ରାଜଧାନୀରେ କ୍ରାଇମ୍ କଣ୍ଟ୍ରୋଲ ପାଇଁ ଡିସିପିଙ୍କ ନୂଆ ଫଣ୍ଡା: ଅପରାଧିଙ୍କୁ ଧରିବେ ପୁଲିସ ‘ସ୍ପେଶାଲ ୨୬’ଟିମ୍,

ଭୁବନେଶ୍ୱର ୦୯/୦୩: ରାଜଧାନୀରେ ଲୁଟ୍ ଓ ଛିନ୍ତାଇ ରୋକିବେ । ପେସାଦାର ଲୁଟେରାଙ୍କୁ କାବୁ କରିବେ। ଏମିତି ଲକ୍ଷ୍ୟରେ କମିଶନରେଟ୍ ପୁଲିସ ଗଢ଼ିଛି ‘ସ୍ପେଶାଲ ଟିମ୍’ । ସବୁ ଥାନାରୁ ବଛା ବଛା ୨୬ଜଣ ପୁଲିସ ସବ୍ ଇନ୍ସପେକ୍ଟର ଟିମ୍ରେ ଅଛନ୍ତି । କୌଣସି ସ୍ଥାନରେ ଲୁଟ୍ ଘଟିବା କ୍ଷଣି ସକ୍ରିୟ ହେବ ଟିମ୍ । ମିଳିତ ସମନ୍ୱୟରେ ସହର ଗଳି କନ୍ଦି ଖୋଜି ଲୁଟେରାଙ୍କୁ ଧରିବ ।
ବର୍ଦ୍ଧିତ ଲୁଟ୍, ଛିନ୍ତାଇ ଏବେ ପୁଲିସର ମୁଣ୍ଡ ବିନ୍ଧା ପାଲଟିଛି । ପଦାକୁ ବାହାରିବାକୁ ରାଜଧାନୀବାସୀ ଡରୁଛନ୍ତି। ଲୁଟେରାଙ୍କ ଦୌରାତ୍ମରେ ରୋକ୍ ଲଗାଇବାକୁ ଡିସିପି ଉମାଶଙ୍କର ଦାଶ ଏହି ନୂଆ ଟିମ୍ ଗଢ଼ିଛନ୍ତି । ଟିମ୍ରେ ସବୁ ଥାନାର ଜଣେ ଲେଖାଏଁ ସବ୍ଇନ୍ସପେକ୍ଟର ର୍ୟାଙ୍କ ଅଧିକାରୀ ଅଛନ୍ତି । ନିଜ ଥାନା ସୀମାରେ ଲୁଟେରାକୁ କାବୁ କରିବାରେ ଥିବା ରେକର୍ଡକୁ ମାପି ଏମାନଙ୍କୁ ଟିମ୍ରେ ନିଆଯାଇଛି । ଏହାବାଦ୍ ୪ଜଣ କନଷ୍ଟେବଳଙ୍କୁ ମଧ୍ୟ ଟିମ୍ରେ ସାମିଲ କରାଯାଇଛି ।
ଏମାନେ ପୂର୍ବ ଭଳି ଥାନାର ଅନ୍ୟ କୌଣସି କାଗଜପତ୍ର କାମ କରିବେନି କିମ୍ବା ଆଇନ୍ ଶୃଙ୍ଖଳାରେ ନିୟୋଜିତ ହେବେନି । କେବଳ ଲୁଟ୍ ଓ ଛିନ୍ତାଇକୁ ଗୁରୁତ୍ୱ ଦେବାକୁ ସେମାନଙ୍କୁ ନିର୍ଦ୍ଦେଶ ମିଳିଛି । ସ୍ପେଶାଲ ଟିମ୍ ପାଇଁ ଏକ ସ୍ୱତନ୍ତ୍ର ହ୍ୱାଟସ୍ ଆପ୍ ଗ୍ରୁପ୍ ଗଢ଼ାଯାଇଛି । ସହରର ଯେକୌଣସି ସ୍ଥାନରେ ଲୁଟ୍ ହେବା ମାତ୍ରେ ପୂରା ଟିମ୍ ସକ୍ରିୟ ହେବ। ଲୁଟ୍ ସ୍ଥାନର ୧ କିମି ପରିଧି ଭିତରେ ସ୍ପେଶାଲ ୨୬ ଟିମ୍ ଅପରେସନ ଆରମ୍ଭ କରିବ । ଉଦାହରଣ ସ୍ୱରୂପ ଯଦି ଇନ୍ଫୋସିଟି ଅଞ୍ଚଳରେ ଲୁଟ୍ ହୁଏ ତେବେ ସ୍ୱତନ୍ତ୍ର ଟିମ୍ରେ ଥିବା ଉକ୍ତ ଥାନାର ସବ୍ଇନ୍ସପେକ୍ଟରକୁ ଅନ୍ୟ ସମସ୍ତେ ସହାୟତା କରିବେ । ଲୁଟେରା ଯେଉଁ ଛକ ଆଡ଼େ ଖସିବାକୁ ଚେଷ୍ଟା କରିବ, ସେଠାକାର ଥାନାର ସବ୍ଇନ୍ସପେକ୍ଟର ବ୍ଲକିଂ ଚେକିଂ କରି ଲୁଟେରାକୁ ଧରିବାକୁ ଉଦ୍ୟମ କରିବେ । ଏସବୁ ଅପରେସନକୁ ଖୋଦ୍ ଡିସିପି ତଦାରଖ କରିବେ ।
ପେସାଦାରଙ୍କୁ ଫୋକସ୍
ସମୀକ୍ଷାରୁ ଜଣାପଡି଼ଛି, ସହରରେ ଘଟୁଥିବା ପ୍ରାୟ ୭୫ ପ୍ରତିଶତ ଲୁଟ୍, ଛିନ୍ତାଇରେ ପେସାଦାର ଲୁଟେରାଙ୍କ ସମ୍ପୃକ୍ତି ରହୁଛି । ଏମାନେ ଜେଲ୍ରୁ ଫେରିବା ପରେ ପରେ ଲୁଟ୍ପାଟ୍ରେ ମାତୁଛନ୍ତି । ତେଣୁ ସ୍ୱତନ୍ତ୍ର ଟିମ୍ର ଫୋକସ୍ରେ ରହିବେ ପେସାଦାର ଲୁଟେରା । ଏମାନଙ୍କର ଏକ ସ୍ୱତନ୍ତ୍ର ତାଲିକା ପ୍ରସ୍ତୁତ ହୋଇଛି । ପାଖାପାଖି ଏକ ହଜାରରୁ ଅଧିକ ଲୁଟେରାଙ୍କୁ ଚିହ୍ନଟ କରାଯାଇଛି । ଅନ୍ୟ ସହରର ଲୁଟେରା ମଧ୍ୟ ଏହି ତାଲିକାରେ ଅଛନ୍ତି । ଏମାନଙ୍କ ଗତିବିଧି ଉପରେ ତୀକ୍ଷ୍ମ ନଜର ରଖାଯିବ । ଜେଲ୍ରୁ ଫେରିବା ମାତ୍ରେ ପୁଲିସର ଗୁପ୍ତଚର(ସ୍ପାଏ)ଙ୍କୁ ସେମାନଙ୍କ ପଛରେ ଲଗାଯିବ । ସମସ୍ତ ପେସାଦାର ଲୁଟେରା ନିରନ୍ତର ସମୟ ବ୍ୟବଧାନରେ ନିକଟସ୍ଥ ଥାନାକୁ ଯାଇ ହାଜିରା ଦେବେ । ନଚେତ୍, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ପୁଣି ଫେରିବ ଏନ୍କାଉଣ୍ଟର

୨୦୧୯ ମସିହା ଜୁଲାଇ, ଅଗଷ୍ଟ ମାସରେ ଲୁଟ୍ ଛିନ୍ତାଇ ଗ୍ୟାଙ୍ଗ ସମାନ ଢ଼ଙ୍ଗରେ ସହରରେ ଆତଙ୍କ ଖେଳାଇଥିଲେ । ଲଗାତାର ଲୁଟ୍, ଛିନ୍ତାଇ ହେବାରୁ ତତ୍କାଳୀନ ଡିସିପି ଅନୁପ ସାହୁ ତତ୍ପର ହୋଇଉଠିଲେ। ଏଥିରେ ଲଗାମ କଷିବାକୁ ସ୍ପେଶାଲ ସ୍କ୍ୱାଡ୍କୁ ଦାୟିତ୍ୱ ଦିଆଯାଇଥିଲା । ୩ ଦିନରେ ଲଗାତାର ୫ ଏନ୍କାଉଣ୍ଟର କରିବା ପରେ ଲୁଟେରା ଗ୍ୟାଙ୍ଗର ଦୌରାତ୍ମ ଆପେ ଥମିଯାଇଥିଲା । ସମାନ ଢଙ୍ଗରେ ଏଥର ମଧ୍ୟ ଏନ୍କାଉଣ୍ଟରକୁ ଅସ୍ତ୍ର କରିବାକୁ ଡିସିପି ଯୋଜନା ରଖିଛନ୍ତି । ଜେଲ୍ରୁ ଫେରି ପୁଣି ଲୁଟ୍ପାଟରେ ସମ୍ପୃକ୍ତ ରହିଲେ, ଲୁଟେରା ଗ୍ୟାଙ୍ଗର ମୁଖିଆକୁ ଏନକାଉଣ୍ଟର କରାଯିବାର ସମ୍ଭାବନା ରହିଛି ।