ଶ୍ରୀଲଙ୍କାରେ ବୁର୍ଖା ବ୍ୟାନ୍‌; ପୁଣି ଆତ୍ମଘାତୀ ଆକ୍ରମଣ କରିପାରନ୍ତି ଜିହାଦୀ

କଲମ୍ବୋ,୨୯ ।୪(ଏଜେନ୍ସି): ଗତ ୨୧ ତାରିଖ ଇଷ୍ଟର ସନ୍‌ଡେରେ ଘଟିଥିବା ଆତ୍ମଘାତୀ ଆକ୍ରମଣ ପରେ ଶ୍ରୀଲଙ୍କାରେ ଏବେ ବୁର୍ଖା ବ୍ୟାନ୍‌ କରାଯାଇଛି । ଏଥିସହିତ ମାସ୍କ ଏବଂ ମୁହଁ ଢ଼ାଙ୍କିବା ଭଳି ବ୍ୟବହାର କରାଯାଉଥିବା ସବୁ ସାମଗ୍ରୀକୁ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି । ପୁରୁଷ କିମ୍ବା ମହିଳା କେହି ହେଲେ ଏହାକୁ ବ୍ୟବହାର କରିପାରିବେ ନାହିଁ । ରାଷ୍ଟ୍ରପତି ମୈତ୍ରିପାଲା ସିରିସେନା ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଆଜିଠାରୁ ଏହା କାର୍ଯ୍ୟକାରୀ ହୋଇଛି । ରାଷ୍ଟ୍ରପତି ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି । କହିଛନ୍ତି ମୁହଁ ଢ଼ାଙ୍କିବା ଦ୍ୱାରା ଜଣେ ବ୍ୟକ୍ତିଙ୍କୁ ଚିହ୍ନିବା ସମ୍ଭବ ହୋଇନଥାଏ । ଫଳରେ ବ୍ୟକ୍ତି ଜଣକ ଦେଶ ଓ ଦେଶବାସୀଙ୍କ ପ୍ରତି ବିପଦର କାରଣ ହୋଇପାରନ୍ତି । ଆତଙ୍କୀମାନେ ଏହାର ଫାଇଦା ଉଠାଇ ଆକ୍ରମଣ କରିବା ଆଶଙ୍କା ରହିଛି । ତେଣୁ ସୁରକ୍ଷା ଦୃଷ୍ଟିରୁ ସେ ଏଭଳି ପଦକ୍ଷେପ ନେଇଛନ୍ତି । ପୂର୍ବରୁ ଚାଦ, କ୍ୟାମେରୁନ, ଗାବୋନ, ମୋରକୋ, ଅଷ୍ଟ୍ରିଆ, ବୁଲଗେରିଆ, ଡେନମାର୍କ, ଫ୍ରାନ୍ସ, ବେଲଜିୟମ ଓ ଚୀନ୍‌ର ଜିନଜିଆଙ୍ଗ ପ୍ରଦେଶରେ ବୁର୍ଖା କିମ୍ବା ମାସ୍କ ପିନ୍ଧିବା ନିଷିଦ୍ଧ କରାଯାଇଛି ।

ସେହିଭଳି ଦେଶରେ ଜିହାଦୀମାନେ ପୁଣି ଆତ୍ମଘାତୀ ଆକ୍ରମଣ ଘଟାଇବାର ଆଶଙ୍କା ରହିଛି ବୋଲି ଗୁଇନ୍ଦା ସୂଚନା ମିଳିଛି । ସେଥିରେ କୁହାଯାଇଛି କି ସେନା ୟୁନିଫର୍ମରେ ଜିହାଦୀମାନେ ଯେକୌଣସି ସ୍ଥାନରେ ପ୍ରବେଶ କରି ଆକ୍ରମଣ ଘଟାଇବାର ସମ୍ଭାବନା ରହିଛି । ଏପରିକି ସେମାନେ ବିସ୍ଫୋରକ ବୋଝେଇ ଗାଡିକୁ ମଧ୍ୟ ଆକ୍ରମଣରେ ବ୍ୟବହାର କରିପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି । ଏହି ସୂଚନା ମିଳିବା ପରେ ଆନ୍ତଃମନ୍ତ୍ରୀସ୍ତରୀୟ ସୁରକ୍ଷା କମିଟି ଓ ପୁଲିସ ମୁଖ୍ୟାଳୟ ପକ୍ଷରୁ ସବୁ ସୁରକ୍ଷା ସଂସ୍ଥା, ପୁଲିସ ୟୁନିଟ ଏବଂ ସାଂସଦଙ୍କୁ ସତର୍କ କରାଯାଇଛି । ସେଥିରେ କୁହାଯାଇଛି କି ଜିହାଦୀମାନେ ୫ଟି ସ୍ଥାନକୁ ଟାର୍ଗେଟ କରିପାରନ୍ତି । ସେଥିରେ ଦେଶର ପୂର୍ବ ଉପକୂଳ ସହର ବାଟିକାଲୁଆ ରହିଛି । ଇଷ୍ଟର ସନ୍‌ଡେରେ ଏଠାରେ ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ ଯୋଗୁ ୨୭ ଜଣଙ୍କର ମୃତ୍ୟୁ ଘଟିଥିଲା । ସେହିଦିନ ଦେଶର ଅନ୍ୟ କେତେକ ଚର୍ଚ୍ଚ ଓ ହୋଟେଲରେ ଆତ୍ମଘାତୀ ଆକ୍ରମଣ ଯୋଗୁ ୨୫୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ୪୫୦ରୁ ଅଧିକ ଲୋକ ଆହତ ହୋଇଥିଲେ । ମୃତକଙ୍କ ମଧ୍ୟରେ ଥିଲେ ୪୦ ବିଦେଶୀ ନାଗରିକ । ଆକ୍ରମଣ ପରେ ସମଗ୍ର ଦେଶରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦେଶବ୍ୟାପୀ ଜରୁରୀ ପରିସ୍ଥିତି ଜାରି ହୋଇଥିଲା ବେଳେ ଗତକାଲି ରାତିରୁ ତାକୁ ଉଠାଇ ଦିଆଯାଇଛି । ଇଷ୍ଟର ସନ୍‌ଡେ ଆକ୍ରମଣ ପାଇଁ ଆତଙ୍କୀ ସଙ୍ଗଠନ ଇସ୍‌ଲାମିକ ଷ୍ଟେଟ (ଆଇଏସ୍‌) ନିଜକୁ ଦାୟୀ କରିଥିଲେ ମଧ୍ୟ ଏହା ପଛରେ ଆତଙ୍କୀ ସଙ୍ଗଠନ ନ୍ୟାସନାଲ ତହିଦ ଜମାତ (ଏନ୍‌ଟିଜେ) ଓ ଜମିୟାତୁଲ-ମିଲାତୁ-ଇବ୍ରାହିମ (ଜେଏମ୍‌ଆଇ)ର ହାତ ଥିବା ଶ୍ରୀଲଙ୍କା ସରକାର ସନ୍ଦେହ କରୁଛନ୍ତି ।

ଅନ୍ୟ ଏକ ଘଟଣାରେ ଶ୍ରୀଲଙ୍କା ସରକାର ଆଜି ଦେଶର ପୁଲିସ ମୁଖ୍ୟ ପୁଜିତ ଜୟସୁନ୍ଦରଙ୍କୁ ସସ୍‌ପେଣ୍ଡ କରିବା ସହ ତାଙ୍କ ସ୍ଥାନରେ ନୂଆ ମୁଖ୍ୟ ନିଯୁକ୍ତ କରିଛନ୍ତି । ଇଷ୍ଟର ସନ୍‌ଡେ ବିସ୍ଫୋରଣ ଘଟଣାରେ ଗୁଇନ୍ଦା ବିଭାଗର ବିଫଳତା ପାଇଁ ପୁଜିତଙ୍କୁ ଦାୟୀ କରାଯିବା ସହ ତାଙ୍କୁ ତୁରନ୍ତ ଇସ୍ତଫା ଦେବାକୁ କୁହାଯାଇଥିଲା । ମାତ୍ର ସେ ଇସ୍ତଫା ଦେବାକୁ ମନା କରିଦେଇଥିଲେ । କହିଥିଲେ ସେ କିଛି ଭୁଲକରିନାହାନ୍ତି । ତେଣୁ ଇସ୍ତଫା ଦେବେ ନାହିଁ । ଫଳରେ ଆଜି ରାଷ୍ଟ୍ରପତି ସିରିସେନା ତାଙ୍କୁ ସସ୍‌ପେଣ୍ଡ କରିଛନ୍ତି । ତାଙ୍କ ସ୍ଥାନରେ ପୁଲିସ ଉପମୁଖ୍ୟ ସି.ଡି ବିକ୍ରମରତ୍ନେଙ୍କୁ କାର୍ଯ୍ୟକାରୀ ମୁଖ୍ୟ ଭାବେ ଅବସ୍ଥାପିତ କରାଯାଇଛି । ଶ୍ରୀଲଙ୍କାରେ ପ୍ରଚଳିତ ବିଧି ବ୍ୟବସ୍ଥା ଅନୁସାରେ କେବଳ ସଂସଦ ହିଁ ପୁଲିସ ମୁଖ୍ୟଙ୍କୁ ହଟାଇପାରିବ । ମାତ୍ର ରାଷ୍ଟ୍ରପତି ତାଙ୍କୁ ହଟାଇବା ପ୍ରଥମ ଘଟଣା । ତେବେ ପୁଲିସ ମୁଖ୍ୟଙ୍କୁ ହଟାଯିବା ପ୍ରସ୍ତାବ ସଂସଦରେ ଅଣାଯିବ ବୋଲି ଉପମନ୍ତ୍ରୀ ନଳିନୀ ବନ୍ଦାରା ପ୍ରକାଶ କରିଛନ୍ତି ।

   ସମ୍ବନ୍ଧିତ ଖବର


କାହାକୁ ନଜଣାଇ ଲୁଚିଛପି କିମ ଜୋଙ୍ଗ ଉନ ନିଜ ପରିବାର ସହ ନେଇଗଲେ କରୋନା ଟିକା, ଜାଣନ୍ତୁ କେଉଁଠୁ ପାଇଲେ ସେ ଟିକା ?

ଥରେ କି ଦୁଇଥର ନୁହେଁ ଏବେ ତୃତୀୟଥର ପାଇଁ କରୋନାକୁ ମାତ୍ ଦେଲେ ଏହି ମହିଳା, ବୟସ ଜାଣିଲେ ଆଶ୍ଚର୍ଯ୍ୟ ହେବେ…

୧୨୬ ବର୍ଷରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ହେବେ ବାଟାର ବସ୍

ଆତଙ୍କବାଦୀକୁ “ସୈନ୍ୟ ସମ୍ନାନ” ଭୂଷିତ କରୁଛି ପାକିସ୍ତାନ ? 26/11 ଆକ୍ରମଣରେ ନିଭାଇଥିଲା ବଡ ଭୁମିକା…

ତଦନ୍ତ ବେଳେ ଆଶ୍ଚର୍ଯ୍ୟ ହୋଇଗଲା ପୁଲିସ- ହତ୍ୟା ଅଭିଯୋଗ କରିଥିବା ବ୍ୟକ୍ତି ହଁ ହତ୍ୟାକାରୀ

ଏହି ରାଜନେତାଙ୍କୁ ହୃଦୟ ଦେଇବସିଛନ୍ତି ଦାଉଦର ଗର୍ଲଫ୍ରେଣ୍ଡ ହୟାତ୍