୨୭ରେ ମହାପ୍ରଭୁଙ୍କ ଗଜୋଦ୍ଧାରଣ ବେଶ: ଜାଣନ୍ତୁ କ’ଣ ରହିଛି ପୌରାଣିକ କଥାବସ୍ତୁ…

ପୁରୀ ୨୩/୦୨: ଆସନ୍ତା ୨୭ ତାରିଖ ଶନିବାର ପବିତ୍ର ମାଘ ପୂର୍ଣ୍ଣିମା । ଶ୍ରୀବିଗ୍ରହଙ୍କୁ ଗଜୋଦ୍ଧାରଣ ବେଶରେ ସୁଶୋଭିତ କରାଯିବ । ଶ୍ରୀଜଗନ୍ନାଥ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିବେ । ଠାକୁରେ ଗରୁଡ଼ ଉପରେ ବସି ଲକ୍ଷ୍ମୀ ପ୍ରତିମାଙ୍କୁ କୋଳରେ ଧାରଣ କରିବେ ।
ଶ୍ରୀବଳଭଦ୍ର ଶଙ୍ଖ, ଚକ୍ର, ହଳ ଓ ମୂଷଳ ଧାରଣ କରି ବାସୁଦେବଙ୍କ ରୂପରେ ଉଭା ହେବେ । ଦେବୀ ସୁଭଦ୍ରା ଶ୍ରୀକୃଷ୍ଣଙ୍କ ସଦୃଶ ପାଦଛନ୍ଦି ପଦ୍ମକଢ଼ ଧରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ମଧ୍ୟାହ୍ନ ଧୂପ ପରେ ଏହି ଦୁର୍ଲଭ ବେଶ ଅନୁଷ୍ଠିତ ହେବ । ଭିତରଛ, ତଳିଛ, ପାଳିଆ ପୁଷ୍ପାଳକ, ଖୁଣ୍ଟିଆ ଓ ମେକାପ ଆଦି ସେବକମାନେ ଠାକୁରଙ୍କ ସ୍ୱତନ୍ତ୍ର ସେବା କରିବେ । ବେଶ ସମ୍ପୂର୍ଣ୍ଣ ପରେ ସନ୍ଧ୍ୟାଧୂପରେ ଠାକୁରଙ୍କୁ ଖିରି ଓ ଅମାଲୁ ଭୋଗ ଅର୍ପଣ କରାଯିବ । ଏହି ସମୟରେ ଠାକୁରଙ୍କ ସମ୍ମୁଖରେ ଶ୍ରଦ୍ଧା ଓ ଭକ୍ତି ଚିତ୍ତରେ ଗଜେନ୍ଦ୍ର ସ୍ତୁତିଗାନ କରିବାର ବିଧି ରହିଛି ।
ପୌରାଣିକ କଥାବସ୍ତୁ…
ବରୁଣ ହ୍ରଦରେ ଗଜରାଜ ସ୍ନାନ କରୁଥିବା ସମୟରେ ଏକ କୁମ୍ଭୀର ତାଙ୍କୁ ଆକ୍ରମଣ କରିଥିଲା । କ୍ଷତବିକ୍ଷତ ଅବସ୍ଥାରେ ଗଜରାଜ ବିକଳ ହୋଇ ଉଦ୍ଧାର ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ । ଠାକୁର ଭକ୍ତର ଡାକଶୁଣି କୁମ୍ଭୀର କବଳରୁ ଗଜରାଜଙ୍କୁ ଉଦ୍ଧାର କରିଥିଲେ । ଏହି ପୌରାଣିକ କଥାବସ୍ତୁକୁ ମନେ ପକାଇ ଶହ ଶହ ବର୍ଷ ଧରି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଏହି ବେଶ ଅନୁଷ୍ଠିତ ହୋଇଆସୁଛି । ପୂର୍ବରୁ ମହାରାଣୀ ଓ ପରେ ଯଜମାନମାନେ ଠାକୁରଙ୍କ ଏହି ବେଶର ଦାୟିତ୍ୱ ବହନ କରୁଥିଲେ । ୧୯୭୯ ମସିହାଠାରୁ ଶ୍ରୀମନ୍ଦିର ପ୍ରଶାସନ ତତ୍ତ୍ୱାବଧାନରେ ମହାପ୍ରଭୁଙ୍କ ବେଶ ଅନୁଷ୍ଠିତ ହେଉଛି ।