ଇଂଲଣ୍ଡକୁ ୧ ରନ୍‌ରେ ହରାଇଲା ଦକ୍ଷିଣ ଆଫ୍ରିକା

ଇଷ୍ଟ ଲଣ୍ଡନ, ୧୩ା୨ (ଏଜେନ୍ସି): ଘରୋଇ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲାରେ ଘରୋଇ ଦଳ ୧ ରନ୍‌ରେ ରୋମାଞ୍ଚକର ବିଜୟ ହାସଲ କରିଛି । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୮/୧୭୭ ରନ୍‌ କରିଥିଲା । ଏହାର ଜବାବରେ ଇଂଲଣ୍ଡ ୯ ୱିକେଟ୍‌ ହରାଇ ୧୭୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା । ୩ଟି ୱିକେଟ୍‌ ନେଇ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଲୁଙ୍ଗି ଏନ୍‌ଗିଡ଼ି ମ୍ୟାନ ଅଫ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ ।

ବଫାଲୋ ପାର୍କ ଗ୍ରାଉଣ୍ଡ୍‌ରେ ଟସ୍‌ ଜିତି ଇଂଲଣ୍ଡ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଘରୋଇ ଦଳର ଦୁଇ ଓପନର ତେମ୍ବା ବଭୁମା ଓ କ୍ୱିଣ୍ଟନ ଡି କକ୍‌ ଆକ୍ରମଣାତ୍ମକ ବ୍ୟାଟିଂ କରି ପ୍ରଥମ ୱିକେଟ୍‌ରେ ୪୮ ରନ୍‌ ସଂଗ୍ରହ କରିଥିଲେ । ଡି କକ୍‌ ୧୫ଟି ବଲ୍‌ରୁ ୩ଟି ଚୌକା ଓ ୨ଟି ଛକା ବଳରେ ୩୧ ରନ୍‌ କରି ପ୍ରଥମେ ଆଉଟ୍‌ ହୋଇଥିଲେ । ପରବର୍ତ୍ତୀ ବ୍ୟାଟ୍ସମ୍ୟାନମାନେ ଉପଯୋଗୀ ବ୍ୟାଟିଂ କରିବାରୁ ଦକ୍ଷିଣ ଆଫ୍ରିକା ୮ ୱିକେଟ୍‌ ହରାଇ ୧୭୭ ରନ୍‌ ସଂଗ୍ରହ କରିଥିଲା । ବଭୁମା ୨୭ଟି ବଲ୍‌ରୁ ୪୩ (୫ଚୌକା) ରନ୍‌ କରିଥିବାବେଳେ ରାଶି ଭାନ୍‌ ଡର ଡୁସେନ ୩୧(୩ଚୌକା, ୧ଛକା), ଡେଭିଡ ମିଲର ୧୮, ଜେଜେ ସ୍ମଟ୍ସ ୨୦ ଓ ଆଣ୍ଡିଲ ଫେଲୁକ୍ୱାୟୋ ୧୮ ରନ୍‌ କରିଥିଲେ । ଇଂଲଣ୍ଡ ପକ୍ଷରୁ କ୍ରିସ୍‌ ଜୋର୍ଡାନ ସର୍ବାଧିକ ୨ଟି ୱିକେଟ୍‌ ନେଇଥିଲେ ।

ଜବାବରେ ଇଂଲଣ୍ଡ ୧୯ ବେଳେ ଓପନର ଜୋସ ବଟଲର(୧୫)ଙ୍କ ୱିକେଟ୍‌ ହରାଇଥିଲା । ଅନ୍ୟ ଓପନର ଜାସନ ରୟ ବିସ୍ଫୋରକ ବ୍ୟାଟିଂ ଜାରି ରଖି ବିଜୟ ଆଶା ଉଜ୍ଜ୍ୱଳ ରଖିଥିଲେ । ଜନି ବେୟାରଷ୍ଟୋଙ୍କ ସହ ମିଶି ରୟ ଦ୍ୱିତୀୟ ୱିକେଟ୍‌ରେ ୭୨ ରନ୍‌ ଯୋଗ କରିଥିଲେ । ଦଳୀୟ ସ୍କୋର ୯୧ ବେଳେ ବେୟାରଷ୍ଟୋ ୨୩ ରନ୍‌ କରି ଆଉଟ୍‌ ହୋଇଥିଲେ । ରୟ ୩୮ଟି ବଲ୍‌ରୁ ୭ଟି ଚୌକା ଓ ୩ଟି ଛକା ବଳରେ ୭୦ ରନ୍‌ କରି ଆଉଟ୍‌ ହେବା ପରେ ଦଳୀୟ ସ୍ଥିତି ସଂକଟାପନ୍ନ ହୋଇଥିଲା । ଗୋଟିଏ ପଟେ ଇୟନ ମୋର୍ଗାନ ଲଢେଇ ଜାରି ରଖିଥିଲେ ହେଁ ଅନ୍ୟ ପଟରେ ଇଂଲଣ୍ଡ ୱିକେଟ୍‌ ହରାଇ ଚାଲିଥିଲା । ଜୋ ଡେନ୍‌ଲି ୩, ବେନ ଷ୍ଟୋକ୍ସ ୪ ରନ୍‌ କରି ପାଭିିଲିୟନ ଫେରିଥିଲେ । ମୋର୍ଗାନ ଅର୍ଦ୍ଧଶତକ(୫୨, ୭ଚୌକା, ୧ଛକା) ଅର୍ଜନ କରିବା ସହ ଦଳୀୟ ସ୍କୋର ୧୭୧ରେ ପହଞ୍ଚାଇ ଆଉଟ୍‌ ହୋଇଥିଲେ । ଏହାପରେ ମୋଇନ ଅଲି ୫, ଟମ କୁରାନ ୨ ଓ ଆଦିଲ ରସିଦ ୧ ରନ୍‌ କରି ଆଉଟ୍‌ ହୋଇଥିଲେ । ଇଂଲଣ୍ଡ ମାତ୍ର ୧ ରନ୍‌ ପାଇଁ ପରାଜୟ ଏଡ଼ାଇ ପାରି ନଥିଲା ।

   ସମ୍ବନ୍ଧିତ ଖବର


କରୋନା ଯୋଗୁଁ ଜୁନ୍‌ ପର୍ଯ୍ୟନ୍ତ ଭାରତୀୟ ହକି ଦଳକୁ ବିଶ୍ରାମ

କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଠିକୁ ଗାଭାସ୍କଙ୍କ ୫୯ ଲକ୍ଷର ସହାୟତା

ଆଜିଠୁ ଡିଡି ସ୍ପୋର୍ଟରେ ଦେଖିପାରିବେ ୨୦ ବର୍ଷ ପୁରୁଣା ସ୍ମରଣୀୟ କ୍ରିକେଟ ମ୍ୟାଚ୍, ଲକ୍ଷ୍ମଣଙ୍କ ୨୮୦ ରନର ଇଂନିସ ଦେଖନ୍ତୁ ଏହି ଦିନ

‘IPL ନହେଲେ ଡିପ୍ରେସନକୁ ଯାଇପାରନ୍ତି ଅନେକ କ୍ରିକେଟର୍ସ’