ସରିଲା ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତା; ଓଡ଼ିଆଣୀ ବେଶଭୂଷାରେ ଚମକାଇଲେ ମଞ୍ଚ

ଭୁବନେଶ୍ୱର, ୧୪ା୪(ବ୍ୟୁରୋ): ଓଡ଼ିଆଙ୍କ ନୂଆବର୍ଷରେ ବିଷୁବ ପଣାର ମହକ ମଧ୍ୟରେ ଓଡ଼ିଆଣୀମାନେ ପାରମ୍ପରିକ ବେଶ ପୋଷାକ ପରିଧାନ କରି ଜଣକ ପରେ ଜଣେ ମଞ୍ଚକୁ ଆସୁଥିଲେ । ମଞ୍ଚରେ ବିଚାରକମାନେ ପଚାରୁଥିବା ଓଡ଼ିଆ ପରମ୍ପରା ସମ୍ପର୍କୀତ ପ୍ରଶ୍ନର ଉତ୍ତର ଦେଉଥିଲେ ଓ ମଞ୍ଚରୁ ବିଦାୟ ନେଉଥିଲେ । ପରେ ପରେ ଓଡ଼ିଆଣୀଙ୍କ ହୁଳହୁଳିରେ ପ୍ରକମ୍ପିତ ହୋଇଥିଲା ମଞ୍ଚ । ଅବସର ଥିଲା ‘ସଂଭାବନା’ ପକ୍ଷରୁ ଆୟୋଜିତ ହୋଇଥିବା ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତାର ଉଦ୍ଯାପନୀ ଦିବସ ।
ଉଦ୍ଯାପନୀ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ଓଡ଼ିଆଣୀଙ୍କ ବେଶଭୂଷାର ଚମକ ଓ ହୁଳହୁଳିର ଧ୍ୱନି । ଓଡ଼ିଆଣୀମାନଙ୍କ ବେଶଭୂଷାର ଦକ୍ଷତାର ବିଚାର କରୁଥିଲେ ଚିତ୍ର ଶିଳ୍ପୀ ଗଜେନ୍ଦ୍ର ପାଢୀ, ଚିନ୍ତାମଣି ବିଶ୍ୱାଳ ଓ ଓଡ଼ିଆ ଭାଷା ସାହିତ୍ୟର ପ୍ରଫେସର ଡ.ସନ୍ତୋଷ ତ୍ରିପାଠୀ । ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତାର ଫଳାଫଳ ଘୋଷଣା ଓ ଶ୍ରେଷ୍ଠ ଓଡ଼ିଆଣୀ ସମ୍ବର୍ଦ୍ଧନା ଉତ୍ସବ ମଧୁ ଜୟନ୍ତୀର ପୂର୍ବ ସନ୍ଧ୍ୟା ଅପ୍ରେଲ ୨୭ରେ ଜୟଦେବ ଭବନ ପ୍ରେକ୍ଷାଳୟରେ ଅନୁଷ୍ଠିତ ହେବ । ଅନ୍ୟପକ୍ଷରେ ଇଣ୍ଟରନେଟରେ ଓଡ଼ିଆ ଭାଷାର ପ୍ରଚଳନ ଓ ଅନୁବାଦ ପାଇଁ ଉଦ୍ୟମରତ ପୁରୀର ଦେବାଶିଷ ପାତ୍ର, ପଶ୍ଚିମ ଓଡ଼ିଶାରେ ଓଡ଼ିଆ ଭାଷାର ସମୃଦ୍ଧି ପାଇଁ କାର୍ଯ୍ୟକରୁଥିବା ସମ୍ବଲପୁରର ଅବସରପ୍ରାପ୍ତ ପ୍ରଫେସର ଡ.ଦ୍ୱାରିକା ନାଥ ନାୟକ ଓ ନୃତ୍ୟ ଅନୁଷ୍ଠାନରେ ଓଡ଼ିଆ ଭାଷାର ବହୁଳ ବ୍ୟବହାର ପାଇଁ ଭୁବନେଶ୍ୱରର “ନୃତ୍ୟ ମନ୍ଦିର’ଙ୍କୁ ଓଡ଼ିଆ ମହୋତ୍ସବ ସମ୍ମାନ-୨୦୧୯ରେ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ ପ୍ରଖ୍ୟାତ ସାହିତ୍ୟିକ ଓ ବକ୍ତା ଦାଶ ବେନ୍ହୁର, ପ୍ରଖ୍ୟାତ ସଂଗୀତ ଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ, ଓଡିଶା ପ୍ରେସ୍ କ୍ଲବ ଓ ‘ଦିନଲିପି’ର ସମ୍ପାଦିକା ଅନ୍ନପୂର୍ଣ୍ଣା ଦାଶ ଏବଂ ୨୦୧୮ର ଶ୍ରେଷ୍ଠ ଓଡ଼ିଆଣୀ ଚନ୍ଦ୍ରପ୍ରଭା ଦାସ । ସଂଭାବନାର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ।