ୨୦ରୁ ଆରମ୍ଭ ହେବ ଆଇଏସ୍‌ଏଲ୍‌, ଏଥର ସିଜନରେ ୧୧ ଟିମ୍ ଖେଳିବେ

IPL-2020: ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍‌ସ ମଧ୍ୟରେ କଡ଼ା ମୁକାବିଲା

ମହିଳା ଟି-ଟ୍ୱେଣ୍ଟି ଚ୍ୟାଲେଞ୍ଜ: ଦୁବାଇ ପହଞ୍ଚିଲେ ଭାରତୀୟ ଖେଳାଳି

IPL-2020: ଆଜି ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ କଡ଼ା ଟକ୍କର