ଟ୍ରାଫିକ୍ କନଷ୍ଟେବଳଙ୍କୁ ମାଡ଼ ମାରିଲେ ମହିଳା , ଭିଡ଼ିଓ ଭାଇରାଲ

ମୁମ୍ୱାଇ – ମୁମ୍ୱାଇରେ ଚାଞ୍ଚଲ୍ୟକର ଘଟଣା । ଯାହାକି ଜାଣିଲେ ମାନବିକତାକୁ ଆଘାତ ଲାଗିବ । ଡ୍ୟୁଟି କରୁଥିବା ଜଣେ ଟ୍ରାଫିକ୍‌ କନଷ୍ଟେବଳଙ୍କୁ ଅତି ନିର୍ମମ ଭାବେ ଜଣେ ମହିଳା ପିଟିବାର ଭିଡ଼ିଓ ଭାଇରାଲ ହେଉଛି । ମହିଳାଙ୍କ ଏହି ଦୁର୍ବ୍ୟବହାର ଏବେ ଚର୍ଚ୍ଚାରେ ।

ଶନିବାର ଦିନ କାଲବାଦେବୀ ଅଞ୍ଚଳରେ ଏହି ଘଟଣା ସାମନାକୁ ଆସିଛି । ମହିଳା ଜଣଙ୍କ ହେଲମେଟ୍‌ ନପିନ୍ଧି ବାଇକ୍‌ ନେଇ ଯାଉଥିଲେ, ତାଙ୍କୁ ଯେତେବେଳେ  କନଷ୍ଟେବଳ ଅଟକାଇଥିଲେ , ସେତେବେଳେ ଏହି ଘଟଣାର ସୂତ୍ରପାତ ହୋଇଥିଲା । ମହିଳା ଜଣଙ୍କ କ୍ରୋଧିତ ହୋଇ ତାଙ୍କୁ ପିଟିଥିଲେ ।

ମାସ୍କ ପିନ୍ଧିନଥିବା ଭିଡ଼ିଓରେ ନଜର ଆସୁଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ, କନଷ୍ଟେବଳ ତାଙ୍କୁ ଖରାପ ଭାଷାରେ ଗାଳି କରିଥିଲେ । ସେ ତାଙ୍କୁ କହୁଛନ୍ତି, ସେ ପୁଲିସ୍‌ ହୋଇଥାନ୍ତୁ , ହେଲେ ଗାଳି ଦେବାର ତାଙ୍କର ଅଧିକାର ନାହିଁ ।

ମହିଳା ଜଣଙ୍କ କନଷ୍ଟେବଳଙ୍କୁ ଖୁବ୍‌ ଜୋରରେ ମାଡ଼ ମାରିବା ଓ ଚାପୁଡ଼ା ମାରିବାର ଭିଡ଼ିଓ ନଜର ଆସୁଛି । ଏହି ମହିଳାଙ୍କୁ ଯେତେବେଳେ ପୁଲିସ୍‌ ଷ୍ଟେସନକୁ ନିଆଯାଉଥିଲା ସେ ମଧ୍ୟ ମହିଳା ପୁଲିସ୍‌ଙ୍କ ଉପରକୁ ହାତ ଉଠେଇଥିଲେ ।

ଏହି ପୀଡ଼ିତ କନଷ୍ଟେବଳ ଜଣଙ୍କ ହେଉଛନ୍ତି ଏକନାଥ ପାର୍ତେ ଏବଂ ସେ ଏହି ଅଭିଯୁକ୍ତ ମହିଳାଙ୍କ ବିରୋଧରେ ଏଲଟି ମାର୍ଗ ପୁଲସି୍‌ ଷ୍ଟେସନରେ ଏତଲା ଦେଇଛନ୍ତି । ଗିରଫ ହୋଇଥିବା ଏହି ଅଭିଯୁକ୍ତ ହେଲେ ସାଦଭିକା ଟିୱାରି(୩୦),  ମସଜିଦ୍‌ ବନ୍ଦର  ଅଞ୍ଚଳର ଏବଂ ଆଉ ଜଣେ ମୋହିନୁଦ୍ଦିନ ଖାନ(୨୬), ଭେଣ୍ଡି ବଜାରର ଅଟନ୍ତି ।

ଏହି ଘଟଣାକୁ ନେଇ ବରିଷ୍ଠ ଶିବ ସେନା ନେତା ଓ ରାଜ୍ୟ ସଭା ସାଂସଦ ସଞ୍ଜୟ ରାଉତ  ପ୍ରତିକ୍ରିୟା ଦେଇଛନ୍ତି । ଏହା ମୁମ୍ୱାଇ ପୁଲିସ୍‌ର ସମ୍ମାନର କଥା ବୋଲି ସଂପୃକ୍ତ ମହିଳାଙ୍କ ବିରୋଧରେ ତତ୍କାଳ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି ।