ଆଜିଠୁ ଦ୍ୱିତୀୟ ଟେଷ୍ଟ: କ୍ଲିନ୍‌ ସୁଇପ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

କିଙ୍ଗଷ୍ଟନ, ୨୯ା୮(ଏଜେନ୍ସି): ଘରୋଇ ୱେଷ୍ଟ ଇଣ୍ଡିଜ୍‌ ଓ ଭାରତ ମଧ୍ୟରେ ଆସନ୍ତା କାଲିଠୁ ଆରମ୍ଭ ହେବାକୁ ଯାଉଛି ଦ୍ୱିତୀୟ ଟେଷ୍ଟ । ସବିନା ପାର୍କ ଗ୍ରାଉଣ୍ଡରେ ଏହି ମ୍ୟାଚ୍‌ ଖେଳାଯିବ । ଉଭୟ ଦଳ ୩ଦିନ ହେଲା ଏଠାରେ ଅଭ୍ୟାସ ଚଳାଇଛନ୍ତି । ପ୍ରଥମ ଟେଷ୍ଟ ଜିତି ସାରିଥିବା ଟିମ୍‌ ଇଣ୍ଡିଆ ସିରିଜ୍‌ ମୂଳପୋଛ ଲକ୍ଷ୍ୟ ନେଇ ଆସନ୍ତା କାଲି ଗ୍ରାଉଣ୍ଡକୁ ଓହ୍ଲାଇବ । ହେଲେ ଘରୋଇ ଦଳ ପାଇଁ ଏହି ମ୍ୟାଚ୍‌ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ଟେଷ୍ଟ ଚାମ୍ପିଅନ୍‌ସିପ୍‌ ପଏଣ୍ଟ ହାତେଇବାକୁ ହେଲେ ୱେଷ୍ଟ ଇଣ୍ଡିଜ୍‌କୁ ଏହି ମ୍ୟାଚ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ ।

ପ୍ରଥମ ଟେଷ୍ଟରେ ୱେଷ୍ଟ ଇଣ୍ଡିଜ୍‌ର ବ୍ୟାଟ୍ସମ୍ୟାନମାନେ ଦୁର୍ବଳ ପ୍ରଦର୍ଶନ କରିଥିଲେ । କେବଳ ରଷ୍ଟନ ଚେଜଙ୍କୁ ଛାଡ଼ିଦେଲେ ଅନ୍ୟ କେହି କ୍ରିଜ୍‌ରେ ଜମି ରହି ସାଥୀ ଖେଳାଳିଙ୍କ ସହ ମିଶି ଭାଗିଦାରୀ ଗଠନ କରିବାକୁ ପ୍ରୟାସ କରି ନଥିଲେ । କେବଳ ବିଶାଳ ସଟ୍‌ ଖେଳି ଦ୍ରୁତବେଗରେ ରନ୍‌ ସଂଗ୍ରହ କରିବାର ଯୋଜନା ବୁମେରାଂ ସାବ୍ୟସ୍ତ ହୋଇଥିଲା ।

ଭାରତକୁ ହରାଇବାକୁ ହେଲେ ବ୍ୟାଟ୍ସମ୍ୟାନଙ୍କୁ ତ୍ରୁଟି ସୁଧାରିବାକୁ ପଡ଼ିବ । ଇଣ୍ଡିଜ୍‌ ଦଳରେ ପ୍ରତିଭାବାନ୍‌ ଖେଳାଳିଙ୍କ ଅଭାବ ନାହିଁ । ହେଲେ ଆକ୍ରମଣାତ୍ମକ ବ୍ୟାଟିଂ କରିବାର ମାନସିକତା ବିଫଳତାର ମୁଖ୍ୟ କାରଣ ହୋଇଛି । ସାଇ ହୋପ୍‌, ସିମରନ ହେତମେୟାର, ରଷ୍ଟନ ଚେଜଙ୍କ ଭଳି ଯୁବ ବ୍ୟାଟ୍ସମ୍ୟାନଙ୍କ ନିକଟରେ ଉନ୍ନତ ଟେକ୍‌ନିକ୍‌ ଓ ଫୁଟ୍‌ୱାର୍କ ରହିଛି । ଏମାନଙ୍କ ଦାୟିତ୍ୱପୂର୍ଣ୍ଣ ବ୍ୟାଟିଂ ଉପରେ ଦଳ ନିର୍ଭର କରିବ ।

ଭାରତୀୟ ଦଳର ବ୍ୟାଟିଂ ବିଭାଗରେ କୌଣସି ପରିବର୍ତ୍ତନ ସମ୍ଭାବନା ନାହିଁ । ପ୍ରଥମ ଟେଷ୍ଟରେ ଶତକ ଅର୍ଜନ କରି ଅଜିଙ୍କ୍ୟ ରାହାଣେ ଫର୍ମକୁ ଫେରି ସାରିଛନ୍ତି । ସେହିପରି ବିରାଟ କୋହଲି, ରବିନ୍ଦ୍ର ଜାଡେଜା, ହନୁମା ବିହାରୀ ଅର୍ଦ୍ଧଶତକ ଅର୍ଜନ କରିସାରିଛନ୍ତି । କେବଳ ଦୁଇ ଓପନର ଲୋକେଶ ରାହୁଲ, ମୟଙ୍କ ଅଗ୍ରୱାଲ୍‌ ଓ ଚେତେଶ୍ୱର ପୂଜାରାଙ୍କ ବ୍ୟାଟ୍‌ରୁ ବଡ଼ ଇନିଂସ ଆଶା କରାଯାଉଛି ।

ଆସନ୍ତାକାଲି ଯୁବ ୱିକେଟ୍‌ କିପର ରିଶଭ ପନ୍ତଙ୍କ ସ୍ଥାନରେ ଭେଟେରାନ ରିଦ୍ଧିମାନ ଶାହାଙ୍କୁ ଏକାଦଶରେ ସୁଯୋଗ ମିଳିବା ଆଶା କରାଯାଉଛି । ପନ୍ତ ପ୍ରଥମ ଟେଷ୍ଟରେ ବେପରବାୟ ସଟ୍‌ ଖେଳି ସମାଲୋଚିତ ହୋଇଥିଲେ ।

ସାବିନା ପାର୍କରେ ମନ୍ଥର ପିଚ୍‌: ଫାଷ୍ଟ ପିଚ୍‌ ପାଇଁ ଏକଦା ସାବିନା ପାର୍କ ଚର୍ଚ୍ଚାରେ ରହିଥିଲା । ହେଲେ ଜଳବାୟୁରେ ପରିବର୍ତ୍ତନ ଯୋଗୁଁ ଏଠାକାର ପିଚ୍‌ ମନ୍ଥର ହୋଇ ଯାଇଛି । ପିଚ୍‌ ଗତ କିଛି ବର୍ଷ ହେଲା ସ୍ପିନରଙ୍କୁ ସହାୟତା ପ୍ରଦାନ କରିଆସୁଥିବା ଦେଖିବାକୁ ମିଳିଛି । ଫଳରେ ନାବାଗତ ରଖିମ କର୍ଣ୍ଣୱାଲଙ୍କୁ ଏକାଦଶରେ ସାମିଲ କରିବା ପାଇଁ ୱେଷ୍ଟ ଇଣ୍ଡିଜ୍‌ ଯୋଜନା କରୁଛି । ଭାରତ ମଧ୍ୟ ରବି ଚନ୍ଦ୍ରନ ଅଶ୍ୱିନଙ୍କୁ ସୁଯୋଗ ଦେଇପାରେ ।

ଭାରତୀୟ ଦଳ: ବିରାଟ କୋହଲି(ଅଧିନାୟକ), ଲୋକେଶ ରାହୁଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ, ହନୁମା ବିହାରୀ/ରୋହିତ ଶର୍ମା, ରିଶଭ ପନ୍ତ, ରବି ଚନ୍ଦ୍ରନ ଅଶ୍ୱିନ/ରବିନ୍ଦ୍ର ଜାଡେଜା, ମହମ୍ମଦ ସାମି, ଈଶାନ୍ତ ଶର୍ମା, ଜଶପ୍ରୀତ ବୁମରା ।
ୱେଷ୍ଟ ଇଣ୍ଡିଜ୍‌ ଦଳ: ଜାସନ ହୋଲ୍ଡର (ଅଧିନାୟକ),କ୍ରେଗ ବ୍ରାଥ୍‌ୱେଟ୍‌, ଜନ କ୍ୟାମ୍ପବେଲ, ଡାରେନ ବ୍ରାଭୋ, ସିମରନ ହେତମେୟାର, ସାଇ ହୋପ୍‌, ରଷ୍ଟନ ଚେଜ, ରଖିମ କର୍ଣ୍ଣୱାଲ୍‌, କିମୋ ପଲ୍‌, ସାନନ ଗାବ୍ରିଏଲ୍‌, କିମାର ରୋଚ ।

   ସମ୍ବନ୍ଧିତ ଖବର


ଆଇପିଏଲ୍‌ରେ ବୁମ୍‌ରାଙ୍କ ନୂଆ ରେକର୍ଡ: ପ୍ରଥମ ୱିକେଟ୍‌ ବିରାଟ ଓ ଶହେତମ ୱିକେଟ୍ ବି ଶିକାର ହେଲେ ବିରାଟ

IPL-2020: ଆଜି କୋଲକାତା ନାଇଟ୍‌ ରାଇଡର୍ସ ଓ ଚେନ୍ନାଇ ସୁପର କିଙ୍ଗ୍‌ସ ମଧ୍ୟରେ କଡ଼ା ଟକ୍କର

IPL ମ୍ୟାଚ୍‌ ପାଇଁ ପାଗଳ ହେଉଥିଲେ ଏହି ବୋଲର , ଟିମ୍‌ ଇଣ୍ଡିଆରେ ଚୟନ ପରେ ପରିବାରରେ ଖୁସିର ଜୁଆର

୨୦୨୧ ସିଜନରେ ବି ଧୋନି ଅଧିନାୟକ ରହିବେ: ସିଏସ୍‌କେ

ପୁରୁଷ ଫୁଟବଲ୍‌ ଦଳର କୋଚ୍‌ ହେବାରେ ଫୈଜା ପ୍ରଥମ ମହିଳା

ଅଷ୍ଟ୍ରେଲିଆ ଗସ୍ତରୁ ରୋହିତ ବାଦ ପଡ଼ିବା ପରେ ପ୍ରଶ୍ନ କଲେ ଗାଭାସ୍କର, କହିଲେ-ଯିଏ ନେଟ୍‌ ପ୍ରାକ୍ଟିସ୍‌ କରୁଛି…