ପଞ୍ଚୁକ ପ୍ରଥମ ଦିନରେ ଘଟିଲା ବିଭ୍ରାଟ: ଶ୍ରୀଅଙ୍ଗ ଛୁଇଁବାରୁ ମହାପ୍ରଭୁଙ୍କ ହେଲା ମହାସ୍ନାନ

ପୁରୀ,୨୬/୧୧: ପଞ୍ଚୁକ ପ୍ରଥମ ଦିନରେ ବିଭ୍ରାଟ। ଶ୍ରୀମନ୍ଦିରରେ ହେଲା ମହାପ୍ରଭୁଙ୍କ ମହାସ୍ନାନ। ଜନୈକ ଆପଟ ସେବକ ଶ୍ରୀଅଙ୍ଗକୁ ସ୍ପର୍ଶ କରିଥିଲେ। ଏଣୁ ପରମ୍ପରା ଅନୁସାରେ ଠାକୁରଙ୍କ ନୀତି ବନ୍ଦ ରହିଥିଲା। ମହାସ୍ନାନ ବିଧି ସମ୍ପନ୍ନ ପରେ ପୁଣି ନୀତି ଆଗେଇଥିଲା। ଏଣୁ ଭଅଣ୍ଡ ସରି ଅବଢ଼ା ବାହାରିବାକୁ ପ୍ରାୟ ୨ଘଣ୍ଟା ବିଳମ୍ବ ହୋଇଥିଲା। ଶ୍ରଦ୍ଧାଳୁମାନେ ଅନ୍ନମହାପ୍ରସାଦ ପାଇବାକୁ କଲବଲ ହୋଇଥିଲେ।

ସୂଚନା ଅନୁଯାୟୀ ଦିନ ଗୋଟାଏ ବେଳକୁ ଠାକୁରଙ୍କ ବାଳଭୋଗ ସରିଥିଲା। ଏହି ସମୟରେ ଗର୍ଭଗୃହକୁ ପାଳିଆମାନେ ଯାଇପାରନ୍ତି । ଦର୍ଶନ କରିବ, କିନ୍ତୁ ସ୍ପର୍ଶ ମନା। ଜଣେ ଆପଟ ସେବକ ଦର୍ଶନ କରିବା ପରେ ଶ୍ରୀଅଙ୍ଗକୁ ସ୍ପର୍ଶ କରିଦେଇଥିଲେ । ସେ ଜଣେ ଶ୍ରୀମନ୍ଦିର କର୍ମଚାରୀ ଓ ଆଜିର ପାଳିଆ ଥିଲେ।

ଆପଟ ସେବକ ପାଣି ଯୋଗାଇଥାନ୍ତି । କିନ୍ତୁ ରତ୍ନସିଂହାସନାରୂଢ଼ ଠାକୁରଙ୍କୁ ଛୁଇଁବା କଥା ନୁହେଁ। ଏହା ଶ୍ରୀମନ୍ଦିର ପରମ୍ପରା ବିରୋଧୀ। ଏଣୁ ଏହି ଘଟଣାକୁ ନେଇ ଗାରଦରେ ଅଭିଯୋଗ ହେବା ପରେ ଠାକୁରଙ୍କ ମହାସ୍ନାନ ପାଇଁ ନିଷ୍ପତ୍ତି ହୋଇଥିଲା। ମହାସ୍ନାନ ବିଧି ସରିବା ବେଳକୁ ଅପରାହ୍ନ ୩ଟା ୧୫ମିନିଟ । ଏହାପରେ ପୁନର୍ବାର ଠାକୁରଙ୍କ ବେଶ ଅନୁଷ୍ଠିତ ହୋଇ ପ୍ରଥମ ଭୋଗ ମଣ୍ଡପ ଉଠିଥିଲା। ଦୀର୍ଘ ସମୟ ଧରି ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ମହାପ୍ରାସଦ ପାଇଁ ଅପେକ୍ଷା କରିଥିଲେ। ମହାପ୍ରସାଦ ପାଇଲା ବେଳକୁ ସାଢ଼େ ୪ଟା ଟପିଯାଇଥିଲା। ଅନେକ ଭକ୍ତ ଅବଢ଼ା ନପାଇ ଫେରିଯାଇଥିବା ଲକ୍ଷ୍ୟ କରାଯାଇଥିଲା। ମହାସ୍ନାନ ପାଇଁ ଠାକୁରଙ୍କ ଅନ୍ନମହାପ୍ରସାଦ ବାହାରିଲା ବେଳକୁ ପ୍ରାୟ ୨ ଘଣ୍ଟା ବିଳମ୍ବ ହୋଇଥିଲା। ସଂପୃକ୍ତ ସେବକଙ୍କୁ ଏନେଇ ତାଗିଦ୍‌ କରାଯାଇଛି।