କରୋନା ଯୋଗୁଁ ୨୨ ଦିନ ବିଭ୍ରାଟ ହେବ ଶ୍ରୀଲିଙ୍ଗରାଜଙ୍କ ନୀତି ସମ୍ପାଦନ, ଚେତାବନୀ ଦେଲା ୩ ବରିଷ୍ଠ ସେବାୟତ ନିଯୋଗର

ଭୁବନେଶ୍ୱର,୨୪/୪: ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ପ୍ରାଥମିକ ପର୍ବ ବନ୍ଦ ହେଲେ ମନ୍ଦିରରେ ଠାକୁରଙ୍କ ନୀତି ସମ୍ପାଦନରେ ବ୍ୟାଘାତ ଘଟିବ । ଚନ୍ଦନ ଯାତ୍ରା ଅବସରରେ ୨୨ ଦିନ ଠାକୁରଙ୍କ ନୀତି ଯାତ୍ରା ପରମ୍ପରା ମୁତାବକ ସମ୍ପାଦିତ ହୁଏ । ତେଣୁ ପ୍ରଥମ ଦିନ ଯାତ୍ରା ପୂଜା ବନ୍ଦ ହେବା ଫଳରେ ୨୨ ଦିନ ଯାକ ଏଥିରେ ପ୍ରଭାବିତ ହେବ । ପ୍ରଶାସନ ଚନ୍ଦନ ଯାତ୍ରା ବନ୍ଦ ହେବା ସତ୍ତେ୍ୱ ମନ୍ଦିରରେ ଶ୍ରୀଜିଉଙ୍କ ନୀତି ଯଥାରୀତି ସମ୍ପନ୍ନ କରିବାକୁ ପ୍ରଶାସନ ସମସ୍ତ ପ୍ରମୁଖ ନିଯୋଗକୁ ଚିଠି ଦେଇଛି । ଉକ୍ତ ଚିଠିକୁ ଆଧାର କରି ଆଜି ୩ ବରିଷ୍ଠ ସେବାୟତ ନିଯୋଗର ମୁରବି ଏକ ବୈଠକରେ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରିଥିବା ଜଣାପଡ଼ିଛି ।

ଆସନ୍ତା ଏପ୍ରିଲ ୨୬ ତାରିଖ ଅକ୍ଷୟ ତୃତୀୟା ତିଥି ଠାରୁ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ଆରମ୍ଭ ହୋଇଥାନ୍ତା । ଅକ୍ଷୟ ତୃତୀୟା ଠାରୁ ୨୨ ଦିନ ପର୍ଯ୍ୟନ୍ତ ଶ୍ରୀଜିଉ ବିନ୍ଦୁସାଗରରେ ଚାପ ବିହାର କରିଥାନ୍ତେ । ତେବେ କୋଭିଡ୍‌-୧୯ ସଂକ୍ରମଣର ସଂଖ୍ୟା ମୁତାବକ ଖୋର୍ଦ୍ଧା ଜିଲ୍ଲାକୁ ହଟ୍‌ ସ୍ପଟ୍‌ ଜିଲ୍ଲା ଭାବେ ସରକାର ଘୋଷଣା କରିଥିବାରୁ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନଯାତ୍ରା ପ୍ରଭାବିତ ହୋଇଛି । ଟ୍ରଷ୍ଟ ବୋର୍ଡର ନିଷ୍ପତ୍ତି ମୁତାବକ ଚନ୍ଦନ ଯାତ୍ରା ବନ୍ଦ କରାଗଲା ବୋଲି ନିର୍ବାହୀ ଅଧିକାରୀ ଶ୍ରୀଜିଉଙ୍କ ପ୍ରମୁଖ ସେବାୟତ ନିଯୋଗ ପ୍ରତିନିଧିଙ୍କୁ ଚିଠି ଲେଖି ଜଣାଇଛନ୍ତି ।

ସେଥିରେ ଉଲ୍ଲେଖ କରିଛନ୍ତି ଯେ, ଯାତ୍ରା ବନ୍ଦ ହେଲେ ମଧ୍ୟ ମନ୍ଦିରରେ ଠାକୁରଙ୍କ ନୀତି ସ୍ୱାଭାବିକ ଚାଲିବ । କେବଳ ଚିଠି ଲେଖି ପ୍ରଶାସନ ବସି ପଡ଼ିଛି । ଏହା ପରେ ସେବାୟତଙ୍କ ସହିତ ନୀତି ସଞ୍ଚାଳନ କିପରି ହେବ ତାହା ଉପରେ କୌଣସି ଆଲୋଚନା କରିନାହିଁ । ପ୍ରଶାସନର ଏଭଳି ଅସହଯୋଗ ମନୋଭାବକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସେମାୟତ ମଣ୍ଡଳୀ । ଏହି ପ୍ରସଙ୍ଗ ଆଧାରରେ ଆଜି ଶ୍ରୀଜିଉଙ୍କ ପ୍ରମୁଖ ସେବାୟତ ନିଯୋଗର ମୁରବି ଯଥାକ୍ରମେ ବ୍ରାହ୍ମଣ ନିଯୋଗର ସମ୍ପାଦକ ବିରଞ୍ଚି ନାରାୟଣ ପତି, ବଡ଼ୁ ନିଯୋଗର ସମ୍ପାଦକ କମଳାକାନ୍ତ ବଡ଼ୁ ଓ ପୂଜାପଣ୍ଡା ନିଯୋଗର ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା ଏକ ବୈଠକରେ ଉପନୀତ ହୋଇ ଆଲୋଚନା କରିଥିଲେ ।

ସେଥିରେ ନିଷ୍ପତ୍ତି ହୋଇଥିଲା ଯେ ପ୍ରଥମ ଦିନରୁ ଠାକୁରଙ୍କ ଯାତ୍ରା ନୀତି ବନ୍ଦ ହେଲେ ଏହା ୨୨ ଦିନ ଧରି ବଳବତ୍ତର ରହିବ । ଠାକୁରଙ୍କ ବଲ୍ଲଭ ନୀତି ପରେ ଯାତ୍ରା ନୀତି ଆରମ୍ଭ ହେବା ବିଧି ରହିଛି। କିନ୍ତୁ ଯାତ୍ରା ନୀତି ବନ୍ଦ କରାଗଲେ ଏହା ପରେ ଥିବା ଅନ୍ୟାନ୍ୟ ନୀତି ଆଗକୁ ବଢ଼ି ପାରିବ ନାହିଁ । ସେହିଠାରେ ଅଟକି ରହିବ । ଏଭଳି ପରିସ୍ଥିତିରେ ପ୍ରତ୍ୟୁଷରେ ଠାକୁରଙ୍କ ଆଳତୀ, ଅବକାଶ ଓ ବେଶ ନୀତି ପରେ ଆଗକୁ କ’ଣ ନୀତି ହେବ ସେଥିରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେଣୁ ବିଧି ଅନୁଯାୟୀ ସେହିଠାରୁ ନୀତି ଆଗକୁ ବଢ଼ି ପାରିବ ନାହିଁ ବୋଲି ସେବାୟତମାନେ ସର୍ବ ସମ୍ମତ୍ତିକ୍ରମେ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ସମ୍ପର୍କରେ ମନ୍ଦିର ପ୍ରଶାସନକୁ ଜଣାଇ ଦିଆଯିବ ବୋଲି ସେମାନେ କହିଛନ୍ତି ।

   ସମ୍ବନ୍ଧିତ ଖବର


ଆର୍ମି ଡେଣ୍ଟାଲ ସର୍ଭିସ୍‌ ଡିଜି ପଦରେ ପ୍ରଥମ ଓଡ଼ିଆ: ଲ୍ୟୁଟିନେଣ୍ଟ ଜେନେରାଲ ନନ୍ଦ କିଶୋର ସାହୁଙ୍କ ମିଳିଲା ନିଯୁକ୍ତି

ଏଥର ଦଶହରାରେ ଶୁଖିଲା ରହିବ ପାଗ: ୨୯ କିମ୍ବା ୩୦ରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା

ବେଣୁଙ୍କ ବିଧାନସଭା ସ୍ୱପ୍ନ ସାକାର ପାଇଁ ରିକ୍ସାରେ ପ୍ରଚାର କଲେ ରାଣୀ ପଣ୍ଡା

ଜୟପୁର ପୋଲିସ୍‌କୁ ବଡ଼ ସଫଳତା: ଗଞ୍ଜେଇ ରାକେଟର କଲା ପର୍ଦ୍ଦାଫାସ, ୫ ଗିରଫ

ମାନବିକତାର ପରିଚୟ ଦେଲେ କୈଳାଶ, ଏଟିଏମରେ ଛାଡ଼ି ଯାଇଥିବା ଟଙ୍କାକୁ ଆତ୍ମସାତ୍‌ ନକରି ସୋସିଆଲ ମିଡିଆରେ ଜଣାଇଲେ

ନିଖୋଜ ହୋଇଯାଇଛି ବହୁ ଚର୍ଚ୍ଚିତ ନାବାଳିକା ଗଣ ଦୁଷ୍କର୍ମ ସହ ବେଆଇନ ଗର୍ଭପାତ କରାଯାଇଥିବା ପୀଡିତା