୪ ବର୍ଷ ପରେ ପୁଣି ନିଲାମ ହେବ ସ୍ପେକ୍ଟ୍ରମ- ଏହି ସବୁ ମେଗା ହର୍ଜ ପାଇଁ ହେବ ସ୍ପେକ୍ଟ୍ରମ ନିଲାମ

ନୂଆଦିଲ୍ଲୀ : କୋଭିଡ୍‌ କାଳରେ ରାଜକୋଷ ସଙ୍କୁଚିତ ହୋଇଛି । ଏଭଳି ସ୍ଥିତିରେ ରାଜସ୍ୱ ଏକତ୍ର କରିବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି ମୋଦି ସରକାର ।ଏହି କ୍ରମରେ ଆଜି କ୍ୟାବିନେଟ୍‌ ବୈଠକରେ
ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ପରବର୍ତ୍ତୀ ପର୍ଯ୍ୟାୟ ଟେଲିକମ୍‌ ସ୍ପେକ୍ଟ୍ରମ୍‌ ନିଲାମିକୁ ମିଳିଛି ମଞ୍ଜୁରି । ପାଖାପାଖି ୪ ବର୍ଷ ପରେ ସରକାର ପୁଣି ଥରେ ସ୍ପେକ୍ଟ୍ରମ୍‌ର ଆବଣ୍ଟନ କରିବେ । ଆସନ୍ତା
ବର୍ଷ ମାର୍ଚ୍ଚ ସୁଦ୍ଧା ନିଲାମ ଆରମ୍ଭ ହେବ । ସ୍ପେକ୍ଟ୍ରମ ନିଲାମର ସର୍ତ୍ତାବଳୀଗୁଡିକ ୨୦୧୬ ସହ ସମାନ ରହିବ ବୋଲି ସରକାରୀ ସୂତ୍ରରୁ ଜଣାଯାଇଛି ।

ମୋଟ ୨୧୫୧.୨୫ ମେଗାହର୍ଜରେ ସରକାର ୭୦୦, ୮୦୦, ୯୦୦, ୧୮୦୦ , ୨୧୦୦ ୨୩୦୦ ଏବଂ ୨୫୦୦ ମେଗାହର୍ଜ ଫ୍ରିକ୍ୱେନ୍ସି ବ୍ୟାଣ୍ଡ୍‌କୁ ନିଲାମ କରିବେ । ୨୦ ବର୍ଷ ପାଇଁ ଟେଲିକମ୍‌ କମ୍ପାନିଗୁଡିକୁ ସ୍ପେକ୍ଟ୍ରମ୍‌ ଆବଣ୍ଟନ କରାଯିବ । ସ୍ପେକ୍ଟ୍ରମ୍‌ର ମୋଟ ମୂଲ୍ୟ ପାଖାପାଖି ୩,୯୨,୩୩୨.୭୦ କୋଟି ଟଙ୍କା ରହିଛି । କ୍ୟାବିନେଟ୍‌ ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏ ସୂଚନା ଦେଇଛନ୍ତି । ପ୍ରସାଦ କହିଛନ୍ତି ଯେ, ୪ ବର୍ଷ ପରେ ପୁଣି ଥରେ ଟେଲିକମ୍‌ ସ୍ପେକ୍ଟ୍ରମ୍‌ ନିଲାମ ହେବ । ସର୍ତ୍ତାବଳି ୨୦୧୬ ସହ ସମାନ ରହିବ ।

ଆବେଦନ ଲାଗି ନୋଟିସ୍‌ ଚଳିତ ମାସ ଜାରି କରାଯିବ । ୨୦୨୧ ମାର୍ଚ୍ଚ ସୁଦ୍ଧା ନିଲାମ ପାଇଁ ପ୍ରସ୍ତାବ ରଖାଯାଇଛି । ଆଇଟି ମନ୍ତ୍ରୀ ପ୍ରସାଦ ଆହୁରି କହିଛନ୍ତି ଯେ, ବିଶ୍ୱସନୀୟ ପ୍ରଡକ୍ଟ ଭାବେ ମାନ୍ୟତାପ୍ରାପ୍ତ ନୂଆ ଡିଭାଇସ୍‌ଗୁଡିକର ବ୍ୟବହାର ଟେଲିକମ୍‌ କମ୍ପାନିଗୁଡିକ ପାଇଁ ବାଧ୍ୟତାମୂଳକ ରହିବ । ସେହିଭଳି ଟେଲିକମ୍‌ ଉପରେ ଏକ ଜାତୀୟ ନିରାପତ୍ତା କମିଟି ଗଠନ କରାଯିବ । ଏହା ଅଧୀନରେ ଭାରତ ସରକାର ଜାତୀୟ
ନିରାପତ୍ତା ଦୃଷ୍ଟିକୋଣରୁ ଟେଲିକମ୍‌ କ୍ଷେତ୍ର ପାଇଁ ବିଶ୍ୱାସଯୋଗ୍ୟ ଉତ୍ପାଦ ତଥା ଉତ୍ସର ଏକ ତାଲିକା ପ୍ରସ୍ତୁତ କରିବେ ।

ସ୍ପେକ୍ଟ୍ରମ ନିଲାମିର ସଫଳ ବିଡ଼ର ନିଜ ନିଜର ନେଟ୍‌ୱର୍କ କ୍ଷମତା ବଢ଼ାଇବା ପାଇଁ ସକ୍ଷମ ହେବେ । ନୂତନ କମ୍ପାନିଗୁଡିକ ସେମାନଙ୍କ ସେବା ରମ୍ଭ କରିବା ପାଇଁ ସମର୍ଥ ହେବେ ବୋଲି ପ୍ରସାଦ କହିଛନ୍ତି । ତେବେ ନିର୍ଦ୍ଧାରିତ ମାପଦଣ୍ଡକୁ ପାଳନ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି ।

ସୂତ୍ରରୁ ଜଣାଯାଇଛି ଯେ, ସଫଳ ବିଡ଼ର ଗୋଟିଏ ଥରରେ ସମସ୍ତ ବିଡ୍‌ ମୂଲ୍ୟ ପୈଠ କରିପାରିବେ କିମ୍ବା କିସ୍ତିରେ ଦେବା ପାଇଁ ବିକଳ୍ପ ପାଇପାରନ୍ତି । ପ୍ରଥମେ ନିର୍ଦ୍ଧିଷ୍ଟ ଭାଗ ଯେପରି ୨୫% ଦେବେ ଏବଂ ଅବଶିଷ୍ଟକୁ ୨ ବର୍ଷର ମୋରାଟୋରିୟମ୍‌ ପରେ ସର୍ବାଧିକ ୧୬ଟି ବାର୍ଷିକ କିସ୍ତିରେ ଦେଇପାରନ୍ତି । ଟ୍ରାଇ ୩,୩୦୦ରୁ ୩,୬୦୦ ମେଗାହର୍ଜ ବ୍ୟାଣ୍ଡରେ ପ୍ରସ୍ତାବିତ ୫ଜି ସ୍ପେକ୍ଟ୍ରମ୍‌ ପାଇଁ ମେଗାହର୍ଜ ପିଛା ମୂଳ ଦର ୪୯୨ କୋଟି ଟଙ୍କା ରଖିବା ପାଇଁ ପ୍ରସ୍ତାବ ଦେଇଛି । ଏଭଳି କ୍ଷେତ୍ରରେ ୫ଜି ସେବା ପ୍ରଦାନ ଲାଗି ଆବଶ୍ୟକ ୧୦୦ ମେଗାହର୍ଜ ୫ଜି ସ୍ପେକ୍ଟ୍ରମ୍‌ ନିମନ୍ତେ ୫୦,୦୦୦ କୋଟି ଟଙ୍କା ପଡ଼ିବ । ସୂଚନାଯୋଗ୍ୟ, ୨୦୨୦-୨୧ ବଜେଟ୍‌ରେ ସରକାର ଟେଲିକମ୍‌ ସେବାରୁ ୧.୩୩ ଲକ୍ଷ କୋଟିର ରାଜସ୍ୱ ହାସଲ ଲକ୍ଷ୍ୟ ରଖିଛନ୍ତି । ଏଥିରେ ସ୍ପେକ୍ଟ୍ରମ୍‌ ସହ ଲାଇସେନ୍ସ ଫି’ ଏବଂ ଅନ୍ୟ ସବୁ ସାମିଲ ଅଛି । ୨୦୧୯-୨୦ରେ କେନ୍ଦ୍ର
ସରକାର ଟେଲି ଯୋଗାଯୋଗ କ୍ଷେତ୍ରରୁ ୫୮,୯୦୦ କୋଟି ଟଙ୍କାର ରାଜସ୍ୱ ପାଇଥିଲେ । ଆସନ୍ତା ପର୍ଯ୍ୟାୟ ସ୍ପେକ୍ଟ୍ରମ୍‌ ନିଲାମ ଉପରେ ଅନେକ କିଛି ନିର୍ଭର କରେ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଅଧ୍ୟକ୍ଷ ମୁକେଶ ଅମ୍ବାନି ଇତି ମଧ୍ୟରେ କହିଛନ୍ତି ଯେ, ଆସନ୍ତା ବର୍ଷ ଜୁଲାଇ-ଅଗଷ୍ଟରେ ଜିଓ ୫ଜି ସେବା ପ୍ରଚଳନ କରିବ । ଏଥିପାଇଁ କମ୍ପାନି ଜୋରଦାର ପ୍ରସ୍ତୁତି କରୁଛି । ସେପ୍ଟେମ୍ବରରେ ଟେଲିକମ୍‌ ବିଭାଗ(ଡଟ୍‌) କୁ ଦେଇଥିବା ପତ୍ରରେ ଜିଓ ଆବେଦନ କରିଥିଲାଯେ, ସ୍ପେକ୍ଟ୍ରମ୍‌ ନିଲାମ ଶୀଘ୍ର କରାଯାଉ ।