ଶ୍ରୀମନ୍ଦିର ଚୌହଦି କହିବ ଜଗନ୍ନାଥ ଗାଥା, ଝଟକିବ ଓଡ଼ିଆ ଐତିହ୍ୟ ଓ ସଂସ୍କୃତି

ଭୁବନେଶ୍ୱର ୨୨/୯: କାଞ୍ଚି ଅଭିଯାନରେ ମାଣିକପାଟଣାର ଗଉଡ଼ୁଣୀକୁ ମୁଦି ଦେଇ ଦହି ଖାଇବା ପ୍ରସଙ୍ଗ ହେଉ କି ଦାସିଆ ବାଉରି ଅବା ଭକ୍ତ ସାଲବେଗର କାହାଣୀ, ସବୁ କଥା ବଖାଣିବ ଶ୍ରୀମନ୍ଦିର ଚୌହଦି । ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ଚୌହଦିରୁ ଜାଣିପାରିବେ ଜଗନ୍ନାଥ ସଂସ୍କୃତିର ଇତିହାସ । ଶ୍ରୀମନ୍ଦିର ଚୌହଦି କହିବ ଜଗନ୍ନାଥଙ୍କ ଗାଥା । ଶିଳ୍ପୀର ପଥର ନିହାଣ ବିଶ୍ୱବାସୀଙ୍କୁ କହିବ ଜଗନ୍ନାଥ ସଂସ୍କୃତିର କାହାଣୀ । ଶ୍ରୀମନ୍ଦିର ଚୌହଦିର ପ୍ରତିଟି କାରୁକାର୍ଯ୍ୟରେ ଝଲସିବ ଓଡ଼ିଆ ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ଛାପ । ଜଗନ୍ନାଥଙ୍କ ଲୀଳା, ଭକ୍ତ-ଭଗବାନ ସମ୍ପର୍କ, ପୁରାଣ ଓ କିମ୍ବଦନ୍ତୀ କାହାଣୀର ଚିତ୍ର ଟାଣିବ ସାରା ବିଶ୍ୱର ନଜର । ଜଗନ୍ନାଥ ସଂସ୍କୃତିକୁ ଆହୁରି ବ୍ୟାପକ କରିବା ପାଇଁ ରାଜ୍ୟ ସରକାର ଏମିତି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ।

ପୁରୀକୁ ଐତିହ୍ୟ ସହର ଭାବେ ଗଢ଼ି ତୋଳିବା ପାଇଁ ସରକାର ଭଣ୍ଡାର ଖୋଲି ଦେଇଛନ୍ତି । ପୁରୀ ପାଇଁ ମେଗା ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥିରୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଶ୍ରୀସେତୁ, ଜଗନ୍ନାଥ ବଲ୍ଲଭ ଶ୍ରଦ୍ଧାଳୁ କେନ୍ଦ୍ର, ବହୁତଳ ପାର୍କିଂ, ମ୍ୟୁନିସିପାଲିଟି ମାର୍କେଟର ନବୀକରଣ ପାଇଁ ରାଜ୍ୟ ସରକାର ଟେଣ୍ଡର ଆହ୍ୱାନ କରିଛନ୍ତି । ଏପଟେ ଶ୍ରୀମନ୍ଦିରକୁ ଅଧିକ ସୁରକ୍ଷିତ କରିବା ସହ ଏହାର ଚାରିପାଖର ସୌନ୍ଦର୍ଯ୍ୟକରଣ ପାଇଁ ବିସ୍ତୃତ ଯୋଜନା ହୋଇଛି ।

ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଚାରିପାଖରେ ମେଘନାଦ ପାଚେରିଠାରୁ ୭୫ ମିଟର ପର୍ଯ୍ୟନ୍ତ ଜାଗାକୁ ପ୍ରଥମେ ଅବରୋଧମୁକ୍ତ କରାଯିବ । ଏ ଅଭିଯାନ ଇତିମଧ୍ୟରେ ଆରମ୍ଭ ହୋଇସାରିଛି । ସରକାର ଯେଉଁଭଳି ଯୋଜନା କରିଛନ୍ତି, ଯଦି ତାହା ସାକାର ହୁଏ ବିଶ୍ୱ ଦରବାରରେ ଶ୍ରୀମନ୍ଦିର ଆହୁରି ଆକର୍ଷଣୀୟ ହୋଇ ଝଲସିବ । ପ୍ରାଥମିକ ଯୋଜନା ମୁତାବକ, ମେଘନାଦ ପାଚେରିରୁ ୭୫ ମିଟର ପର୍ଯ୍ୟନ୍ତ ଜମି ଦଖଲକୁ ଆସିବା ପରେ ନୂଆ ରୂପ ପାଇବ ଶ୍ରୀମନ୍ଦିର ଚୌହଦୀ । ପୂର୍ବ ପାଶ୍ୱର୍ (ସିଂହଦ୍ୱାର ପାଶ୍ୱର୍) ବାଦ୍‌ ଦେଇ ବାକି ତିନି ପାଶ୍ୱର୍ରେ ଏମିତି ସୌନ୍ଦର୍ଯ୍ୟକରଣ କରାଯିବ, ଦେଖିଲେ ଆତ୍ମସନ୍ତୋଷଭରା ନିଆରା ଅନୁଭୂତି ମିଳିବ । ୭୫ ମିଟର ମଧ୍ୟରୁ ମେଘନାଦ ପାଚେରିରୁ ୬୦ ମିଟର ପର୍ଯ୍ୟନ୍ତ ନିର୍ମାଣ ହେବ ପରିକ୍ରମା । ଗାଡ଼ିମୋଟର ଚଳାଚଳ ପାଇଁ ୧୫ ମିଟର ରାସ୍ତା ଛଡ଼ାଯିବ ।

ଶ୍ରୀମନ୍ଦିର ଚୌହଦି ବୁଲିବା ପାଇଁ ରହିବ ୬୦ ମିଟରର ପରିକ୍ରମା । ଏଥିରୁ ୨୪ ମିଟରର ଚଲା ପଥ ନିର୍ମାଣ ହେବ । ଭକ୍ତମାନେ ଏହି ରାସ୍ତା ଦେଇ ଶ୍ରୀମନ୍ଦିରର ମେଘନାଦ ପାଚେରି କଡ଼େ କଡ଼େ ବୁଲିବେ । ଶ୍ରଦ୍ଧାଳୁଙ୍କ ଆକର୍ଷିତ କରିବା ପାଇଁ ସେଠି ପଥରର କାରୁକାର୍ଯ୍ୟ, ମୂର୍ତ୍ତି ନିର୍ମାଣ କରାଯିବ । ପଥର ମୂର୍ତ୍ତି ଓଡ଼ିଶାର ଐତିହ୍ୟ ଓ ଜଗନ୍ନାଥ ସଂସ୍କୃତିର ବାର୍ତ୍ତାବହ ହେବ । ଆମ ପଟ୍ଟଚିତ୍ରର ନିଦର୍ଶନ ରହିବ ପରିକ୍ରମାରେ । ବିଶ୍ୱପ୍ରସିଦ୍ଧ ଓଡ଼ିଶୀ ନୃତ୍ୟର ଝଲକ ଦେଖିବାକୁ ମିଳିବ କାରୁକାର୍ଯ୍ୟରେ । ସବୁଜିମା ବି ରହିବ । ବହୁସଂଖ୍ୟାରେ ଗଛ ଲାଗିବ । ପରିବେଶକୁ ସୌନ୍ଦର୍ଯ୍ୟମୟ କରିବା ପାଇଁ ଘାସ ଗାଲିଚା ଓ ଫାଉଣ୍ଟେନ ରହିବ । ଜଗନ୍ନାଥଙ୍କ ସେବା ଓ ପୂଜାରେ ଲାଗୁଥିବା ଫୁଲ ଏବଂ ଔଷଧୀୟ ଉଦ୍ୟାନ ମଧ୍ୟ ରହିବ । ତୁଳସୀ ବଚିଚା ପାଇଁ ମଧ୍ୟ ପ୍ରକଳ୍ପରେ ସ୍ଥାନ ରଖାଯାଇଛି । ବୟସ୍କ, ମହିଳା, ଶିଶୁ ଆଦି ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ପରିକ୍ରମାରେ କିଛି ସମୟ ବିଶ୍ରାମ ଲାଗି ବସିବାର ବ୍ୟବସ୍ଥା ରଖାଯିବ । ଗଛ ଛାଇ ତଳେ ବସିବା ପାଇଁ ବ୍ୟବସ୍ଥା ରହିବ । ଭକ୍ତମାନେ ଯେତେ ସମୟ ଚାହିଁବେ ଚୌହଦିରେ ବସି ରହି ଜଗନ୍ନାଥ ମହିମାରେ ତଲୀନ ହେବେ । ଭଜନ କୀର୍ତ୍ତନ କରିିବେ । ଭକ୍ତି-ଶ୍ରଦ୍ଧାର ଅପୂର୍ବ ସମନ୍ୱୟର ସମାହାର ଦେଖିବେ ଶ୍ରଦ୍ଧାଳୁ ।

କେବଳ ଦିନବେଳା ନୁହେଁ, ରାତିରେ ମଧ୍ୟ ଶ୍ରୀମନ୍ଦିର ପରିକ୍ରମା କରିପାରିବେ ଶ୍ରଦ୍ଧାଳୁ । ସେଥିପାଇଁ ଅର୍ନାମେଣ୍ଟାଲ ଷ୍ଟ୍ରିଟ୍‌ ଲାଇଟ୍‌ ଲାଗିବ । ଅଗଣିତ ଭକ୍ତଙ୍କ ପାଦ ଧୁଆ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ । ସବୁଠୁ ବଡ଼ କଥା ହେଲା, ଶ୍ରୀମନ୍ଦିର ଭିତରକୁ ବିଦେଶୀ ପର୍ଯ୍ୟଟକଙ୍କ ପ୍ରବେଶ ନିଷେଧ ଥିବାବେଳେ ଏହି ବ୍ୟବସ୍ଥା ଦ୍ୱାରା ମନ୍ଦିର ଚାରିପାଖେ ପରିକ୍ରମା କରିପାରିବେ । ଏହାଦ୍ୱାରା ଶ୍ରୀମନ୍ଦିର ଓ ଜଗନ୍ନାଥ ସଂସ୍କୃତି ବାବଦରେ ସାରା ବିଶ୍ୱ ଆହୁରି ଅଧିକ ଜାଣିପାରିବ । ଏପରିକି ଭକ୍ତମାନଙ୍କୁ ଶ୍ରୀମନ୍ଦିର ଓ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ବୁଝାଇବା ପାଇଁ ପରିକ୍ରମାରେ ସ୍ୱତନ୍ତ୍ର ଗାଇଡ୍‌ ରଖିବା ପ୍ରସ୍ତାବ ଉପରେ ବିଚାର ବିମର୍ଷ କରାଯାଉଛି । ପରିକ୍ରମାର ୬୦ ମିଟର ଏକ କରିଡର ଭଳି ରହିବ । ଏହା ଭିତରକୁ ପ୍ରବେଶ କରିବାବେଳେ କଡ଼ା ଯାଞ୍ଚ୍‌ କରାଯିବ । ଭିତରେ ମଧ୍ୟ ସୁରକ୍ଷା କର୍ମୀ ନିୟୋଜିତ ରହିବେ । ଏଭଳି କିଛି ପ୍ରସ୍ତାବ ଉପରେ ତର୍ଜମା ଚାଲିଛି । ଏଯାଏ ଏହା ଚୂଡ଼ାନ୍ତ ରୂପ ନେଇନି ।

ମିଳିଥିବା ସୂଚନା ମୁତାବକ, ଏହି ପ୍ରସ୍ତାବକୁ ବାସ୍ତବ ରୂପ ଦେବା ପାଇଁ ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ସମ୍ପନ୍ନ ଥିବା ଆର୍କିଟେକ ସଂସ୍ଥାକୁ ନିୟୋଜିତ କରାଯିବ । ପ୍ରଥମେ ଏଥିପାଇଁ ଆରଏଫପି ଆହ୍ୱାନ କରାଯିବ । କିଛି ବଛା ବଛା ସଂସ୍ଥାଙ୍କଠାରୁ ଡିଜାଇନ୍‌ ଆହ୍ୱାନ କରାଯିବ । ଯେଉଁ ସଂସ୍ଥାର ପ୍ରସ୍ତାବ ଓ ଯୋଜନା ପସନ୍ଦ ହେବ, ସେଇ ଶୈଳୀରେ ଶ୍ରୀମନ୍ଦିର ଚୌହଦୀକୁ ନୂଆ ରୂପ ଦିଆଯିବ । ଶ୍ରୀମନ୍ଦିର ଚୌହଦିରୁ ୭୫ ମିଟର ଜାଗା ଖାଲି ହେବା ପରେ ଏହି ପରିବର୍ତ୍ତନ କରାଯିବ । ଆସନ୍ତା ୩ ବର୍ଷ ମଧ୍ୟରେ ନୂଆ ରୂପରେ ଭକ୍ତମାନଙ୍କୁ ଆକର୍ଷିତ କରିବ ଶ୍ରୀକ୍ଷେତ୍ର ।

   ସମ୍ବନ୍ଧିତ ଖବର


ସୁନା କି ଚାନ୍ଦି ନୁହେଁ, ଏଥର ସିଲଭର୍‌ ସିଟିରେ ଝଲସିବ ଜରି ମେଢ଼: ଅଳଙ୍କାର ଓ ଜରି ମେଢ଼ କାରିଗରଙ୍କର ବଢିଛି ଚାହିଦା

ଶ୍ରୀଜିଉଙ୍କ ପାଇଁ ନୂଆ ଅଳଙ୍କାର : ମୁମ୍ବାଇର ଜଣେ ଭକ୍ତ ଦେବେ ୫ କିଲୋ ସୁନା, ଡିଜାଇନ୍ ପ୍ରସ୍ତୁତ

ଆତଙ୍କବାଦୀ ଲିଙ୍କ୍ ନୁହେଁ, ବନ୍ଧୁକ ଚାଲାଣ ଲିଙ୍କ୍‌ରେ ଉଠାଇଛି NIA : ପୋଲିସ କମିଶନର

ବିବାହକୁ ଅକ୍ଷୁଣ୍ଣ, ସ୍ଥାୟୀ କରିବାକୁ ବର୍ଷାଙ୍କ ପିଟିସନ୍‌; ଅନୁଭବଙ୍କୁ ପରିବାର ଅଦାଲତରୁ ନୋଟିସ୍‌

ଖଣ୍ଡଗିରିରୁ ଯୁବକଙ୍କୁ ଉଠାଇନେଲା NIA, ଅଜ୍ଞାତ ସ୍ଥାନରେ କରୁଛି ପଚରାଉଚରା

ବାଡିରୁ ଫୁଲ ତୋଳିଦେଲା ବୋଲି, ଦିବ୍ୟାଙ୍ଗ ନାବାଳିକାକୁ ନିସ୍ତୁକ ମାଡ ମାରିଲେ ପଡୋଶୀ…