ଶ୍ରୀଜିଉଙ୍କ ଦେବସ୍ନାନ ଯାତ୍ରା ପାଇଁ ହୋମ୍‌ କ୍ୱାରେଣ୍ଟାଇନ୍‌ ରହିବେ ଗରାବଡ଼ୁ, ହେବ ସ୍ୱାବ୍‌ ଟେଷ୍ଟ

ପୁରୀ ୨୩/୫: ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ପର୍ବ ପାଳନ ପ୍ରସ୍ତୁତି ଜୋର ଧରିଛି । ଶୁକ୍ରବାର ଅପରାହ୍ନରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦେବସ୍ନାନ ପୂର୍ଣ୍ଣିମା ପର୍ବରେ ସେବା କରୁଥିବା ପାଳିଆ ସେବକଙ୍କ ବୈଠକ ଡାକିଛନ୍ତି ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ବଲୱନ୍ତ ସିଂହ । ସ୍ନାନଯାତ୍ରାରେ ଦଇତାପତି, ଗରାବଡୁ ସେବକ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟିର ଚାରି ଜଣ ସେବାୟତ ପ୍ରତିନିଧିଙ୍କ ସହ ପ୍ରଶାସନ ଆଲୋଚନା କରିଥିଲା ।

ସ୍ନାନପର୍ବରେ ଦଇତାପତି ଓ ଗରାବଡୁ ସେବକଙ୍କ ସଂଖ୍ୟା ସର୍ବାଧିକ ଥିବାରୁ ଏମାନଙ୍କ ସହ ପ୍ରଥମେ ଆଜି ସନ୍ଧ୍ୟାରେ ପ୍ରଶାସନ ଆଲୋଚନା କରିଥିଲା । ସ୍ନାନଯାତ୍ରାରେ ସାମିଲ ସମସ୍ତ ସେବାୟତଙ୍କୁ ପରିଚୟ ପତ୍ର ଦିଆଯିବ । ପରିଚୟ ପତ୍ର ନ ଥିବା ସେବାୟତଙ୍କୁ ଶ୍ରୀମନ୍ଦିରକୁ ଛଡ଼ାଯିବ ନାହିଁ । କୋଭିଡ୍‌-୧୯ ଭୂତାଣୁ ସଂକ୍ରମଣ ନିରାକରଣ ପାଇଁ ରହିଥିବା ସମସ୍ତ କଟକଣାକୁ ସ୍ନାନଯାତ୍ରା ପୂର୍ବରୁ ଲାଗୁ କରିବାକୁ ପ୍ରଶାସନ ଆଜିଠାରୁ ଉଦ୍ୟମ ଆରମ୍ଭ କରିଛି । ସ୍ନାନଯାତ୍ରା ପ୍ରସ୍ତୁତି ଅଭିଯାନ ଓ ଆଲୋଚନାରେ ଜିଲ୍ଲାର ରଥଯାତ୍ରା ପର୍ବ ସହ ଅଭିଜ୍ଞ ବରିଷ୍ଠ ପୁଲିସ, ଅତିରିକ୍ତ ଏସ୍‌ପି, ନୀତି ପ୍ରଶାସକଙ୍କୁ ସାମିଲ କରାଯାଇଛି ।

ସେହିଭଳି ପୁଷ୍ପାଳକ, ପୂଜାପଣ୍ଡା, ଦଇତାପତି, ସୁପକାର ସେବାୟତ ନିଯୋଗର ପ୍ରତିନିଧିତ୍ୱ କରୁଥିବା ଶ୍ରୀମନ୍ଦିର ପରିଚାଳନା କମିଟିର ଚାରି ସଦସ୍ୟଙ୍କ ସହ ସ୍ନାନଯାତ୍ରା ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି । ଏହି ସବୁ ନିଯୋଗର କେତେସଂଖ୍ୟକ ସେବକ ବଡ଼ଦେଉଳ ସ୍ନାନପର୍ବରେ ସାମିଲ ହେବେ ତାହାର ତଥ୍ୟ ଏବଂ ତାଲିକା ଉପରେ ବି ଆଲୋଚନା କରିଥିବାର ଖବର ମିଳିଛି । ସେହିଭଳି ମହାପ୍ରଭୁଙ୍କ ପହଣ୍ଡି ଏବଂ ସ୍ନାନଯାତ୍ରା ସହ ଜଡ଼ିତ ସମସ୍ତ ସେବାୟତଙ୍କ ଥର୍ମାଲ୍‌ ସ୍କ୍ରିନିଂ, ସ୍ୱାବ୍‌ ଟେଷ୍ଟ, ଚାରି ଦିନ ପୂର୍ବରୁ ହୋମ୍‌ କ୍ୱାରେଣ୍ଟାଇନ ଅନୁପାଳନ ଏବଂ ସମସ୍ତଙ୍କୁ ପରିଚୟ ପତ୍ର ବାଧ୍ୟତା ମୂଳକ ହେବା ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା ହୋଇଥିବାର ଜଣାପଡ଼ିଛି ।

ସୂଚନା ମୁତାବକ ଶ୍ରୀଜିଉଙ୍କ ଦେବସ୍ନାନରେ ୧୦୮ ଗରା ଅଧିବାସିତ ଜଳ ଲାଗି ହେବାର ପରମ୍ପରା ରହିଛି । ପ୍ରତ୍ୟେକ ଗରାର ଦାୟିତ୍ୱ ଜଣେ ଗରାବଡୁ ନେବାର ପରମ୍ପରା ରହିଛି । ଏହି ହିସାବ ଆଧାରରେ ପ୍ରଶାସନ ଗରାବଡୁ ନିଯୋଗ ସେବକ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲା । ଆଲୋଚନାର ନିର୍ଯ୍ୟାସରୁ ସୂଚନା ମିଳିଛି ମହାପ୍ରଭୁଙ୍କ ସ୍ନାନଯାତ୍ରାର ୧୦୮ ଗରାବଡୁ ସେବକଙ୍କୁ ହୋମ୍‌ କ୍ୱାରେଣ୍ଟାଇନରେ ନିଆଯିବ । ହୋମ କ୍ୱାରେଣ୍ଟାଇନ ପୂର୍ବରୁ ଥର୍ମାଲ୍‌ ସ୍କ୍ରିନିଂ ଏବଂ ସ୍ୱାବ୍‌ ନମୂନା ସଂଗ୍ରହ କରାଯିବ । ପ୍ରତିଦିନ ଏମାନଙ୍କ ସ୍ୱାସ୍ଥ୍ୟ ସ୍ଥିତିର ସୂଚନା ସଂଗ୍ରହ କରାଯିବ । ଗରାବଡୁ ନିଯୋଗ ପକ୍ଷରୁ ଜଳ ଗରା ବିଜେ ପାଇଁ ଦୁଇ ଘଣ୍ଟାର ସମୟ ମଗାଯାଇଛି । ଏହି ପୃଷ୍ଠଭୂମିରେ କୋଭିଡ୍‌-୧୯ ଭୂତାଣୁ ସଂକ୍ରମଣ ନିରାକରଣ ନେଇ ଆସନ୍ତା କାଲି ଗରାବଡୁ ସେବକଙ୍କ ପାଇଁ ସ୍ୱାସ୍ୱ୍ୟ ବିଭାଗ ପକ୍ଷରୁ ସଚେତନ ଶିବିର ନୀଳାଦ୍ରି ଭକ୍ତ ନିବାସରେ ଆୟୋଜନ ଚାଲିଛି । ଗରାପଡୁ ନିଯୋଗ ସଭାପତି ରବି ନାରାୟଣ ଖୁଣ୍ଟିଆ, ସମ୍ପାଦକ ରଜତ ପ୍ରତିହାରୀଙ୍କ ସହ ଅନ୍ୟ ଦୁଇ ନିଯୋଗ ସଦସ୍ୟ ପ୍ରଶାସନ ସହ ଆଲୋଚନା କରିଥିଲେ ।

ସେହିଭଳି ପାଖାପାଖି ଦେଢ଼ ଶହ ଦଇତାପତି ମହାପ୍ରଭୁଙ୍କ ସ୍ନାନଯାତ୍ରା ଏବଂ ପହଣ୍ଡି ପୂର୍ବରେ ସାମିଲ ହେବେ ବୋଲି ସୂଚନା ମିଳିଛି । କୋଭିଡ୍‌-୧୯ କଟକଣା ପରିପ୍ରେକ୍ଷୀରେ କେତେ ଜଣ ଦଇତାପତି ସାମିଲ ହେବ ଏବଂ ସେମାନଙ୍କ ତାଲିକା ଦାଖଲ ସମ୍ପର୍କରେ ଆଜି ପ୍ରଶାସନ ଆଲୋଚନା କରିଥିବାର ଖବର ମିଳିଛି । ତାଲିକା ମୁତାବକ ସମସ୍ତ ଦଇତାପତି ସେବକଙ୍କ ଥର୍ମାଲ୍‌ ସ୍କ୍ରିନିଂ ଓ ସ୍ୱାବ୍‌ ଟେଷ୍ଟ ହେବ । ସ୍ନାନଯାତ୍ରାର ଚାରି ଦିନ ପୂର୍ବରୁ ତାଲିକାର ସମସ୍ତ ଦଇତାପତି ହୋମ୍‌ କ୍ୱାରେଣ୍ଟାଇନରେ ରହିବ ।

   ସମ୍ବନ୍ଧିତ ଖବର


ମାଟି ତଳୁ ମିଳିଲା ଶହ ଶହ ଆଧାର କାର୍ଡ: ଲୋକଙ୍କୁ ନଦେଇ ଘର ପଛପଟେ ପୋତି ଦେଇଥିବା ଅଭିଯୋଗ

ଭଲ ଖବର: ୧୮ଟି ଜିଲ୍ଲାରୁ ସୁସ୍ଥ ହେଲେ ଆଉ ୧୭୮ ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ

ଅବଢ଼ା ଟିକେ ପାଇବାକୁ ମନ… କେବେ ବାହାରିବ ଅନନ୍ତବାସୁଦେବଙ୍କ ପ୍ରସାଦ

‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା

ମା’ର ମମତା ପାଖରେ ସବୁ ତୁଛ: ୫ ଦିନ ହେଲା ମଲା ଛୁଆକୁ ଧରି ବୁଲୁଛି

ବିଦେଶ ଫେରନ୍ତା ଫୋନ୍‌ ନଉଠାଇଲେ କାର୍ଯ୍ୟାନୁଷ୍ଠାନ