ବେଦିରେ ବସିବା ଆଗରୁ ବନ୍ଧା ହେଲା ପାଳ ଦଉଡ଼ି – କନ୍ୟାର ମୃତ୍ୟୁରେ ସରିଗଲା ସବୁ ସୁଖ

କୁଶୀନଗର – ସମୟ କେତେବେଳେ କାହା ପାଇଁ କେଉଁ ମୁହୂର୍ତ୍ତ ନେଇ ଆସେ , ତାହା କେହି ଜାଣି ନଥାନ୍ତି । ଏଇନେ ଖୁସି ତ ଏଇନେ ଦୁଃଖ । ଏମିତି ସ୍ଥିତି ଥାଏ । ଏପରି ଏକ ଘଟଣା ସାମନାକୁ ଆସିଛି । ଯାହାକି ଜାଣିଲେ ଆପଣଙ୍କ ହୃଦୟ ବିଗଳିତ ହୋଇଯିବ।

ଉତ୍ତର ପ୍ରଦେଶର କୁଶୀ ନଗରରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମନାକୁ ଆସିଛି। ବାହାଘର ପାଇଁ ଚାଲିଥିବା ପ୍ରସ୍ତୁତି । ବର ଘରେ ବନ୍ଧୁବାନ୍ଧବଙ୍କ ଭିଡ଼ ଲାଗିଯାଇଥିଲା । ମାଙ୍ଗଳିକ କାମର ଶୁଭ ମୁହୂର୍ତ୍ତକୁ ସମସ୍ତେ ସ୍ୱାଗତ କରୁଥିଲେ । କିନ୍ତୁ ଗୋଟିଏ ଅଶୁଭ ଖବର ସବୁ ସାରି ଦେଲା ।

ସେପଟେ କନ୍ୟାର ମୃତ୍ୟୁ ଖବର ଶୁଣି ଖେଳିଗଲା ଦୁଃଖର ଲହରୀ । ଆଉ ବର ଚେତାଶୂନ୍ୟ ହୋଇ ପଡ଼ିଗଲେ । ଯେଉଁ ଘରେ ବାହାଘର ନେଇ ବନ୍ଧୁବାନ୍ଧବଙ୍କ ଗହଣରେ ଖୁସିର ମାହୋଲ ଲାଗିଥିଲା , ସେଠାରେ ଦୁଃଖର ବଜ୍ରପାତ ସବୁ  ବିଗାଡ଼ି ଦେଲା କ୍ଷଣିକରେ ।  

ସୂଚନା ମୁତାବକ , ଖଡ୍ଡା ଥାନା ଅଞ୍ଚଳରେ ଧନୌଜୀ ନିବାସୀ ଓମ୍‌ ପ୍ରକାଶ କୁଶୱାହାଙ୍କର ବିବାହ  ନେବୁଆ ନୌରଙ୍ଗଆ ଥାନା ଅଞ୍ଚଳର କଠନଇଆ ନିବାସୀ ମାୟାଙ୍କ ସହ ସ୍ଥିର ହୋଇଥିଲା । ୨୬ ନଭେମ୍ୱରରେ ତିଳକ ଉତ୍ସବ ସଂପନ୍ନ ହୋଇଥିଲା ।

ତିଳକ ଦିନ କନ୍ୟା ମାୟା  ନିଜର ଭାଇଙ୍କର ବାଇକ୍‌ରେ  କିଣାକିଣି କରିବାକୁ ଯିବା ବେଳେ  ପଡ଼ିଯାଇଥିଲେ । ସାମାନ୍ୟ ଆଘାତ କହି ସ୍ଥାନୀୟ ଡାକ୍ତର କିଛି ଔଷଧ ଦେଇ ଘରକୁ ପଠାଇ ଦେଇଥିଲେ । ଶନିବାର ଦିନ  ହଳଦୀ ଉତ୍ସବ ହସଖୁସିରେ ହୋଇଥିଲା ।

ରବିବାର ସକାଳ ପାଖାପାଖି ୪ଟାରେ ହଠାତ୍ ମାୟାଙ୍କର ସ୍ୱାସ୍ଥ୍ୟ ବିଗିଡ଼ି ଗଲା । ବନ୍ଧୁ ପରିଜନ କିଛି କରିବା ପୂର୍ବରୁ  ତାଙ୍କର ମୃତ୍ୟୁ ହୋଇଗଲା । ଘରେ କାନ୍ଦ ବୋବାଳି ପଡ଼ିଗଲା । ସେପଟେ ବାହାଘର ପାଇଁ ପ୍ରସ୍ତୁତ ହେଉଥିବା ବର ଓମ୍‌ ପ୍ରକାଶଙ୍କ ଘର ଲୋକେ ଏହି ଖବର ପାଇ ଆଶ୍ଚର୍ଯ୍ୟ ହୋଇଗଲେ ।

ମାଙ୍ଗଳିକ ଗୀତ ବିରହ ସଙ୍ଗୀତରେ ବଦଳିଗଲା । ବିଧାତାର ଏହି ନିଷ୍ଠୁର ନିଷ୍ପତ୍ତି ଦେଖି ବର ଓମ୍‌ ପ୍ରକାଶ ବାରମ୍ୱାର ଅଚେତ ହୋଇଗଲେ । ଦୁଇ ପରିବାରରେ ଦୁଃଖର ବାଦଲ ଆଚ୍ଛନ୍ନ କରିଦେଲା ।