ଶ୍ରୀବଳଦେବଜିଉଙ୍କ ବଡ଼ପଣ୍ଡାଙ୍କ ପରଲୋକ

କେନ୍ଦ୍ରାପଡ଼ା,୨୨/୧୧: କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜିଉଙ୍କ ବଡ଼ପଣ୍ଡା ତଥା କେନ୍ଦ୍ରାପଡ଼ା ପୌରପାଳିକାର ପୂର୍ବତନ କାଉନ୍‌ସିଲର, ନରହରି ପତ୍ରୀ(ନଙ୍ଗୁଳି ନନା)ଙ୍କର ୬୮ ବର୍ଷ ବୟସରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟାରେ ତାଙ୍କ ଈଶ୍ୱରପୁରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ସେ କିଡ୍‌ନୀ ଜନିତ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ଥିଲେ । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ଧର୍ମପତ୍ନୀ, ସାନଭାଇ ନୃସିଂହ, ପୁତ୍ର ସ୍ୱାଧୀନ ଓ ସ୍ୱରାଜ, ପୁତ୍ରବଧୂ, ଭଣଜା ଅଶୋକଙ୍କ ସମେତ ପରିବାରର ଆତ୍ମୀୟ ସ୍ୱଜନମାନେ ଉପସ୍ଥିତ ଥିଲେ ।

ସେ ବାଲ୍ୟକାଳରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ଆଦର୍ଶରେ ଅନୁପ୍ରାଣିତ ହୋଇ ୧୯୭୫ରେ ଜରୁରିକାଳୀନ ପରିସ୍ଥିତିରେ ପ୍ରତିବାଦ କରି କଟକ କେନ୍ଦ୍ରୀୟ କାରାଗାରରେ ୬ ମାସ ଜେଲ୍‌ ଭୋଗିଥିଲେ। ସେହିପରି କେନ୍ଦ୍ରାପଡ଼ା ପୌରସଂସ୍ଥାର ୧୯୮୪ ମସିହାରେ ଭାରତୀୟ ଜନତା ଦଳର ପ୍ରଥମ କାଉନ୍‌ସିଲର୍‌ ଭାବେ ନିର୍ବାଚିତ ହୋଇ ଜନହିତକର କାର୍ଯ୍ୟ କରି ଲୋକପ୍ରିୟ ହୋଇପାରିଥିଲେ।

ସେହିପରି ଆର୍‌ଏସ୍‍ଏସ୍‍, ବିଶ୍ୱ ହିନ୍ଦୁ ପରିଷଦ, ସରସ୍ୱତୀ ଶିଶୁ ମନ୍ଦିର ପରିଚାଳନା ସମିତିର ସଭାପତି ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହି ନିଜର ସାଂଗଠନିକ ଦକ୍ଷତା ପ୍ରଦର୍ଶନ କରି ସଂଘ ପରିବାରର ମାର୍ଗଦର୍ଶକ ହୋଇପାରିଥିଲେ। ତାଙ୍କ ବିୟୋଗ ଖବର ପାଇ ବିଜେପିର ବରିଷ୍ଠ ନେତା ବୈଦ୍ୟନାଥ ଚାଟାର୍ଜୀ, ଭୁବନ ମୋହନ ଜେନା, ବିଜେପି ଜିଲ୍ଲା ସଭାପତି କିଶୋର ପଣ୍ଡା, ସୁନାକର ବେହେରା, ଜିଲ୍ଲା ସଂଘ ଚାଳକ ନିହାର ରଞ୍ଜନ ପଣ୍ଡା, ଶ୍ରୀବଳଦେବଜିଉ ଟ୍ରଷ୍ଟବୋର୍ଡର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ, ଆଇନଜୀବୀ ଦେବଦାସ ମହାନ୍ତି, ସଚିଦାନନ୍ଦ ବେହେରାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ତାଙ୍କ ପାର୍ଥିତ୍ୱ ଶରୀରର ଶେଷଦର୍ଶନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ବଡ଼ମଙ୍ଗଳାସ୍ଥିତ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ଜ୍ୟେଷ୍ଠପୁତ୍ର ସ୍ୱାଧୀନ ମୁଖାଗ୍ନି ଦେଇଥିଲେ ।

   ସମ୍ବନ୍ଧିତ ଖବର


୧୦ ଦିନ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ, ଆରମ୍ଭ ହେବ କୁମ୍ଭୀର ଗଣନା

ନାଗାର୍ଜୁନ ବେଶ ଓଲାଗି ପରେ ଭକ୍ତଙ୍କୁ ମିଳିବ ଅବଢ଼ା: ୧୫ ହଜାର ଭକ୍ତଙ୍କ ପାଇଁ ଅବଢ଼ା ସେବା

ଆଗାମୀ ଦିନରେ ପିଲାଙ୍କ ସିଲାବସ୍‌ରେ ସାମିଲ ହେବ ‘ସାଇବର୍‌ ସିକ୍ୟୁରିଟି’ ବିଷୟ : ବିଦ୍ୟାଳୟସ୍ତରରୁ ଆରମ୍ଭ ହେବ ସଚେତନତା

ରାଜ୍ୟରେ କରୋନା ନେଲା ଆଉ ୧୪ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୧୮କୁ ବୃଦ୍ଧି

ଓଡ଼ିଶାରେ ତଳକୁ ଖସିଲା କରୋନା ଗ୍ରାଫ୍: ୨୪ଘଣ୍ଟା ଆଉ ୫୯୪ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୭ହଜାର ଟପିଲା

କନଷ୍ଟେବଳଙ୍କୁ ମହଙ୍ଗା ପଡିଲା ପରକୀୟା ପ୍ରୀତି: ଅବିବାହିତ କହି ଯୁବତୀଙ୍କ ସହ ରଖିଥିଲେ ଶାରୀରିକ ସମ୍ପର୍କ, ଫେରାର କର୍ମଚାରୀକୁ ବାନ୍ଧିଲା ପୁଲିସ୍