୧-୧ରେ ଟି-ଟ୍ୱେଣ୍ଟି ସିରିଜ୍‌ ବରାବର: ଦ.ଆଫ୍ରିକା ୯ ୱିକେଟ୍‌ରେ ବିଜୟୀ

ବେଙ୍ଗାଲୁରୁ ୨୩/୯ : କ୍ୱିଣ୍ଟନ ଡି କକ୍‌ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଦକ୍ଷିଣ ଆଫ୍ରିକା ଏଠାରେ ଅନୁଷ୍ଠିତ ତୃତୀୟ ଟି-ଟ୍ୱେଣ୍ଟି ମୁକାବିଲାରେ ଭାରତକୁ ୯ ୱିକେଟ୍‌ରେ ପରାସ୍ତ କରିଛି । ଏହି ବିଜୟ ସହ ଭ୍ରମଣକାରୀ ଦଳ ୧-୧ରେ ଟି-ଟ୍ୱେଣ୍ଟି ସିରିଜ୍‌ ଡ୍ର’ ରଖିବାରେ ସଫଳ ହୋଇଛି । ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ୯ ୱିକେଟ୍‌ ବିନିମୟରେ ୧୩୪ ରନ୍‌ ସଂଗ୍ରହ କରିଥିଲା । ଜବାବରେ ଦକ୍ଷିଣ ଆଫ୍ରିକା ୧୬.୫ ଓଭରରେ ୧ ୱିକେଟ୍‌ ହରାଇ ବିଜୟ ହାସଲ କରିଥିଲା । ଶୃଙ୍ଖଳିତ ବୋଲିଂ ପାଇଁ ବେଉରାନ ହେଣ୍ଡରିକ୍ସ ପ୍ଲେୟାର ଅଫ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ । ସେହିପରି ଉଭୟ ମ୍ୟାଚ୍‌ରେ ଅର୍ଦ୍ଧଶତକ ଅର୍ଜନ କରିଥିବା ଡି କକ୍‌ ପ୍ଲେୟାର ଅଫ ଦ ସିରିଜ୍‌ ବିବେଚିତ ହୋଇଥିଲେ ।

ଏହି ମ୍ୟାଚ୍‌ରେ ଟସ୍‌ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଓପନର ରୋହିତ ଶର୍ମା ଦୁଇଟି ଦର୍ଶନୀୟ ଚୌକା ମାରିଥିଲେ ହେଁ ମୋହାଲି ଭଳି ଏଥର ମଧ୍ୟ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ । ମାତ୍ର ୯ ରନ୍‌ କରି ସେ ପ୍ରଥମେ ଆଉଟ୍‌ ହୋଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା କୋହଲି ଅପରାଜିତ ଶିଖର ଧାୱନଙ୍କ ସହ ମିଶି ସ୍ଥିତି ସୁଧାରିଥିଲେ । ଉଭୟ ଦ୍ୱିତୀୟ ୱିକେଟ୍‌ରେ ୪୧ ରନ୍‌ର ଭାଗିଦାରୀ ଗଠନ କରିଥିଲେ । ଦଳୀୟ ସ୍କୋର ୬୩ ବେଳେ ଦ୍ୱିତୀୟ ୱିକେଟ୍‌ର ପତନ ଘଟିଥିଲା । ଧାୱନ ୨୫ଟି ବଲ୍‌ରୁ ୩୬(୪ଚୌକା, ୨ଛକା) ରନ୍‌ କରି ଆଉଟ୍‌ ହୋଇଥିଲେ । ଏହାପରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଆରମ୍ଭ ହୋଇ ଯାଇଥିଲା । ଦକ୍ଷିଣ ଆଫ୍ରିକାର ଶୃଙ୍ଖଳିତ ବୋଲିଂର ଉଚିତ ମୁକାବିଲା କରିବାରେ ଭାରତୀୟ ବ୍ୟାଟ୍ସମ୍ୟାନ ବିଫଳ ହୋଇଥିଲେ । ଦଳ ନିୟମିତ ବ୍ୟବଧାନରେ ୱିକେଟ୍‌ ହରାଇଥିଲା ।

ଦ୍ୱିତୀୟ ମ୍ୟାଚ୍‌ରେ ଅର୍ଦ୍ଧଶତକ ଅର୍ଜନ କରିଥିବା କୋହଲି ମାତ୍ର ୯ ରନ୍‌ କରି ଆଉଟ୍‌ ହୋଇଥିଲେ । ପରେ ପରେ ରିଶଭ ପନ୍ତ ୧୯(୧ଚୌକା, ୧ଛକା), ଶ୍ରେୟାସ ଆୟର ୫, କୃନାଲ ପାଣ୍ଡ୍ୟା ୪ ରନ୍‌ କରି ପାଭିଲିୟନ ଫେରିଥିଲେ । ୯୮ ରନ୍‌ରେ ଘରୋଇ ଦଳ ୬ଟି ୱିକେଟ୍‌ ହରାଇଥିଲା । ଅନ୍ତିମ ଭାଗରେ ହାର୍ଦ୍ଦିକ ପାଣ୍ଡ୍ୟା ୧୪ ଓ ରବିନ୍ଦ୍ର ଜଡେଜା ୧୯(୧ଚୌକା, ୧ଛକା) ରନ୍‌ ସଂଗ୍ରହ କରିବାରୁ ଦଳୀୟ ସ୍କୋର ୧୩୪ରେ ପହଞ୍ଚିଥିଲା । ଅନ୍ୟ ମାନଙ୍କ ମଧ୍ୟରେ ୱାସିଂଟନ ସୁନ୍ଦର ୪ ରନ୍‌ କରିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ କାଗିସୋ ରାବାଡା ୩ଟି ୱିକେଟ୍‌ ଅକ୍ତିଆର କରିଥିବାବେଳେ ବେଉରାନ ହେଣ୍ଡରିକ୍ସ ଓ ଜର୍ନ ଫର୍ଟୁଇନ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ ।

ଜବାବରେ ଦକ୍ଷିଣ ଆଫ୍ରିକାର ଦୁଇ ଓପନର ଡି କକ୍‌ ଓ ରିଜା ହେଣ୍ଡରିକ୍ସ ଆକ୍ରମଣାତ୍ମକ ବ୍ୟାଟିଂ କରି ଦ୍ରୁତ ବେଗରେ ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ୧୦ ଓଭର ମଧ୍ୟରେ ଦଳୀୟ ସ୍କୋର ୭୬ରେ ପହଞ୍ଚି ଯାଇଥିଲା । ୧୧ତମ ଓଭରରେ ହାର୍ଦ୍ଦିକ ପାଣ୍ଡ୍ୟା ଯୋଡି ଭାଙ୍ଗିଥିଲେ । ସେ ହେଣ୍ଡରିକ୍ସ(୨୮)ଙ୍କୁ ଆଉଟ୍‌ କରିଥିଲେ । ପ୍ରଥମ ୱିକେ୍‌ଟର ପତନ ବେଳକୁ ଭାରତ ହାତରୁ ମ୍ୟାଚ୍‌ ଏକ ପ୍ରକାର ଖସି ସାରିଥିଲା । ଡି କକ୍‌ ଗୋଟିଏ ପଟେ ଆକ୍ରମଣ ଜାରି ରଖି ଅର୍ଦ୍ଧଶତକ ଅର୍ଜନ କରିବା ସହ ଦଳକୁ ବିଜୟୀ କରାଇଥିଲେ । ତେମ୍ବା ବଭୁମାଙ୍କ ସହ ଅସମାପ୍ତ ଦ୍ୱିତୀୟ ୱିକେଟ୍‌ରେ ସେ ୬୬ ରନ୍‌ ଯୋଗ କରିଥିଲେ ।

   ସମ୍ବନ୍ଧିତ ଖବର


ଇତିହାସ ରଚିଲେ ଅଟୋ ଚାଳକଙ୍କ ପୁଅ, ନିଜ ନାମରେ କଲେ ନୂଆ ରେକର୍ଡ

କପିଲ ଦେବଙ୍କୁ ହାର୍ଟ ଆଟାକ୍, ଦିଲ୍ଲୀର ଏକ ହସ୍ପିଟାଲରେ ହେଲେ ଭର୍ତ୍ତି

ନଭେମ୍ବର ୨୦ରୁ ଆରମ୍ଭ ହେବ ଆଇଏସ୍‌ଏଲ୍‌, ଏଥର ସିଜନରେ ୧୧ ଟିମ୍ ଖେଳିବେ

IPL-2020: ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍‌ସ ମଧ୍ୟରେ କଡ଼ା ମୁକାବିଲା

ମହିଳା ଟି-ଟ୍ୱେଣ୍ଟି ଚ୍ୟାଲେଞ୍ଜ: ଦୁବାଇ ପହଞ୍ଚିଲେ ଭାରତୀୟ ଖେଳାଳି

IPL-2020: ଆଜି ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ କଡ଼ା ଟକ୍କର