କରୋନାକୁ ନେଇ ପୁଲିସର କଡ଼ା ଆଭିମୁଖ୍ୟ: ଆଜିଠୁ ଅମାନିଆଙ୍କୁ ଧରିବ ‘ସୋସିଆଲ୍ ଡିଷ୍ଟାନ୍ସ ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ୍’, ହାବୁଡରେ ପଡିଲେ ଗଣିବେ ଦୁଇଗୁଣା ତଣ୍ଡ

ଭୁବନେଶ୍ୱର,୨୨/୦୨: ଫେରନ୍ତା କରୋନାକୁ ନେଇ ତତ୍ପର ହୋଇଛି କମିଶନରେଟ୍ ପୁଲିସ୍ । ‘ସୋସିଆଲ୍ ଡିଷ୍ଟାନ୍ସ ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ୍’କୁ ସଜାଗ କରିଛି । ଆଜିଠୁ ଅମାନିଆଙ୍କୁ ଧରିବା ଅଭିଯାନ ଜୋର୍ଦାର କରାଯିବ ବୋଲି ପୁଲିସ କହିଛି । ଗତକାଲି ୫୫୦ଜଣଙ୍କ ନିୟମ ଭଙ୍ଗକାରୀସ୍କ୍ୱାଡ୍ ହାବୁଡରେ ପଡି ତଣ୍ଡ ଗଣିଛନ୍ତି ।
ଗତବର୍ଷ ମେ ମାସରେ ଭୁବନେଶ୍ୱର ୟୁପିଡି ଅଧୀନ ସବୁ ଥାନାରୁ ୩ଟି ଲେଖାଏଁ ସ୍କ୍ୱାଡ୍ ଗଢ଼ାଯାଇଥିଲା । ଅର୍ଥାତ ମୋଟ ୬୦ଟି ସ୍କ୍ୱାଡ୍ ସେତେବେଳେ କୋଭିଡ୍-୧୯ କଟକଣାକୁ ଜଗୁଥିଲା । ବର୍ତ୍ତମାନ ସ୍ଥିତିରେ ଏଥିରୁ ଗୋଟିଏ ଲେଖାଏଁ ସ୍କ୍ୱାଡ୍କୁ ସଜାଗ ରହିବାକୁ ଡିସିପି ଉମାଶଙ୍କର ଦାଶ ସବୁ ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି । ସବୁ ଥାନାର ଗହଳି ଛକ, ହାଟରେ ପୁଲିସ ଗାଡି଼ ଘୁରି ବୁଲିଥିଲା । ଟ୍ରାଫିକ୍ ପୁଲିସର ୧୨ ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ୍ ବିଶେଷକରି ମାର୍କେଟ ବିଲ୍ଡିଂ, ସହିଦନଗର, ଜନପଥ, ବାପୁଜୀ ନଗର, ନୟାପଲ୍ଲୀ ଆଇଡି ମାର୍କେଟ, କୋଚିଲାଇ ହାଟ, ବରମୁଣ୍ଡା, ଚନ୍ଦ୍ରଶେଖରପୁର ଓ ଇନ୍ଫୋସିଟି ରାସ୍ତାରେ ତୀକ୍ଷ୍ମ ନଜର ରଖିଥିଲା । ମାସ୍କ ପିନ୍ଧି ନଥିବା ଲୋକଙ୍କୁ ଅଧିକ ଟାଗେର୍ଟ କରାଯାଇଥିଲା । ସେମାନଙ୍କଠାରୁ ଓଡି଼ଶା ସହରାଞ୍ଚଳ ଆଇନ୍(ଓୟୁପି) ଅନୁସାରେ ଜରିମାନା ଆଦାୟ କରାଯାଇଥିଲା ।
ପୁଲିସ ସୂଚନା ଦେଇଛି, ଯେ, ଯେଉଁଠି ଲୋକେ ଭିଡ଼ ଜମାଉଛନ୍ତି । ସେମାନଙ୍କୁ ପ୍ରଥମେ ବୁଝାଯାଉଛି । ଯଦି କେହି ଅବୁଝା ହେଉଛି, ସେମାନଙ୍କଠାରୁ ଜରିମାନା ଆଦାୟ କରାଯାଉଛି ।