ହତ୍ୟାକାରୀ ପୁଅକୁ ପୁଲିସ ଜିମା ଦେଲା ମା’: ତଣ୍ଟିଚିପି ଗର୍ଭବତୀ ସ୍ତ୍ରୀକୁ କରିଥିଲା ହତ୍ୟା

କେନ୍ଦୁଝର ୭/୦୬: ସାମାନ୍ୟ ବଚସାରୁ ଗାମୁଛାରେ ସ୍ତ୍ରୀର ତଣ୍ଟିଚିପି ହତ୍ୟା କରିଥିଲା ସ୍ୱାମୀ । ହତ୍ୟା ପରେ ରହୁଥିବା ଭଡ଼ା ଘରର ଖଟ ତଳେ ମୃତଦେହକୁ ଲୁଚାଇ ଦେଇଥିଲା । ହେଲେ ଏ ଘଟଣା ଜାଣିବା ପରେ ନିଷ୍ଠୁର ପୁଅକୁ ପୁଲିସ ଜିମା ଦେଇଛି ମା’ । ଜନ୍ମକଲା ପୁଅର ଏଭଳି କାଣ୍ଡକୁ ନଲୁଚାଇ ପୁଲିସ ହାତରେ ଧରାଇ ଦେଇଛି । ଏ ଘଟଣା କେନ୍ଦୁଝର ଟାଉନଥାନା ସାମନ୍ତରାପୁରରେ ଘଟିଥିବାବେଳେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।

ପଣ୍ଡାପଡ଼ା ଥାନା ହୁଣ୍ଡା ଗ୍ରାମର ବାବୁଲି ପ୍ରଧାନ (୨୫) ଗତ ଫେବ୍ରୁଆରୀ ମାସରେ ସଦର ଥାନା ଉପର ରାଇଗୋଡା ପଞ୍ଚାୟତ, କମଗାଁ ଗ୍ରାମର ପଞ୍ଚମୀ ପ୍ରଧାନ(ଦେହୁରୀ)(୨୦ ବର୍ଷ)ଙ୍କୁ ୨ୟ ବିବାହ କରିଥିଲେ । ବିବାହ ପରେ ବାବୁଲିଙ୍କ ମା’ ଟିକିନାଙ୍କ ସହିତ ସ୍ୱାମୀ ସ୍ତ୍ରୀ କେନ୍ଦୁଝର ଟାଉନ୍‌ ଥାନା ସାମନ୍ତରାପୁର ଅଞ୍ଚଳର ହୃଷିକେଶ ମିଶ୍ରଙ୍କ ଘରେ ଭଡ଼ାରେ ରହୁଥିଲେ । ବାବୁଲି କେନ୍ଦୁଝର ସହରରେ ରଙ୍ଗ ମିସ୍ତ୍ରୀ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ । ବାବୁଲିଙ୍କ ମା’ ଟିକିନା ମଧ୍ୟ ମୂଲ ମଜୁରି କରୁଥିଲେ । ଶୁକ୍ରବାର ସନ୍ଧ୍ୟାରେ ଟିକିନା ମୂଲ ମଜୁରି କରି ଘରକୁ ଫେରିଥିବାବେଳେ ଘରେ ବୋହୂକୁ ନଦେଖି ବାବୁଲିକୁ ପଚାରିଥିଲେ । ସେ କେଉଁଆଡ଼େ ଯାଇଛି ମୁୁଁ ଜାଣି ନାହିଁ ବୋଲି କହିଥିଲା ବାବୁଲି । ଦୀର୍ଘ ସମୟ ପର୍ଯ୍ୟନ୍ତ ପଞ୍ଚମୀ ଘରକୁ ନ ଫେରିବାରୁ ପୁଣିଥରେ ବାବୁଲିକୁ ପଚାରିବା ସହିତ ଖୋଜାଖୋଜି କରିଥିଲେ । ଖଟତଳେ କନ୍ଥା ଗୁଡ଼ାଯାଇଥିବା ଅବସ୍ଥାରେ ପଞ୍ଚମୀଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ ଟିକିନା ।

ବାବୁଲିଙ୍କୁ ଏ ସମ୍ବନ୍ଧରେ ପଚରାଉଚରା କରିବାରେ ଖାଇବା ପିଇବାକୁ ନେଇ ପଞ୍ଚମୀ ସହିତ ଝଗଡ଼ା ହୋଇଥିଲା ଏବଂ ଗାମୁଛାରେ ତା ତଣ୍ଟି ଚିପି ହତ୍ୟା କରିଥିବା ମା’ ଆଗରେ କହିଥିଲା । ବାବୁଲି ନିଶାସକ୍ତ ଅବସ୍ଥାରେ ଥିଲା ଏବଂ ତା ଠାରୁ ଏକଥା ଶୁଣିବା ପରେ ତାକୁ ନେଇ ଟାଉନ ଥାନା ପୁଲିସର ଜିମା ଦେଇଥିଲେ ଟିକିନା । ଶନିବାର ସକାଳୁ ଟାଉନ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ପଞ୍ଚମୀଙ୍କ ପରିବାର ଲୋକେ ମଧ୍ୟ ସାମନ୍ତରାପୁର ପହଞ୍ଚିଥିଲେ । ପଞ୍ଚମୀଙ୍କ ପରିବାର ଲୋକଙ୍କ କହିବା ମୁତାବକ, ୪ ମାସ ତଳେ ବାବୁଲିଙ୍କ ସହିତ ପଞ୍ଚମୀଙ୍କ ବିବାହ ଅନୁଷ୍ଠିତ ହୋଇଥିଲା। ପଞ୍ଚମୀ ଗର୍ଭବତୀ ଥିଲେ ବୋଲି ୨ ମାସ ତଳେ ମା’ ଆତଲ ଦେହୁରୀଙ୍କୁ ଜଣାଇଥିଲେ ।

ପଞ୍ଚମୀଙ୍କ ଭାଇ ରମେଶ ଦେହୁରୀ ଟାଉନ୍‌ ଥାନାରେ ଏ ସମ୍ବନ୍ଧରେ ଲିଖିତ ଅଭିଯୋଗ କଲା ପରେ ପୁଲିସ୍‌ ଛାନଭିନ ଆରମ୍ଭ କରିଛନ୍ତି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଟାଉନ ପୁଲିସ ପକ୍ଷରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଯାଇଥିବାବେଳେ ଟାଉନ୍‌ ଥାନାରେ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ବାବୁଲିକୁ ଅଟକ ରଖାଯାଇଛି । ବିବାହ ସମୟରେ ପଞ୍ଚମୀଙ୍କୁ ଦିଆଯାଇଥିବା ସମସ୍ତ ଆସବାବପତ୍ର ପୁଲିସ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

   ସମ୍ବନ୍ଧିତ ଖବର


ରାଜ୍ୟରେ ଚିହ୍ନଟ ହେଲେ ୧୪୭୦ ଜଣ ଆକ୍ରାନ୍ତ, ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୯୦ ହଜାର ଟପିଲା

ରାଜ୍ୟକୁ ଧୀରେ ଧୀରେ ଛୁଉଁଛି ଶୀତ, ୫ରୁ ଥଣ୍ଡା ଆହୁରି ବଢ଼ିବ

ବଧିରଙ୍କ ପାଇଁ ଖୁସି ଖବର: ଲଞ୍ଚ ହେଲା ନୂଆ ସାଉଣ୍ଡ ୱାଚ୍‌

ଆଜିଠୁ ନ୍ୟୁଜ୍‌-୭ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ: ଶୁକ୍ର, ଶନି ଓ ରବିବାର ପ୍ରସାରଣ ହେବ

ଚଳିତ ବର୍ଷ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ ନାଗାର୍ଜୁନ ବେଶ ଦର୍ଶନ- କୋଭିଡ୍‌ କଟକଣା ଯୋଗୁଁ ଶ୍ରୀମନ୍ଦିର ନୀତି ସବ୍‌କମିଟି ବୈଠକରେ ନିଷ୍ପତ୍ତି

ବିହାର ବ୍ୟାଟେଲ୍ – ପ୍ରଚାର ହାୱାରେ କମ୍ପୁଛି ରଣଭୂମି, ୧୦ ତାରିଖରେ ଆସିବ ବିହାର ଜନତାଙ୍କ ରାୟ