ଶୂନ୍ୟକାଳରେ ଟୋକନ୍ ତାତି : ଦିନ ୩ଟା ପର୍ଯ୍ୟନ୍ତ ଗୃହ ମୁଲତବି

ଭୁବନେଶ୍ବର ୨୧।୧୧:ଶୂନ୍ୟକାଳରେ ଟୋକନ୍ ତାତି । ଦିନ ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି କରିଛନ୍ତି ବାଚସ୍ପତି । ଗୃହ ଆରମ୍ଭରୁ ଟୋକନ ପ୍ରସଙ୍ଗ ଉଠାଇ କଂଗ୍ରେସ ଓ ବିଜେପି ସଦସ୍ୟ ହୋହାଳ୍ଲା କରିଥିଲେ । ଟୋକନ୍ ବ୍ୟବସ୍ଥା ପ୍ରତ୍ୟାହାର ଦାବିରେ ହଟ୍ଟଗୋଳ କରିଛନ୍ତି ବିରୋଧୀ । ଗୃହ ସ୍ବାଭାବିକ ପାଇଁ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି ।

ସେପଟେ ଆଜି ବି ଚାଲିପାରିଲାନି ପ୍ରଶ୍ନକାଳ । କଂଗ୍ରେସ ସଦସ୍ୟମାନେ ଧାନର ଅଭାବୀ ବିକ୍ରି ପ୍ରସଙ୍ଗ ଉଠାଇଥିଲେ । ସରକାର ଟୋକନ ବ୍ୟବସ୍ଥାକୁ ତୁରନ୍ତ ପ୍ରତ୍ୟାହାର ଦାବି କରି କଂଗ୍ରେସ ସଦସ୍ୟ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । ପ୍ରଶ୍ନକାଳ ବାତିଲ କରି ଏ ପ୍ରସଙ୍ଗ ଆଲୋଚନା ହେଉ ବୋଲି ଦାବି କରିଥିଲେ । କଂଗ୍ରେସ ସଦସ୍ୟ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଉଦ୍ୟମ କରିବା ସହ ବାଚସ୍ପତି ଏନେଇ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେବାକୁ ଦାବି କରିଥିଲେ ।

ସେପଟେ ତେଜୁଛି ପଶ୍ଚିମଓଡିଶା ଚାଷୀ ଆନ୍ଦୋଳନ । ଟୋକନ ମାଧ୍ୟମରେ ଧାନ କିଣା ବ୍ୟବସ୍ଥା ପ୍ରତ୍ୟାହାର ଦାବିରେ ଅଡ଼ି ବସିଥିବା ପଶ୍ଚିମ ଓଡ଼ିଶାର ଚାଷୀମାନେ କୌଣସି ପ୍ରକାରେ ସାଲିସ କରିବା ପାଇଁ ପ୍ରସ୍ତୁତ ନାହାନ୍ତି । ବାମରାରୁ ବରପାଲି, ଆଜି ୫୪ଟି ଚାଷୀ ସଂଗଠନ ଜାତୀୟ ରାଜପଥ ଅବରୋଧ କରି ଆନ୍ଦୋଳନକୁ ଓହ୍ଲାଇବେ । ଜିଲ୍ଲାର ୪୨ଟି ଚାଷୀ ସଂଗଠନ ଏନେଇ ଗାଁ ଗାଁରେ ବୈଠକ କରି ଚାଷୀମାନଙ୍କୁ ଏକାଠି ହେବାକୁ ଆହ୍ବାନ ଦେଇଛନ୍ତି ।

ପୂର୍ବଭଳି ପି-ପାସ୍ ବ୍ୟବସ୍ଥା ମାଧ୍ୟମରେ ମଣ୍ଡିରେ ଧାନ ବିକ୍ରି ପାଇଁ ସେମାନେ ଦାବି କରିଛନ୍ତି । ଆଜି ସମ୍ବଲପୁରରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ ଏବଂ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଙ୍କ ପ୍ରତିନିଧିଙ୍କ ସହ ଚାଷୀ ନେତା ଆଲୋଚନା କରିବେ । ଆଗରୁ ଧାନ ଗାଡି ରଖି ଚାଷୀମାନେ ଜିଲ୍ଲାପାଳଙ୍କ ବାସଭବନ ଏବଂ ପଶ୍ଚିମଓଡିଶା ବିଧାୟକଙ୍କ ବାସଭବନ ଘେରାଉ କରିଥିଲେ ।

ସେପଟେ ବରଗଡ଼ରେ ମଧ୍ୟ ଟୋକନ ବ୍ୟବସ୍ଥାକୁ ନେଇ ଚାଷୀଙ୍କ ତୀବ୍ର ବିରୋଧ । ଅତାବିରା ଥାନା ଗୋଡଭଗା ଜାତୀୟ ରାଜପଥରେ ଧାନ ଢାଳିବା ସହ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି ଚାଷୀ । ଗତକାଲି ବିଳମ୍ବିତ ରାତି ଯାଏ ଜିଲ୍ଲାପାଳ ଚାଷୀ ସଂଗଠନଙ୍କ ସହ ଆଲୋଚନା କରିଥିଲେ ବି କିଛି ନିର୍ଯ୍ୟାସ ବାହାରିପାରିନି । ସେହିପରି ଅତାବିରା ପୋଲିସ ଷ୍ଟେସନରେ ଡିଆଇଜି ହିମାଂଶୁ ଲାଲଙ୍କ ସହ ହୋଇଥିବା ଆଲୋଚନା ମଧ୍ୟ ବିଫଳ ହୋଇଛି । ତେଣୁ ଦାବି ପୂରଣ ପାଇଁ ଆଜି ଚାଷୀ ସଙ୍ଗଠନଗୁଡ଼ିକ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

   ସମ୍ବନ୍ଧିତ ଖବର


ହାଇଦ୍ରାବାଦ ଏନକାଉଣ୍ଟରକୁ ନେଇ କଣ କହିଲେ ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା, ପଢନ୍ତୁ..

ରାମାଶିଷ ମାଧ୍ୟମିକ ଶିକ୍ଷା ପରିଷଦ ନୂଆ ସଭାପତି

ଆସନ୍ତା୨୬ରୁ ଜାନୁଆରୀ ୪ ତାରିଖ ପର୍ଯ୍ୟନ୍ତ ଭିତରକନିକା ବନ୍ଦ

କାଷ୍ଟିଂ କାଉଚ୍‌ ଘଟଣା: ପପୁ ପମ୍‌ପମ୍‌ ମାମଲାରେ ପୀଡ଼ିତାଙ୍କ ବୟାନ ରେକର୍ଡ