୪ ହାଇପର୍ଫମାନ୍ସ ସେଣ୍ଟର, ସ୍ପୋର୍ଟ୍ସ କ୍ଲାଇମ୍ବିଂ ୱାଲ୍ ଉଦ୍ଘାଟିତ; ଓଡ଼ିଶା କ୍ରୀଡ଼ା ପାଇଁ ଐତିହାସିକ ଦିବସ: ନବୀନ

ଭୁବନେଶ୍ୱର, ୨୫ ।୨ (ବ୍ୟୁରୋ): କଳିଙ୍ଗ ଷ୍ଟାଡିୟମରେ ଆଜି ୪ଟି ହାଇପର୍ଫମାନ୍ସ ସେଣ୍ଟର ଓ ସ୍ପୋର୍ଟ୍ସ କ୍ଲାଇମ୍ବିଂ ୱାଲ୍କୁ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ କ୍ରୀଡ଼ାରେ ସଫଳତା ହାସଲ କରିଥିବା ୧୩୩ ଜଣ କ୍ରୀଡ଼ାବିତଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିବା ସହ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶା କ୍ରୀଡ଼ା ପାଇଁ ଆଜି ଐତିହାସିକ ଦିବସ । ୪ଟି ହାଇପର୍ଫମାନ୍ସ ସେଣ୍ଟର ଉଦ୍ଘାଟିତ ହେଲା । ଏହା କେବଳ ଆମ ରାଜ୍ୟ ନୁହଁ ସାରା ଦେଶ ପାଇଁ ଉପାଦେୟ ହେବ । ହାଇପର୍ଫମାନ୍ସ ସେଣ୍ଟରକୁ ରାଜ୍ୟବାସୀଙ୍କ ପାଇଁ ସମର୍ପିତ କରି ମୁଁ ବହୁତ ଖୁସି ଅନୁଭବ କରୁଛି ।’
ବ୍ୟାଡମିଣ୍ଟନ, ଭାରୋତ୍ତୋଳନ, ଫୁଟବଲ୍ ଓ ସ୍ପୋର୍ଟ୍ସ ମ୍ୟାନେଜମେଣ୍ଟ ଏଭଳି ୪ଟି ହାଇପର୍ଫମାନ୍ସ ସେଣ୍ଟରର ଶୁଭାରମ୍ଭ ହୋଇଛି । ଏହି ଅବସରରେ କିମ୍ବଦନ୍ତୀ ସ୍ପିନର ଅନୀଲ କୁମ୍ବଲେ ଓ କୋଚ୍ ପି.ଗୋପୀଚାନ୍ଦ ଉପସ୍ଥିତ ରହିଥିଲେ । ପୂର୍ବରୁ ଗତ ବର୍ଷ ରାଜ୍ୟ ସରକାର ବିଭିନ୍ନ ଘରୋଇ ସଂସ୍ଥାଙ୍କ ସହ କଳିଙ୍ଗ ଷ୍ଟାଡିୟମରେ ବିଭିନ୍ନ କ୍ରୀଡ଼ାରେ ହାଇପର୍ଫମାନ୍ସ ସେଣ୍ଟର ପ୍ରତିଷ୍ଠା ପାଇଁ ୧୦ଟି ବୁଝାମଣା ପତ୍ର ସ୍ୱାକ୍ଷର କରିଥିଲେ । ଗତ ୧୮ ତାରିଖରେ ଅଭିନବ ବିନ୍ଦ୍ରା ଟାର୍ଗେଟ୍ ପର୍ଫମାନ୍ସ (ଏବିଟିପି) ସେଣ୍ଟରକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିଲେ । ଯାହା ଓଡ଼ିଶା କ୍ରୀଡ଼ାରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଥିଲା ।
ଫୁଟବଲ୍: ରାଜ୍ୟ ଫୁଟବଲରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ନେଇ ସର୍ବଭାରତୀୟ ଫୁଟବଲ ସଂଘ (ଏଆଇଏଫ୍ଏଫ୍) ଏବଂ ଓଏସ୍ଡିପିସିର ସହଭାଗିତାରେ ଏକ ହାଇ ପର୍ଫମାନ୍ସ ସେଣ୍ଟର ଖୋଲିବ । ଏନେଇ ରାଜ୍ୟ ସରକାରଙ୍କ ସହ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।

ସ୍ପୋର୍ଟ୍ସ ମ୍ୟାନେଜମେଣ୍ଟ: ରାଜ୍ୟରେ ଏକ ‘ସେଣ୍ଟର ଫର ଏକ୍ସସେଲେନ୍ସ ସ୍ପୋର୍ଟ୍ସ ମ୍ୟାନେଜମେଣ୍ଟ’ ପ୍ରତିଷ୍ଠା ପାଇଁ ଜାଭିୟର ଇମଲୟନ ବିଜିନେସ୍ ସ୍କୁଲ ସହ ରାଜ୍ୟ ସରକାରଙ୍କ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଥିଲା ।
ଭାରୋତ୍ତୋଳନ: ଭାରୋତ୍ତୋଳନର ଉଭୟ ପୁରୁଷ ଓ ମହିଳା ବର୍ଗରେ ଓଡ଼ିଶା ପ୍ରତିଯୋଗୀ ଅନ୍ତର୍ଜାତୀୟ ସ୍ତରରେ ବେଶ ଭଲ ପ୍ରଦର୍ଶନ କରି ଆସିଛନ୍ତି । କେ.ରବି କୁମାର ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ଜିତିଥିଲେ । ମହିଳା ବର୍ଗରେ ମଧ୍ୟ ବହୁ ସଫଳତା ମିଳିଛି । କିନ୍ତୁ ରାଜ୍ୟରେ ଏକ ହାଇ ପର୍ଫମାନ୍ସ ସେଣ୍ଟର ପ୍ରତିଷ୍ଠାର ଆବଶ୍ୟକତା ରହିଛି । ଏହା ଦ୍ୱାରା ଭାରୋତ୍ତୋଳକଙ୍କୁ ଅତ୍ୟାଧୁନିକ ସୁବିଧା ସୁଯୋଗ ସହ ନୂଆ ଟେକ୍ନିକ ମଧ୍ୟ ଶିଖିବାକୁ ମିଳିବ । ରାଜ୍ୟରେ ହାଇ ପର୍ଫମାନ୍ସ ସେଣ୍ଟର ପ୍ରତିଷ୍ଠା ପାଇଁ ଅନୀଲ କୁମ୍ବଲେଙ୍କ ଟେନଭିକ୍ ସ୍ପୋର୍ଟ୍ସ ଓ କେଜେଏସ ଆଲୁୱାଲିୟା ଗ୍ରୁପ୍ ମିଳିତ ଭାବେ ରାଜ୍ୟ କ୍ରୀଡ଼ା ବିଭାଗ ସହ ଚୁକ୍ତି ସ୍ୱାକ୍ଷର କରିଥିଲେ ।
ଫୁଟବଲ୍ ଓ ସୁଇମିଂ: ଜେଏସ୍ଡବ୍ଲ୍ୟୁ ଗ୍ରୁପ୍ ଉଭୟ ଫୁଟବଲ୍ ଓ ସୁଇମିଂ ହାଇ ପର୍ଫମାନ୍ସ ସେଣ୍ଟର ପ୍ରତିଷ୍ଠା ପାଇଁ ସହଭାଗିତା ସାଜିବ । ତେଣୁ କ୍ରୀଡ଼ାବିଭାଗ ସହ ଗ୍ରୁପ୍ର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ଚୁକ୍ତି ସ୍ୱାକ୍ଷର କରିଥିଲେ ।

ଆଥଲେଟିକ୍ସ: ପୂର୍ବରୁ ଭୁବନେଶ୍ୱରରେ ଏକ ଆଥଲେଟିକ୍ସ ହାଇ ପର୍ଫମାନ୍ସ ସେଣ୍ଟର ଖୋଲାଯିବା ନେଇ ଯୋଜନା ହୋଇଥିଲା । ଗତବର୍ଷ ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନସିପ୍ ସମୟରେ ଅନ୍ତର୍ଜାତୀୟ ଆଥଲେଟିକ୍ ମହାସଂଘ, ଭାରତୀୟ ଆଥଲେଟିକ୍ ସଂଘ ଓ ରାଜ୍ୟ କ୍ରୀଡ଼ା ବିଭାଗ ମଧ୍ୟରେ ବୁଝାମଣା ହୋଇଥିଲା । ହକି ବିଶ୍ୱକପ ଶେଷ ହେବା ପରେ ସେଣ୍ଟରର କାର୍ଯ୍ୟ ଆରମ୍ଭ କରିବାର ଥିଲା । ଏହି ସେଣ୍ଟରକୁ ପ୍ରୋତ୍ସାହିତ କରିବା ପାଇଁ ଆଗେଇ ଆସିଛି ରିଲାଏନ୍ସ ଫାଉଣ୍ଡେସନ୍ । କିନ୍ତୁ ଏ ପର୍ଯ୍ୟନ୍ତ ସେଣ୍ଟର କାର୍ଯ୍ୟ ଆରମ୍ଭ କରି ନାହିଁ ।
ହକି: ଓଡ଼ିଶା ହକି ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ହକି ହାଇ ପର୍ଫମାନ୍ସ ସେଣ୍ଟର ପ୍ରତିଷ୍ଠା କରି ରାଜ୍ୟରୁ ଆହୁରି ଅଧିକରୁ ଅଧିକ ଅନ୍ତର୍ଜାତୀୟ ହକି ଖେଳାଳି ବାହାର କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ହକିକୁ ପ୍ରୋତ୍ସାହିତ କରିବା ପାଇଁ ଆଗେଇ ଆସିଛି ଟାଟା ଟ୍ରଷ୍ଟ୍ । ଟ୍ରଷ୍ଟର ସିଓଓ ହରିଶ କ୍ରିଷ୍ଣାସ୍ୱାମୀ ଉପସ୍ଥିତ ରହି କ୍ରୀଡ଼ା ବିଭାଗ ସହ ବୁଝାମଣା ପତ୍ର ସ୍ୱାକ୍ଷର କରିଥିଲେ ।
ସୁଟିଂ: କଳିଙ୍ଗ ଷ୍ଟାଡିୟମରେ ଏକ ଆଧୁନିକ ସୁଟିଂ ରେଞ୍ଚ ପୂର୍ବରୁ ପ୍ରତିଷ୍ଠା କରିଥିଲେ ରାଜ୍ୟ ସରକାର । ହାଇ ପର୍ଫମାନ୍ସ ସେଣ୍ଟର ପ୍ରତିଷ୍ଠା ଦ୍ୱାରା ରାଜ୍ୟରୁ ଦକ୍ଷତା ସମ୍ପନ୍ନ ସୁଟର ବାହାରି ପାରିବେ । ସେନେଇ ଗଗନ ନାରଙ୍ଗ ସ୍ପୋର୍ଟ୍ସ ପ୍ରମୋସନ ଫାଉଣ୍ଡେସନ୍ ଓ ଆଦିତ୍ୟ ବିର୍ଲା ଗ୍ରୁପ୍ ସହ ଚୁକ୍ତି ସ୍ୱାକ୍ଷର ହୋଇଛି ।