ମହାକାଶକୁ ପଠାଯାଇଥିବା ସିଙ୍ଗଡା ଏହି ଦେଶର ଏକ ଜଙ୍ଗଲରେ ଖସିଲା – ହେଲେ ସିଙ୍ଗଡା ଥିଲ ଉଭାନ୍‌

ବ୍ରିଟେନ୍‌ର ଏକ ଭାରତୀୟ ରେସ୍ତୋରାଁ ମହାକାଶକୁ ସିଙ୍ଗଡ଼ା ପଠାଇବାକୁ ଉଦ୍ୟମ କରିଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ତାହା ଫ୍ରାନ୍ସରେ ଖସିପଡ଼ିଛି । ବ୍ରିଟେନ୍‌ର ବାଥ୍‌ଠାରେ ରହିଛି ଏକ ଲୋକପ୍ରିୟ ଭାରତୀୟ ରେସ୍ତୋରାଁ ‘ଚାୟ ୱାଲା’ । ତା’ର ମାଲିକ ନୀରଜ ଗାନେ୍ଧର ଥରେ ମଜାରେ ମହାକାଶକୁ ସିଙ୍ଗଡ଼ା ପଠାଇବେ ବୋଲି କହିଥିଲେ ।

କରୋନା ମହାମାରୀର ସଙ୍କଟ ମଧ୍ୟରେ ଲୋକଙ୍କ ମୁହଁରେ ଟିକେ ହସ ଫୁଟାଇବା ଉଦ୍ଦେଶ୍ୟରେ ସେ ନିଜ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଚିନ୍ତା କଲେ । ଗାନେ୍ଧର ଏଥିପାଇଁ ହିଲିୟମ୍‌ ବେଲୁନ୍‌ ବ୍ୟବହାର କରିଥିବାବେଳେ ତୃତୀୟ ପ୍ରୟାସରେ ତାଙ୍କୁ ସଫଳତା ମିଳିଥିଲା । ପ୍ରଥମ ଥର ବେଲୁନ୍‌ ତାଙ୍କ ହାତରୁ ଖସି ଯାଇଥିଲା ।

ଦ୍ୱିତୀୟ ଥର ବେଲୁନ୍‌ ମଧ୍ୟରେ ଯଥେଷ୍ଟ ହିଲିୟମ୍‌ ନ ଥିଲା । ତୃତୀୟ ପ୍ରୟାସରେ ସେ ସଫଳ ହେଲେ । ବେଲୁନ୍‌ ମାଧ୍ୟମରେ ସିଙ୍ଗଡ଼ା ଉପରକୁ ଉଠିଥିଲା । ଗାନେ୍ଧର ଓ ତାଙ୍କ ବନ୍ଧୁମାନେ କ୍ୟାମେରା, ଜିପିଏସ୍‌ ଟ୍ରାକର ସାହାଯ୍ୟରେ ତାହା କେଉଁ ଦିଗକୁ ଯାଉଛି, ସେ ସଂପର୍କରେ ଜାଣିବାକୁ ଚେଷ୍ଟା କରିଥିଲେ । କିନ୍ତୁ ପଠାଯିବାର କିଛି ସମୟ ପରେ ଜିପିଏସ୍‌ ଆଉ କାମ କରିନଥିଲା । ସେମାନେ ଏହି ମିଶନ୍‌ ବିଫଳ ହେଲା ବୋଲି ଧରିନେଇଥିବାବେଳେ ପରଦିନ ଜିପିଏସ୍‌ ପୁଣି ସକ୍ରିୟ ହେଲା । ସେଥିରୁ ବେଲୁନ୍‌ଟି ଫ୍ରାନ୍ସରେ ଖସି ପଡ଼ିଥିବା ଜଣାପଡ଼ିଥିଲା । ତେବେ ଖସିପଡ଼ିବା ପରେ ସିଙ୍ଗଡ଼ା ଭର୍ତ୍ତି ଜରି ନିଖୋଜ ଥିଲା । ତାକୁ ବନ୍ୟଜନ୍ତୁମାନେ ଖାଇଥିବା ବିଶ୍ୱାସ କରାଯାଉଛି ।