
କଟକ, ୧୧/ ୦୧: ସୋସିଆଲ୍ ମିଡିଆରେ ଏବେ ଘୂରି ବୁଲୁଛି ଜଣେ ଯୁବ ବିଧାୟକଙ୍କ ସହ ଜଣେ ଯୁବତୀଙ୍କ ଫଟୋ। ଉଭୟ ଅବିବାହିତ ହୋଇଥିବାରୁ ଏଭଳି ଫଟୋକୁ ନେଇ ଏବେ ଚାରିଆଡ଼େ ଚହଳ । ପୁଣି ଯୁବତୀ ନିଜ ଆଡ଼ୁ ବିଧାୟକଙ୍କ ନାଁ ନେଇ ତାଙ୍କ ସହ ରିଲେସନ୍ସିପ୍ ବା ସଂପର୍କର ଡୋରିରେ ବାନ୍ଧି ହୋଇଥିବା କଥା ନିଜ ଫେସବୁକ୍ ଆକାଉଣ୍ଟ୍ରେ ଘୋଷଣା କରିଛନ୍ତି। ଫଳରେ ଏଭଳି ପୋଷ୍ଟ୍କୁ ନେଇ ଲାଇକ୍, କମେଣ୍ଟ୍ର ପର୍ବ ଆରମ୍ଭ ହୋଇଯାଇଛି। ଅବଶ୍ୟ ବିଧାୟକଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ୍ରେ ଏହାର ସାମାନ୍ୟତମ ବାସ୍ନା ବାରି ହୋଇନାହିଁ। ତେଣୁ ଏହା ଏକତରଫା ପ୍ରେମ ନା, ଏହା ପଛରେ ଅଧିକ କିଛି ରହସ୍ୟ ଲୁଚି ରହିଛି ତାହାକୁ ନେଇ ଅନେକ ଚର୍ଚ୍ଚା ହେଉଛି।
୨୦୧୮ ମସିହାରେ ପ୍ରଥମେ ଏଭଳି ପୋଷ୍ଟ୍ କରିଥିଲେ ଜଗତସିଂହପୁର ଜିଲ୍ଲାର ସଂପୃକ୍ତ ଯୁବତୀ । ହେଲେ ସେତେବେଳେ ଏହାକୁ ନେଇ ଅଧିକ ହଲ୍ଚଲ୍ ପ୍ରକାଶ ପାଇନଥିଲା । ମାତ୍ର ଆଜି ଏହି ପୋଷ୍ଟ୍ର ଫଟୋ କପିଟି ଭାଇରାଲ୍ ହେବାରେ ଲାଗିଛି। ଅପରପକ୍ଷେ ଯୁବତୀଙ୍କ ସୋସିଆଲ୍ ଆକାଉଣ୍ଟ୍ ସହ ଯୋଡ଼ି ହୋଇ ରହୁଥିବା ବନ୍ଧୁମାନେ ହିଁ କେବଳ ଏହି ପୋଷ୍ଟ୍କୁ ଦେଖିପାରିବେ ଏବଂ ନିଜ ନିଜର ମନ୍ତବ୍ୟ ଦେଇପାରିବେ, ସେଭଳି ବ୍ୟବସ୍ଥା ରହିଛି । କାରଣ ସଂପୃକ୍ତ ଯୁବତୀ ନିଜ ସୋସିଆଲ୍ ଆକାଉଣ୍ଟ୍କୁ ସଂପୂର୍ଣ୍ଣ ମାତ୍ରାରେ ଉନ୍ମୁକ୍ତ ରଖି ନାହାନ୍ତି । ସେଥିଯୋଗୁଁ ଏହି ଧରଣର ଅଧିକ ଫଟୋ କିଛି ପୋଷ୍ଟ୍ ହୋଇଛି କି ନାହିଁ ତାହା ସ୍ପଷ୍ଟ ଭାବେ ଜାଣିବା ମୁସ୍କିଲ୍ ହୋଇପଡ଼ିଛି । କିନ୍ତୁ ଯୁବତୀ ନିଜ ଆଡ଼ୁ ରିଲେସନ୍ସିପ୍ରେ ରହିଥିବା କଥା ଉଠାଇ ଏବେ ରାଜ୍ୟର ଏହି ଅବିବାହିତ ଯୁବ ବିଧାୟକଙ୍କୁ ଚର୍ଚ୍ଚାର ଘେରକୁ ଟାଣି ଆଣିଛନ୍ତି ।
ଅତି ବିଶ୍ୱସ୍ତ ତଥା ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଦୀର୍ଘ ଦୁଇ ବର୍ଷରୁ ଅଧିକ ହେବ ସଂପୃକ୍ତ ବିଧାୟକ ଏହି ଯୁବତୀଙ୍କ ସଂସ୍ପର୍ଶରେ ରହି ଆସିଛନ୍ତି । ସେତେବେଳେ ଯେହେତୁ ସେ ବିଧାୟକ ହୋଇନଥିଲେ, ତେଣୁ ଦୁହିଙ୍କ ମିଳାମିଶାକୁ କେହି ଗୁରୁତ୍ୱ ଦେଉ ନଥିଲେ । ହେଲେ ଏବେ ଶାସକ ଦଳର ବିଧାୟକ ରହିଥିବାରୁ ସୋସିଆଲ୍ ମିଡିଆରେ ଯୁବତୀଙ୍କ ଏପ୍ରକାର ପୋଷ୍ଟ୍ ହଠାତ ଭାଇରାଲ୍ ହେବାରେ ଲାଗିଛି । ଏହ ପଛରେ ଅନେକ ରହସ୍ୟ, କାରଣ ରହୁଥିବା ଅନୁମାନ କରାଯାଉଛି । ଏଣେ ବିଧାୟକଙ୍କ କିଛି ନିକଟତମ ସମର୍ଥକ ଉଭୟଙ୍କ ସଂପର୍କକୁ ଅସ୍ୱୀକାର କରୁନଥିଲେ ସୁଦ୍ଧା, ଏହି ଘଟଣାରେ ସେଭଳି କିଛି ଖରାପ ଦିଗ ନଥିବା କହି ବୁଲୁଛନ୍ତି ।
ଏପଟେ ସୋସିଆଲ୍ ମିଡିଆରେ ପୃଥକ୍ ଭାବେ ଦୁହିଁଙ୍କ ଫଟୋକୁ ରଖାଯାଇଥିବା ବେଳେ ଯୁବତୀ ନିଜ ମୁହଁକୁ ଦୁଇ ହାତରେ ଢାଙ୍କିି ରଖିବା ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଛି । ତେଣୁ ଏହା ଉଭୟଙ୍କ ସଚ୍ଚା ପ୍ରେମ କାହାଣୀ ନା ବିଧାୟକଙ୍କୁ ବ୍ଲାକ୍ମେଲିଂ ନା ଏକତରଫା ପ୍ରେମ ତାହା ବୁଝାପଡ଼ୁନି । ଏମିତିକି ଏହା ଏକ ପୁରୁଣା କାହାଣୀ ଏବଂ ବିଧାୟକଙ୍କୁ ଅକଳ ପରିସ୍ଥିତିରେ ପକାଇବା ପାଇଁ ଏବେ ଏହାକୁ ଅସ୍ତ୍ର ଭାବେ ବ୍ୟବହାର କରାଯାଇଥିବା ମଧ୍ୟ କୁହାଯାଉଛି।